ଜିମ୍ବାେଓ୍ଵ ଶାସନ ସଂକଟ: ଶାସକ ଦଳରୁ ରାଷ୍ଟ୍ରପତି ମୁଗାବେ ବହିଷ୍କୃତ

Advertisment
ଜିମ୍ବାେଓ୍ଵ ଶାସନ ସଂକଟ: ଶାସକ ଦଳରୁ ରାଷ୍ଟ୍ରପତି ମୁଗାବେ ବହିଷ୍କୃତ

ହାରାରେ(ଜିମ୍ବାେଓ୍ଵ): ଜିମ୍ବାେଓ୍ଵର ଶାସକ ଜାନୁ-ପିଏଫ୍‌ ଦଳର ଅଧ୍ୟକ୍ଷ ପଦରୁ ରାଷ୍ଟ୍ରପତି ରବର୍ଟ ମୁଗାବେଙ୍କୁ ଆଜି ବହିଷ୍କୃତ କରାଯାଇଛି। ଏପରିକି ତାଙ୍କ ବଦଳରେ ଶାସନ କରିବାକୁ ମନ ବଳାଇଥିବା ମୁଗାବେଙ୍କେ ପତ୍ନୀ ଗ୍ରେସ୍‌ଙ୍କୁ ମଧ୍ୟ ଦଳରୁ ବିତାଡ଼ିତ କରାଯାଇଛି। ମୁଗାବେଙ୍କ ସ୍ଥାନରେ ଏମର୍ସନ ମନାଙ୍ଗାଓ୍ଵା ଦଳର ନେତୃତ୍ୱ ସମ୍ଭାଳିବେ ବୋଲି ଦଳୀୟ ମୁଖପାତ୍ର କହିଛନ୍ତି। ଏହାଦ୍ୱାରା ଦୀର୍ଘ ୩୭ ବର୍ଷ କାଳ ଶାସନ କ୍ଷମତା ଜାବୁଡ଼ି ଧରିଥିବା ମୁଗାବେଙ୍କୁ ଗାଦି ଛାଡ଼ିବାକୁ ବାଧ୍ୟ କରାଯାଇଛି ବୋଲି ଜଣାଯାଇଛି। ତେବେ କାର୍ଯ୍ୟଦକ୍ଷତାରେ ଏକରକମ ଶିଥିଳ ହୋଇପଡ଼ିଥିବା ୯୩ ବର୍ଷୀୟ ମୁଗାବେ ସମ୍ମାନର ସହ କେବେ ଅବସର ନେବେ କିଛି ସ୍ପଷ୍ଟ ନକରିବାରୁ ଏପରି ପଦକ୍ଷେପ ନିଆଯାଇଥିବା ଦଳ ପକ୍ଷରୁ ସଫେଇ ଦିଆଯାଇଛି।

ସୂଚନା ଥାଉ କି, ଗତ ସପ୍ତାହରେ ଜିମ୍ବାେଓ୍ଵ ସେନା ଦେଶର ଶାସନ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣକୁ ନେଇ ମୁଗାବେଙ୍କୁ ତିନି ଦିନ ଧରି ଗୃହବନ୍ଦୀ କରି ରଖିଥିଲେ। ମାତ୍ର ମୁଗାବେ କୌଣସି ସ୍ଥିତିରେ ବି କ୍ଷମତା ଛାଡ଼ିବେ ନାହିଁ ବୋଲି କହିଥିଲେ। ଏଣେ ମୁଗାବେଙ୍କ ହାତରେ ଶାସନ କ୍ଷମତା ରଖିବାକୁ ସେନା ସମ୍ପୂର୍ଣ୍ଣ ନାରାଜ ଥିବା ବେଳେ ଦେଶର ସ୍ୱାର୍ଥ ଦୃଷ୍ଟିରୁ ମୁଗାବେ ଇସ୍ତଫା ଦେବା ଜରୁରୀ ବୋଲି ବିରୋଧୀ ଦଳ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମୋର୍ଗାନ୍‌ ସାଭାଙ୍ଗିରାଇ(୭୫) ଦାବି କରିଥିଲେ। ତେବେ ଦଳରୁ ବିତାଡ଼ିିତ ହୋଇଥିବା ପୂର୍ବତନ ଉପରାଷ୍ଟ୍ରପତି ତଥା ପୂର୍ବତନ ସେନାମୁଖ୍ୟ ଏମର୍ସନ ମନାଙ୍ଗାଓ୍ଵା ସେନାର ସମର୍ଥନ ହାସଲ କରିବାରେ ସଫଳ ହେବା ସହ ଦେଶର ପରବର୍ତ୍ତୀ ଶାସନ ମୁଖ୍ୟ ହେବେ ବୋଲି ଜଣାଯାଇଛି। ଦେଶରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଅର୍ଥନୀତିକୁ ସଜାଡ଼ିବାରେ ମନାଙ୍ଗାଓ୍ଵା କିଛି ମାତ୍ରାରେ ସକ୍ଷମ ହେବେ ବୋଲି ଦେଶବାସୀ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe