ଭୁବନେଶ୍ବର: ରାତି ପାହିଲେ ନୌସେନା ଦିବସ। ଜାତୀୟସ୍ତରରେ ଏହି ପର୍ବ ଏଥର ପୁରୀ ସମୁଦ୍ର କୂଳରେ ଆୟୋଜନ କରାଯାଇଛି। ଏହି ସମାରୋହରେ ଯୋଗ‌ ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ପୁରୀ ଯିବେ। ଏଥି ପାଇଁ ପୁରୀକୁ ସୁସଜ୍ଜିତ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି।

Advertisment

ଏହି ଖବର ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ଐତିହାସିକ ଓଡ଼ିଶା ଗସ୍ତ ଆରମ୍ଭ

ନୌସେନା ଦିବସ ଓ ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ଆସନ୍ତାକାଲି ପୁରୀ ପୌରପାଳିକାର ସମସ୍ତ ସ୍କୁଲ ବନ୍ଦ ରହିବ। ପୁରୀ ସହରରେ ଥିବା ସବୁ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଫଳରେ ପୁରୀ ପୌରପାଳିକାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲ୍ ବନ୍ଦ ରହିବ।  

ଏହି ଖବର ପଢ଼ନ୍ତୁ: ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ନୂଆ କମିଟି ଗଠନ

ଆସନ୍ତାକାଲି ନୌସେନା ଦିବସରେ ପୁରୀ ସମୁଦ୍ରର ଅଥଳ ଜଳରାଶିରେ ନୌବୀରମାନେ ଅପରେସନ୍ କୌଶଳ ଦେଖାଇବେ। ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ। ନୌସେନାର ଏହି ପରାକ୍ରମକୁ ଦେଖିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପହଞ୍ଚିବେ। ଏଥିପାଇଁ ପୁରୀ ବ୍ଲୁ ଫ୍ଲାଗ ବିଚରେ ସମସ୍ତ ପ୍ରସ୍ତୁତି ସରିଛି। ଭାରତୀୟ ନୌସେନା ଜଲସା, ମିଶାଇଲ୍ ଡେଷ୍ଟ୍ରୋୟର ଆଇଏନ୍‌ଏସ୍‌ ଦିଲ୍ଲୀ, ଆଇଏନ୍‌ଏସ୍‌ ଶକ୍ତି, ଆଇଏନ୍‌ଏସ୍‌ ସର୍ୟୁ, ଆଇଏନ୍‌ଏସ୍‌ ଅରିହନ୍ତ, ଆଇଏନ୍‌ଏସ୍‌ ସାତପୁରା ପ୍ରମୁଖ ନେଭି ଡେ' ଉତ୍ସବରେ ପରାକ୍ରମ ଦେଖାଇବେ। ସେହିପରି ହକ୍, ସି-କିଙ୍ଗ, ମିଗ୍-୨୯ ଭଳି ଫାଇଟର ଜେଟ୍ ଓ ଚେତକ, ଏମ୍‌ଏସ୍‌-୬୦ ହେଲିକପ୍ଟର ନୌସେନାର ବୀରତ୍ୱ ମଧ୍ୟ ଦେଖାଇବେ।

ଏହି ଖବର ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରେଳମନ୍ତ୍ରୀ

ସୂଚାନାଯୋଗ୍ୟ, ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଐତିହାସିକ ଓଡ଼ିଶା ଗସ୍ତ ଆଜି ଠାରୁ ଆରମ୍ଭ ହୋଇଯାଇଛି। ମହାମହିମ ଶ୍ରୀମତୀ ମୁର୍ମୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଅପରାହ୍‌ଣ ସାଢ଼େ ୪ଟାରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିଲା ପରେ ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଭୁବନେଶ୍ବର ମେୟର ସୁଲୋଚନା ଦାସ ସ୍ବାଗତ  କରିଥିଲେ। ରାଷ୍ଟ୍ରପତି ତାଙ୍କର ଏହି ୫ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।  

ଏହି ଖବର ପଢ଼ନ୍ତୁ: ଭାରତକୁ ଉପହାର ଦେଲେ ବାଇଡେନ