ମହାକାଶରୁ ସଫଳ ପ୍ରତ୍ୟାବର୍ତ୍ତନ ପରେ ଆରମ୍ଭ ହେଲା ଶ୍ରେୟ ରାଜନୀତି: ଟ୍ରମ୍ପ କହିଲେ କଥା ଦେଇଥିଲୁ କଥା ରଖିଲୁ... ଧନ୍ୟବାଦ ଦେଲେ ମସ୍କ

trump on sunita return

trump on sunita return Photograph: (Sambad.in)

ନୂଆଦିଲ୍ଲୀ: ସୁନୀତାଙ୍କୁ ନେଇ ଆରମ୍ଭ ହୋଇଗଲା ଶ୍ରେୟ ରାଜନୀତି । ୯ ମାସ ପରେ ମହାକାଶରୁ ମହାକାଶଚାରୀ ପୃଥିବୀରେ ପାଦ ଦେବାକୁ ୯ ଘଣ୍ଟା ବି ବିତିନି ଏଣେ ଆରମ୍ଭ ହୋଇଗଲାଣି ଶ୍ରେୟକୁ ନେଇ ଟଣାଓଟରା । କେଉଁ କାରଣରୁ ୮ ଦିନିଆ ମହାକାଶ ମିଶନରେ ଯାଇ ୯ ମାସ ଫସିଗଲେ ୪ ମହାକାଶଚାରୀ ତାହା ତ ସମସ୍ତେ ଜାଣନ୍ତି ଆଉ ଏବେ ସେମାନଙ୍କୁ କିଏ ଫେରାଇ ଆଣିଲା, ସୁନୀତା ଏବଂ ବୁଚଙ୍କ ପ୍ରତ୍ୟାବର୍ତ୍ତନ ପଛରେ କାହାର ହାତ ଅଛି ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ଗତ କିଛି ଦିନ ତଳେ ଏଲନ ମସ୍କ ସୁନୀତା ମହାକାଶରେ ଫସିବା ନେଇ ବଡ ବୟାନ ଦେଇଥିଲେ । ସେ ଏଥିପାଇଁ ବାଇଡେନଙ୍କୁ ସିଧାସଳଖ ଦାୟୀ କରିଥିବା ବେଳେ ବାଇଡେନଙ୍କ ଭୁଲ ପାଇଁ ହିଁ ମହାକାଶଚାରୀ ମହାକାଶରେ ଫସି ରହିଥିବା ସେ ସିଧା ଅଭିଯୋଗ କରିଥିଲେ । ଆଉ ଆଜି ଯେତେବେଳେ ମହାକାଶରୁ ଦୀର୍ଘ ୯ ମାସର ଅପେକ୍ଷାରେ ଅନ୍ତ ଘଟାଇ ଆମେରିକା ଛାତିକୁ ପୁଣି ଥରେ ଛୁଇଁଛନ୍ତି ୪ ମହାକାଶଚାରୀ । ସେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସରକାରକୁ ଏ ସଫଳତାର ଶ୍ରେୟ ଦେଇଛନ୍ତି 

ହ୍ୱାଇଟ୍ ହାଉସ ପକ୍ଷରୁ କରାଯାଇଥିବା ଏକ ପୋଷ୍ଟରେ ଲେଖା ଯାଇଛି- କଥା ଦେଇଥିଲୁ, କଥା ରଖିଲୁ । ମହାକାଶରେ ଫସି ରହିଥିବା ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ରାଷ୍ଟ୍ରପତି ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିଲେ । ଆଉ ଆଜି ସେହି ଦିନ, ଯେଉଁଠି ସେ କଥା ଦେଇ କଥା ରଖିଛନ୍ତି । ସୁନୀତାଙ୍କ ସମେତ ଅନ୍ୟ ମହାକାଶଚାରୀମାନେ ପୃଥିବୀକୁ ଫେରିଛନ୍ତି । ତେଣୁ ଏଥିପାଇଁ ସେ ଏଲନ ମସ୍କ, ସ୍ପେସ୍ ଏକ୍ସ ଏବଂ ନାସାକୁ ଧନ୍ୟବାଦ ଦେଇଛନ୍ତି । 

ସେପଟେ ମସ୍କ ମଧ୍ୟ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଏକ୍ସରେ ପୋଷ୍ଟ କରି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଭଳି ଏକ ମିଶନକୁ ଗୁରୁତ୍ବ ସହ ନେଇ ସଫଳ କରାଇଥିବାରୁ ମସ୍କ ଟ୍ରମ୍ପଙ୍କୁ ଧନ୍ୟବାଦ ଦେବା ସହ ସ୍ପେସ୍ ଏକ୍ସ ଏବଂ ନାସାକୁ ବି ଅଭିନନ୍ଦନ ଜଣାଇଛନ୍ତି । 

କୁହାଯାଉଛି ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ନେଇ ସ୍ପେସଏକ୍ସ କ୍ୟାପସୁଲ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ବାହାରି ପୃଥିବୀ ପୃଷ୍ଠରେ ପହଞ୍ଚିବା ପରେ, ସାରା ବିଶ୍ୱରେ ଏବେ ନାସାକୁ ନେଇ ନୁହେଁ ବରଂ ଏଲନ୍‌ ମସ୍କଙ୍କ ସ୍ପେସ୍ଏକ୍ସକୁ ଭୁରି ଭୁରି ପ୍ରଶଂସା କରାଯାଉଛି । ମହାକାଶରୁ ଫେରାଇ ଆଣିବା ପାଇଁ ନାସାର ଅନେକ ଯୋଜନା ଯେବେ ଫେଲ୍ ମାରିଥିଲା ସେତେବେଳେ ଆଗକୁ ବଢିଥିଲେ ଏଲନ୍ ମସ୍କ ।  

ଏଲନ୍‌ ମସ୍କଙ୍କ ସ୍ପେସ୍ଏକ୍ସ ଜରିଆରେ ଭୁ-ପୃଷ୍ଠକୁ ସୁରକ୍ଷିତ ଫେରିଲେ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲମୋର । ଏହି ଦୁଇ ବୈଜ୍ଞାନିକଙ୍କୁ ଫେରାଇ ଆଣିବାରେ ନାସା ବିଫଳ ହେବାପରେ ସଫଳ ହୋଇଛି ସ୍ପେସଏକ୍ସ ମିଶନ୍ । ଏହି ମହାକାଶଚାରୀଙ୍କୁ ଫେରାଇ ଆଣିଥିବାରୁ ସ୍ପେସଏକ୍ସକୁ ଟଙ୍କା ଦେବ ନାସା । ପ୍ରତ୍ୟେକ ଯାତ୍ରୀଙ୍କ ପିଛା ୫୦୦ କୋଟି ଅର୍ଥାତ୍‌ ୪ ଜଣ ମହାକାଶଚାରୀଙ୍କ ପାଇଁ ୨୦୦୦ କୋଟି ନେବ ସ୍ପେସ୍‌ଏକ୍ସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe