ଗତ ମାର୍ଚ୍ଚରେ ହୋଇଥିଲା ପୁଲଵାମା ଆକ୍ରମଣ ଯୋଜନା

Advertisment
ଗତ ମାର୍ଚ୍ଚରେ ହୋଇଥିଲା ପୁଲଵାମା ଆକ୍ରମଣ ଯୋଜନା

ନୂଆଦିଲ୍ଲୀ: ଗତ ୧୪ ତାରିଖରେ ୪୦ ଜଣ ସିଆରପିଏଫ୍ ଯବାନଙ୍କ ମୃତ୍ୟୁର କାରଣ ସାଜିଥିବା ପୁଲଵାମା ଆକ୍ରମଣ ପାଇଁ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଗତ ବର୍ଷ ମାର୍ଚ୍ଚ ମାସରେ ହିଁ ଯୋଜନା କରିଥିଲା। ଏଥିପାଇଁ ଗତ ଜୁଲାଇ ମାସରୁ ଧୀରେ ଧୀରେ ବିସ୍ଫୋରକ ସାମଗ୍ରୀ(ଆରଡିଏକ୍ସ) ପାକିସ୍ତାନରୁ ଆସି ପୁଲଵାମାର ତ୍ରାଲ ଗାଁରେ ଠୁଳ ହେଉଥିଲା ବୋଲି ଜାଣିବାକୁ ମିଳିଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଭାରତୀୟ ସୁରକ୍ଷା କର୍ମୀଙ୍କ ଦ୍ବାରା ପୁଲଵାମା ପ୍ରତିଶୋଧର ପ୍ରଥମ ଶିକାର ହୋଇଥିବା କାମରାନ୍ ଓ ରସିଦ୍ ଗାଜି ସମେତ ୧୩ ଜଣ ଆତଙ୍କବାଦୀ ଗତ ମାର୍ଚ୍ଚ ମାସରେ ସୀମା ଡେଇଁ କଶ୍ମୀରରେ ଅନୁପ୍ରବେଶ କରିଥିଲେ। ସେମାନେ ପୁଞ୍ଚ ବାଟେ ପର୍ଯ୍ୟାୟକ୍ରମେ ୮୦ କେଜିରୁ ଅଧିକ ଆମୋନିଅମ୍ ନାଇଟ୍ରେଟ୍ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ସଂଗ୍ରହ କରି ପରେ ତାହାକୁ ପଶ୍ଚିମ ସୋପିଆନ୍ ଅଞ୍ଚଳକୁ ସ୍ଥାନାନ୍ତର କରିଥିଲେ। ସେଠାରୁ ଏହି ବିସ୍ଫୋରକ ପଦାର୍ଥକୁ ସଂଖ୍ୟାଧିକ ନିବୁଜ ସିଲିଣ୍ଡରରେ ଭରି କରି କୋଇଲା ଅଖା ଭିତରେ ମିଦୋରା ତ୍ରାଲ ଅଞ୍ଚଳକୁ ନେଇଥିଲେ। ଭାରତୀୟ ସେନା ଶିବିରରେ ବ୍ୟାପକ କ୍ଷତି ପାଇଁ ଏହି ବିସ୍ଫୋରକ ଉପଯୋଗ କରିବାକୁ ଯୋଜନା ହୋଇଥିଲା। ମାତ୍ର ଭୀଷଣ ବରଫପାତ ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ଥିବା ଶ୍ରୀନଗର-ଜମ୍ମୁ ରାଜପଥ ଗତ ୧୪ ତାରିଖରେ ଖୋଲିବା ସହ ୭୮ଟି ବସରେ ସିଆରପିଏଫ୍ ଜବାନମାନେ ଶ୍ରୀନଗର ଆଡ଼କୁ ଯାଉଥିବା ସୂଚନା ପାଇ ଆତଙ୍କବାଦୀମାନେ ସେନା ଶିବିର ଆକ୍ରମଣ ଯୋଜନା ଛାଡ଼ି ତତ୍କାଳ ଯବାନଙ୍କ ପଲଟଣ ଉପରେ ଦାଉ ସାଧିବାକୁ ନିଷ୍ପତ୍ତି ନେଇଥିଲେ। କାମରାନ୍ ଓ ରସିଦ୍ ତୁରନ୍ତ ଏକ କାରରେ ବିସ୍ଫୋରକକୁ ବୋଝେଇ କରି ସେଦିନ ଅପରାହ୍ଣ ସାଢ଼େ ୩ଟା ଭିତରେ ଉକ୍ତ କାରକୁ ଯବାନମାନଙ୍କ ଗାଡ଼ିରେ ଧକ୍କା କରିାଇବା ଲାଗି ଆତ୍ମଘାତୀ ଆଦିଲ ଅହମଦ ଦାର ଓରଫ ଵାକସକୁ ନିୟୋଜିତ କରିଥିଲେ। ଶେଷରେ ଆଦିଲ ହିଁ ଯୋଜନାକୁ ଫଳବତୀ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe