ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ବେଳକୁ ଦେଶକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିବା ଆମର କର୍ତ୍ତବ୍ୟ: ରାଷ୍ଟ୍ରପତି କୋବିନ୍ଦ

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ବେଳକୁ ଦେଶକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିବା ଆମର କର୍ତ୍ତବ୍ୟ: ରାଷ୍ଟ୍ରପତି କୋବିନ୍ଦ

Image Courtesy of The Indian Express

ନୂଆଦିଲ୍ଲୀ: ୨୦୧୯ରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ବେଳକୁ ଦେଶକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିବା ଆମର କର୍ତ୍ତବ୍ୟ ବୋଲି ବଜେଟ୍‌ ଅଧିବେଶନ ଅବ୍ୟବହିତ ପୂର୍ବରୁ ସୋମବାର ଦିନ ପାର୍ଲାମେଣ୍ଟ୍‌ର ମିଳିତ ଅଧିବେଶନରେ କହିଛନ୍ତି ରାଷ୍ଟ୍ରପତି କୋବିନ୍ଦ।

ସେ କହିଛନ୍ତି, ୨୦୧୮ରେ ଆମେ ‘ନବ ଭାରତ’ର ସ୍ୱପ୍ନ ସାକାର କରିବା। ବାବା ସାହେବ ଆମ୍ବେଦକର କହିଥିଲେ, ଅର୍ଥନୈତିକ ଓ ସାମାଜିକ ଗଣତନ୍ତ୍ର ବିନା ରାଜନୈତିକ ଗଣତନ୍ତ୍ର ଅସ୍ଥିର।

ଏହା ବ୍ୟତିରେକେ ୨୦୧୯ରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ବେଳକୁ ଦେଶକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିବା ଆମର କର୍ତ୍ତବ୍ୟ ହେବା ଉଚିତ ବୋଲି ସେ ମତପ୍ରକାଶ କରିଛନ୍ତି।

ସେ ପୁଣି କହିଛନ୍ତି, ମୋର ଆଶା ତିନ୍‌ ତଲାକ୍‌ ବିଲ୍‌ ଶୀଘ୍ର ଅନୁମୋଦନ ଲାଭ କରିବ। ଫଳତଃ, ମୁସଲମାନ ମହିଳାମାନେ ନିର୍ଭୟରେ ମର୍ଯ୍ୟାଦାର ସହ ଜୀବନଯାପନ କରିପାରିବେ।

ସରକାରଙ୍କର କୃତ୍ୱିତ୍ୱ କଥା ଉଲ୍ଲେଖ କରି ରାଷ୍ଟ୍ରପତି କୋବିନ୍ଦ ଭାରତର ସାଧାରଣ ଜନତାଙ୍କୁ ଉପକୃତ କରିଥିବା ମୁଦ୍ରା ଯୋଜନା, ଜନଧନ ଯୋଜନା, ଉଜ୍ଜ୍ୱଳା ଯୋଜନା ଆଦି ବିଷୟରେ କହିଥିଲେ। ସେ କହିଲେ, କର୍ମଜୀବୀ ମହିଳାମାନଙ୍କୁ ୨୬ ସପ୍ତାହ ମାତୃତ୍ୱକାଳୀନ ଛୁଟି ମଞ୍ଜୁର କରାଇବା ପାଇଁ ପାର୍ଲାମେଣ୍ଟ୍‌ରେ ଏକ ବିଲ୍‌ ଅନୁମୋଦିତ ହୋଇଛି। ସରକାର ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ଥିବା ବିଭେଦ ଦୂର କରିଥିବାରୁ ଦରିଦ୍ରମାନେ ଉନ୍ନତି କରିବାକୁ ନୂତନ ସୁଯୋଗ ପାଉଛନ୍ତି। ସମସ୍ତଙ୍କ ପାଇଁ ଖାଦ୍ୟ ଯୋଗାଇବା ପାଇଁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍‌ ଜରିଆରେ ସରକାର ଦରିଦ୍ରମାନଙ୍କୁ ସର୍ବନିମ୍ନ ମୂଲ୍ୟରେ ଆହାର ଯୋଗାଇ ଦେଉଛନ୍ତି।

ଗାଁମାନଙ୍କରେ ବ୍ରୋଡ୍‌ବ୍ୟାଣ୍ଡ୍‌ ସଂଯୋଗ ବଢ଼ାଇବା ପାଇଁ କାମ ଆରମ୍ଭ ହୋଇ ଯାଇଛି। ଏ ଭିତରେ ୨. ୫ ଲକ୍ଷ ପଞ୍ଚାୟତ ସଂଯୋଗିକରଣ ସରିଛି ବୋଲି ସେ ସୂଚନା ଦେଇଛନ୍ତି। ସାମ୍ପ୍ରଦାୟିକତା ଉପରେ ସେ କହିଲେ ଯେ, ସଂଖ୍ୟାଲଘୁଙ୍କୁ ତୁଷ୍ଟ କରିବା ନୁହେଁ, ସଶକ୍ତ କରିବା ଆମ ସରକାରଙ୍କର ମନ୍ତ୍ର।

କୁମ୍ଭମେଳାକୁ ମାନବତାର ଅଦୃଶ୍ୟ ସାଂସ୍କୃତିକ ଐତିହ୍ୟ ଭାବେ ୟୁନେସ୍କୋ ଚିହ୍ନିତ କରିଥିବା ଆମ ପାଇଁ ଗୌରବର ବିଷୟ ବୋଲି ସେ ଆନନ୍ଦିତ ହୋଇ କହିଲେ।

ମଧ୍ୟସ୍ଥି ହଟାଇ ଆଧାର ଦରିଦ୍ରମାନଙ୍କର ଅଧିକାରକୁ ନିରପଦ ରଖିବାରେ ସହାୟକ ହୋଇଛି। ଏବକାର ସରକାରର ୪୦୦ରୁ ଊର୍ଦ୍ଧ୍ୱ ପଲିସି ଡିଜିଟାଲ୍‌ ନେଣଦେଣ ମାଧ୍ୟମରେ କରାଯାଉଛି। ଏହା ଯୋଗୁଁ ୫୭ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ବାଟମାରଣା ହେବାରୁ ବଞ୍ଚିଛି ବୋଲି ସେ ସୂଚନା ଦେଇଛନ୍ତି।

ଦେଶର ସାଧାରଣ ନିର୍ବାଚନ ପ୍ରସଙ୍ଗରେ ସେ କହିଲେ କି, ଏକ ସମୟରେ ନିର୍ବାଚନ କରାଯିବା ବିଷୟରେ ଦୀର୍ଘ ଆଲୋଚନା ଆବଶ୍ୟକ। ଏ ମାମଲାରେ ସମସ୍ତ ରାଜନୈତିକ ଦଳ ନିଜ ମଧ୍ୟରେ ସମନ୍ଵୟ ଆଣିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe