ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଓଲ୍ ଶାନ୍ତି ପୁରସ୍କାର ୨୦୧୮ରେ ସମ୍ମାନିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଅନ୍ତର୍ଜାତୀୟ ସମନ୍ବୟ ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଦୀଙ୍କୁ ଏହି ପୁରସ୍କାର ଦିଆଯିବା ନେଇ ନିଷ୍ପତ୍ତି ହୋଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅବଦାନ ବିଷୟରେ ସମଗ୍ର ବିଶ୍ବ ଅବଗତ ହୋଇସାରିଲାଣି। ‘ମୋଦିନୋମିକ୍ସ’ ଦ୍ବାରା ଭାରତ ଏବଂ ଅନ୍ତର୍ଜାତୀୟ କ୍ଷେତ୍ରରେ ବିକାଶ ଘଟିଛି। ବିଶ୍ବ ଅଭିବୃଦ୍ଧି ସମେତ ମାନବ ବିକାଶକୁ ପ୍ରୋତ୍ସାହିତ କରିବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ତେବେ ଖୁବ୍ଶୀଘ୍ର ସିଓଲ୍ ପିସ୍ ପ୍ରାଇଜ୍ ଫାଉଣ୍ଡେସନ୍ ଦ୍ବାରା ମୋଦୀଙ୍କୁ ସମ୍ମାନିତ କରାଯିବ ବୋଲି ଟ୍ବିଟ୍ କରି ରବୀଶ କୁମାର କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୪ତମ ଅଲିମ୍ପିକ୍ ଗେମ୍ସର ସଫଳତାକୁ ସ୍ମରଣୀୟ କରିବା ପାଇଁ ୧୯୯୦ରେ ସିଓଲ୍ ପିସ୍ ପ୍ରାଇଜ୍ ଆରମ୍ଭ କରାଯାଇଥିଲା। ଦକ୍ଷିଣ କୋରିଆର ସିଓଲ ପକ୍ଷରୁ ୧୯୮୮ରେ ୨୪ତମ ଅଲିମ୍ପିକ୍ସ ଆୟୋଜନ କରାଯାଇଥିଲା।
ପ୍ରଧାନମନ୍ତ୍ରୀଙ୍କୁ ସିଓଲ୍ ଶାନ୍ତି ପୁରସ୍କାର
Advertisment
Follow Us