ପ୍ରଧାନମନ୍ତ୍ରୀ ଆମକୁ ଆତଙ୍କବାଦୀ କହୁଛନ୍ତି, ଅମିତ ଶାହ ଚିଠି ଲେଖୁଛନ୍ତି: ଖଡ଼ଗେ

Advertisment
ପ୍ରଧାନମନ୍ତ୍ରୀ ଆମକୁ ଆତଙ୍କବାଦୀ କହୁଛନ୍ତି, ଅମିତ ଶାହ ଚିଠି ଲେଖୁଛନ୍ତି: ଖଡ଼ଗେ

ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସବୁ ବିରୋଧୀ ଦଳ ସହଯୋଗ କରନ୍ତୁ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଗୃହମନ୍ତ୍ରୀ ଅମିତ ଶାହ ଚିଠି ଲେଖିଥିବା ବେଳେ ବୁଧବାର ଖଡ଼ଗେ ଏହାର ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ଯେଉଁଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମକୁ ଆତଙ୍କବାଦୀ ସଂଗଠନ ସହ ତୁଳନା କରୁଛନ୍ତି, ସେହିଦିନ ଅମିତ ଶାହ ସହଯୋଗ ପାଇଁ ଚିଠି ଲେଖୁଛନ୍ତି। ସରକାର ଓ ବିରୋଧୀଙ୍କ ଭିତରେ ଦୂରତା ତ ସବୁବେଳେ ରହିଆସିଛି କିନ୍ତୁ ଏବେ ସରକାର ଭିତରେ ବି ଦୂରତା ଥିବା ଦେଖିବାକୁ ମିଳୁଛି। ଶାସକ ଦଳର କହିବା ଓ କରିବାରେ ଅନ୍ତର ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଇ-ଣ୍ଡି-ଆକୁ ଦିଗହରା କହିବା ଦୁର୍ଭାଗ୍ୟଜନକ ବୋଲି ଖଡ଼ଗେ ତାଙ୍କ ଉତ୍ତରରେ ଲେଖିଛନ୍ତି।

ଅମିତ ଶାହ ତାଙ୍କ ଚିଠିରେ ଲେଖିଥିଲେ, ବିରୋଧୀ ଦଳ ଚାହୁଛନ୍ତି ମଣିପୁର ପ୍ରସଙ୍ଗରେ ସରକାରଙ୍କ ବିବୃତି। ମୁଁ କହିବାକୁ ଚାହେ, ଖାଲି ବିବୃତି ନୁହେଁ ସଂସଦରେ ବିସ୍ତୃତ ଆଲୋଚନା ପାଇଁ ସରକାର ପ୍ରସ୍ତୁତ। କିନ୍ତୁ ଏଥିପାଇଁ ସବୁ ଦଳର ସହଯୋଗ ଦରକାର। ଆପଣଙ୍କ ଜରିଆରେ ସବୁ ବିରୋଧୀ ଦଳଙ୍କୁ ମୁଁ ନିବେଦନ କରୁଛି, ଉତ୍ତମ ପରିବେଶରେ ଆଲୋଚନା ପାଇଁ ଆଗେଇ ଆସନ୍ତୁ।

ଖଡ଼ଗେ ଉତ୍ତରରେ ଲେଖିଛନ୍ତି, ସରକାରଙ୍କ ମନୋଭାବ ଶାହଙ୍କ ଚିଠିଠାରୁ ଅଲଗା। ସେମାନଙ୍କର ଏହି ମନୋଭାବ ନୂଆ ନୁହେଁ, ପୂର୍ବ ଅଧିବେଶନଗୁଡ଼ିକରେ ଆମେ ତାହାର ନଜିର ଦେଖିଛୁ। ଅତୀତରେ ତିଳକୁ ତାଳ କରି ବିରୋଧୀ ସଦସ୍ୟଙ୍କୁ ପୂରା ଅଧିବେଶନରୁ ନିଲମ୍ବିତ କରାଯାଇଛି। ବିରୋଧୀଙ୍କୁ ଆଲୋଚନା ପାଇଁ ସବୁଦିନ ନୋଟିସ ଦିଆଯାଉଛି କିନ୍ତୁ ଆଲୋଚନା ବେଳେ ବାଧା ଦିଆଯାଉଛି। କୌଣସି ବିରୋଧୀ ସଦସ୍ୟ କହିବା ପାଇଁ ଠିଆହେଲେ ବାଚସ୍ପତି ଅନୁମତି ଦେଉନାହାନ୍ତି। ତଥାପି ଗୃହରେ ଆଲୋଚନା ହେବ ବୋଲି ବିରୋଧୀମାନେ ଆଶା ବାନ୍ଧିଛନ୍ତି। ଯଦି ଶାସକଦଳ ଚାହୁଛନ୍ତି ସଂସଦ ଠିକ୍‌ଭାବରେ ଚାଲୁ ତେବେ ସେମାନେ ବିରୋଧୀ ସଦସ୍ୟଙ୍କୁ କହିବାକୁ ସୁଯୋଗ ଦେବା ଉଚିତ ବୋଲି ଖଡ଼ଗେ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe