Image Courtesy of India Today
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିବା ସାଢ଼େ ୧୦ଟା ସମୟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ପିଲାଙ୍କ ପାଇଁ ପିଏମ୍ କେୟାର୍ସ ଯୋଜନାର ଲାଭ ବିତରଣ କରିବେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସେ ବୃତ୍ତି ଅର୍ଥ ହସ୍ତାନ୍ତର କରିବେ। ଏହି ଅବସରରେ ପିଲାଙ୍କ ପାଇଁ ପିଏମ୍ କେୟାର୍ସ ଯୋଜନାର ଏକ ଜମା ଖାତା ଏବଂ ଆୟୁଷ୍ମାନ ଭାରତ - ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଏକ ହେଲ୍ଥକାର୍ଡ ପିଲାମାନଙ୍କୁ ହସ୍ତାନ୍ତର କରାଯିବ।
୧୧ ମାର୍ଚ୍ଚ ୨୦୨୦ରୁ ୨୮ ଫେବ୍ରୁଆରି ୨୦୨୨ ମଧ୍ୟରେ କୋଭିଡ୍-୧୯ ମହାମାରୀ କାରଣରୁ ଉଭୟ ମାତାପିତା, କିମ୍ବା ଆଇନଗତ ଅଭିଭାବକ କିମ୍ବା ପୋଷ୍ୟ ମାତାପିତା କିମ୍ବା ଜୀବିତ ଅଭିଭାବକଙ୍କୁ ହରାଇଥିବା ଅନାଥ ପିଲାମାନଙ୍କୁ ସହାୟତା ଯୋଗାଇଦେବା ଲାଗି ୨୯ ମେ ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶିଶୁଙ୍କ ପାଇଁ ପିଏମ୍ କେୟାର୍ସ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ଆବଶ୍ୟକ ଯତ୍ନ ଏବଂ ସୁରକ୍ଷା ଯୋଗାଇ ଦେବା। ସେମାନଙ୍କୁ ଆବାସିକ ସୁବିଧା ଦେବା, ଶିକ୍ଷା ଓ ବୃତ୍ତି ଜରିଆରେ ସେମାନଙ୍କୁ ସଶକ୍ତ କରିବା, ୨୩ ବର୍ଷ ବୟସରେ ଉପନୀତ ହେବା ପରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ଏବଂ ସ୍ବାସ୍ଥ୍ୟ ବୀମା ଜରିଆରେ ସେମାନଙ୍କର କଲ୍ୟାଣକୁ ସୁନିଶ୍ଚିତ କରିବା ଲାଗି ଯୋଜନାରେ ପରିକଳ୍ପନା କରାଯାଇଛି। ଯୋଜନାର ସୁବିଧା ପାଇବା ଲାଗି ଚାହୁଥିବା ପିଲାମାନଙ୍କ ପଞ୍ଜୀକରଣ ପାଇଁ pmcaresforchildren.in ନାମକ ଏକ ପୋର୍ଟାଲ ପୂର୍ବରୁ ଖୋଲାଯାଇସାରିଛି। ଏହି ପୋର୍ଟାଲରେ ଏକ ସିଙ୍ଗଲ ୱିଣ୍ଡୋ ପ୍ରଣାଳୀ ରହିଛି, ଯେଉଁଥିରେ ମଞ୍ଜୁରି ପ୍ରକ୍ରିୟା ସହିତ ପିଲାମାନଙ୍କୁ ଅନ୍ୟ ସବୁ ସହାୟତା ପାଇଁ ବ୍ୟବସ୍ଥା କରାଯାଇଛି।
Follow Us