ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ କଠୋର ହେଲା କେନ୍ଦ୍ର: ଧାର୍ଯ୍ୟ ସମୟରେ ଘର ନହେଲେ ଜରିମାନା

Advertisment
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ କଠୋର ହେଲା କେନ୍ଦ୍ର: ଧାର୍ଯ୍ୟ ସମୟରେ ଘର ନହେଲେ ଜରିମାନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ରାଜ୍ୟମାନଙ୍କୁ ମଞ୍ଜୁର କରାଯାଇଥିବା ଆବାସଗୁଡିକର ନିର୍ମାଣ କାର୍ଯ୍ୟକୁ ଧାର୍ଯ୍ୟ ସମୟରେ ଶେ‌‌‌ଷ କରିବାକୁ ରାଜ୍ୟମାନେ ବିଫଳ ହେଲେ ଏଣିକି ସେମାନଙ୍କୁ ଜରିମାନା ଦେବାକୁ ପଡିବ। ଏ ନେଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟଙ୍କୁ ଏକ ନିର୍ଦେଶନାମା ଜାରି କରିଛି। ଚଳିତମାସ ୧୩ ତାରିଖରେ ଏହି ଚିଠି ପ୍ରଦାନ କରାଯାଇଛି। ଏହି ଯୋଜନାର ଲକ୍ଷ୍ୟ ହାସଲ କରିବାରେ ଓଡିଶା ସମେତ ଆସାମ, ଛତିଶଗଡ, ବିହାର ଭଳି ରାଜ୍ୟ ପଛରେ ରହିଥିବା ପରିପ୍ରେକ୍ଷୀରେ କେନ୍ଦ୍ରର ଏଭଳି କଠୋର ଆଭିମୁଖ୍ୟ ଆଗକୁ ଅଡ଼ୁଆ ବଢ଼ାଇପାରେ।

ନିକଟରେ ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁସାରେ ଓଡିଶା ପାଇଁ ୨୦୧୬-୧୭ ରୁ ୨୦୨୨-୨୩ ମଧ୍ୟରେ ୨୬ ଲକ୍ଷ ୯୫ ହଜାର ୮୩୭ ଆବାସ ନିର୍ମାଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏଥିରୁ ରାଜ୍ୟକୁ ୧୮ ଲକ୍ଷ ୩୮ ହଜାର ୬୦୮ ଆବାସ ମଞ୍ଜୁରି ପ୍ରଦାନ କରାଯାଇଥିଲା। ଗତ ଜୁଲାଇ ୧୪ ସୁଦ୍ଧା ଓଡିଶାରେ ୧୬ ଲକ୍ଷ ୯୫ ହଜାର ୩୪୦ ଆବାସ ନିର୍ମାଣ ହୋଇଛି। ଏଭଳି ସ୍ଥିତିରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କର ସର୍କୁଲାରରେ ଆବାସ ନିର୍ମାଣ ବିଳମ୍ବରେ ଜରିମାନାର ମାତ୍ରା ସଂପର୍କରେ ଉଲ୍ଲେଖ କରାଯାଇଛି।

publive-image the New Indian Express

କେନ୍ଦ୍ର ସରକାର କହିଛନ୍ତି, ମଞ୍ଜୁରି ପରଠାରୁ ଆବାସ ଆବଣ୍ଟନ ଯଦି ଗୋଟିଏ ମାସରୁ ଅଧିକ ବିଳମ୍ବ ହୁଏ ତେବେ ରାଜ୍ୟ ସରକାରଙ୍କୁ ୧୦ ଟଙ୍କାର ଜରିମାନା ଦେବାକୁ ପଡିବ। ଏହାପରେ ପ୍ରତ୍ୟେକ ମାସର ବିଳମ୍ବ ପାଇଁ ପ୍ରତିମାସ ୨୦ ଟଙ୍କା ଆବାସ ନିର୍ମାଣ ବାବଦରେ ଜରିମାନା ଦେବାକୁ ହେବ। ଯଦି କୌଣସି ଆବାସ ପାଇଁ ରାଶି ମଞ୍ଜୁର ହୋଇଯାଇଛି ଏବଂ ପୈଠରେ ବିଳମ୍ବ ହେଉଛି ତାହାହେଲେ ପ୍ରତି ସପ୍ତାହରେ ୧୦ ଟଙ୍କା ହିସାବରେ ହିତାଧିକାରୀମାନଙ୍କୁ ପୈଠ କରିବାକୁ ପଡିବ। କେବଳ ସେତିକି ନୁହେଁ, ଯଦି ଆବାସ ନିର୍ମାଣ ପାଇଁ କେନ୍ଦ୍ରର ପାଣ୍ଠି ଉପଲବ୍ଧ ହେଉନାହିଁ ତାହାହେଲେ ରାଜ୍ୟମାନଙ୍କ ଉପରେ ଜରିମାନା ଧାର୍ଯ୍ୟ କରାଯିବ ନାହିଁ।

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଏପ୍ରିଲ ୨୦୧୬ରୁ ଆରମ୍ଭ କରିଥିଲେ। ଏହି ଯୋଜନାରେ ୨୦୨୨ ସୁଦ୍ଧା ୨.୯୫ କୋଟି ଆବାସ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ହୋଇଥିଲା। ହେଲେ କୋଭିଡ୍‌-୧୯ ଯୋଗୁଁ ନିର୍ଧାରିତ କରାଯାଇଥିବା ପୂର୍ବ ଡେଡ୍‌ଲାଇନକୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଥିଲା। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଦେଶରେ ଅଗଷ୍ଟ ୨୦୨୨ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଅର୍ନ୍ତଗତ ୨.୦୨ କୋଟି ଆବାସର ନିର୍ମାଣ ହୋଇଛି। ଆବାସ ନିର୍ମାଣର ଲକ୍ଷ୍ୟକୁ ହାସଲ କରିବା ପାଇଁ ଆଉ‌ କେବଳ ୧୯ ମାସ ରହିଥିବାରୁ କେନ୍ଦ୍ର ଗ୍ରାମୀଣ ମନ୍ତ୍ରାଳୟ ରାଜ୍ୟମାନଙ୍କୁ ଆବାସ ନିର୍ମାଣ ମାମଲାରେ ସକ୍ରିୟତା ପ୍ରର୍ଦଶନ ପାଇଁ ଅଣ୍ଟାଭିଡିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe