ନାଗରିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ: ଅଗଷ୍ଟ ୨ରୁ ୧୫ ଯାଏ ପ୍ରୋଫାଇଲ୍‌ ଛବିରେ ତ୍ରିରଙ୍ଗା ବ୍ୟବହାର କରନ୍ତୁ

Advertisment
ନାଗରିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ: ଅଗଷ୍ଟ ୨ରୁ ୧୫ ଯାଏ ପ୍ରୋଫାଇଲ୍‌ ଛବିରେ ତ୍ରିରଙ୍ଗା ବ୍ୟବହାର କରନ୍ତୁ

ନୂଆଦିଲ୍ଲୀ : ରବିବାର ୯୧ତମ ‘ମନ୍ କୀ ବାତ୍‌’ ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ ଅଗଷ୍ଟ ୨ରୁ ୧୫ ପର୍ଯ୍ୟନ୍ତ ନିଜର ସୋସିଆଲ ମିଡ଼ିଆ ପ୍ରୋଫାଇଲ ଛବିରେ ତ୍ରିରଙ୍ଗା ବ୍ୟବହାର କରିବାକୁ କହିଛନ୍ତି। ଏହାଛଡ଼ା ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଚାଲିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଅଗଷ୍ଟ ୨ ହେଉଛି ପିଙ୍ଗଲି ଭେଙ୍କୟାଙ୍କ ଜନ୍ମଦିନ, ଯିଏ ତ୍ରିରଙ୍ଗାର ଡିଜାଇନ କରିଥିଲେ। ତେଣୁ ଅଗଷ୍ଟ ୨ରୁ ସ୍ବାଧୀନତା ଦିବସ ପର୍ଯ୍ୟନ୍ତ ଆମର ଜାତୀୟ ପତାକାକୁ ‘ପ୍ରୋଫାଇଲ୍‌ ପିକ୍‌ଚର’ରେ ରଖିବାକୁ ସେ ଅନୁରୋଧ କରିଛନ୍ତି।

ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ଦେଶର ୭୫ତମ ସ୍ବାଧୀନତା ଦିବସକୁ ‘ଆଜାଦୀ କା ଅମୃତ ମହୋତ୍ସବ’ ରୂପେ ପାଳନ ନିମନ୍ତେ ପ୍ରତ୍ୟେକ ଦେଶବାସୀଙ୍କୁ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ଉତ୍ସାହିତ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିଠାରୁ ଆମେ ୭୫ ବର୍ଷର ସ୍ବାଧୀନତା ବିଷୟରେ ଆଲୋଚନା କରିବା। ଆରଥରକୁ ଆମେ ଯେତେବେଳେ ଭେଟାଭେଟି ହେବା ସେତେବେଳକୁ ପରବର୍ତ୍ତୀ ୨୫ ବର୍ଷ ପାଇଁ ଆମର ଯାତ୍ରା ଆରମ୍ଭ ହୋଇ ଯାଇଥିବ। ଆମେ ସମସ୍ତେ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବା ଏବଂ ପ୍ରିୟପରିଜନଙ୍କୁ ସେଥିରେ ସହଯୋଗ କରିବା। ଆପଣମାନେ ଯଦି କିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ନୂଆ ଢଙ୍ଗରେ ସ୍ବାଧୀନତା ଦିବସ ପାଳନ କରନ୍ତି ତେବେ ଦୟାକରି ମୋ ସହ ସେୟାର କରିବେ। ଆଗାମୀ ମାସରେ ଆମେ ଏ ବିଷୟରେ ଆଲୋଚନା କରିବା।

ଆଜାଦୀ କା ଅମୃତ ମହୋତ୍ସବ ଅଭିଯାନ ଗତ ମାର୍ଚ୍ଚ ୧୨, ୨୦୨୧ରେ ଆରମ୍ଭ ହୋଇଥିଲା। ସେହିଦିନଠାରୁ ୭୫ତମ ସ୍ବାଧୀନତା ଦିବସ ପର୍ଯ୍ୟନ୍ତ ୭୫ ସପ୍ତାହର କାଉଣ୍ଟଡାଉନ୍ ଆରମ୍ଭ ହୋଇଥିଲା। ଏହା ଆସନ୍ତା ୨୦୨୩ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଆହୁରି ବର୍ଷଟିଏ ଚାଲିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe