ରାଣୀଙ୍କ କୁକୁରମାନଙ୍କର ଦାୟିତ୍ବ ନେବେ ରାଜକୁମାର ଆଣ୍ଡ୍ରିଉ ଓ ସାରା ଫର୍ଗୁସନ୍‌

ଚିନ୍ମୟ ଚେତନା/ ଶ୍ବାନ ସମାଚାର

Image Courtesy of Bilyonaryo

ଲଣ୍ଡନ୍‌: ଦିବଂଗତା ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ତୃତୀୟ ପୁତ୍ର ରାଜକୁମାର ଆଣ୍ଡ୍ରିଉ ଓ ତାଙ୍କର ପୂର୍ବତନ ପତ୍ନୀ ସାରା ଫର୍ଗୁସନ୍‌ ରାଣୀଙ୍କର କୋର୍ଗି କୁକୁରମାନଙ୍କର ଦେଖାରଖା କରିବେ ବୋଲି ସୁନିଶ୍ଚିତ ହୋଇଛି।

‘ଡ୍ୟୁକ୍‌ ଅଫ୍‌ ୟର୍କ’ ଆଣ୍ଡ୍ରିଉଙ୍କର ଜଣେ ମୁଖପାତ୍ର କହିଛନ୍ତି, ଆଣ୍ଡ୍ରିଉ ଓ ‘ଡଚେସ୍‌ ଅଫ୍‌ ୟର୍କ’ର ସାରା ‘ମିକ୍‌’ ଓ ‘ସାଣ୍ଡି’ ନାମକ ଦୁଇଟି କୁକୁରଙ୍କର ଦାୟିତ୍ବ ଗ୍ରହଣ କରିବେ।

୨୦୨୧ରେ ଲକ୍‌ଡାଉନ୍‌ ସମୟରେ ରାଜକୁମାର ଆଣ୍ଡ୍ରିଉ ମା ଏଲିଜାବେଥ୍‌ଙ୍କୁ ‘ମିକ୍‌’ ନାମ‌କ ‘କୋର୍ଗି’ ଏବଂ ‘ଫର୍ଗସ୍‌’ ନାମକ ‘ଡୋଗ୍ରି’ କୁକୁର ଉପହାର ଦେଇଥିଲେ। ଆଣ୍ଡ୍ରିଉଙ୍କ ପିତା ଯୁବରାଜ ଫିଲିପ୍‌ଙ୍କର ମୃତ୍ୟୁ ପରେ ୨୦୨୧ ମେରେ ‘ଫର୍ଗସ୍‌’ର ମୃତ୍ୟୁ ଘଟିଥିଲା। ତା’ ସ୍ଥାନରେ ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ୯୫ତମ ଜନ୍ମଦିନରେ ରାଜକୁମାରୀ ବିୟଟ୍ରିସ୍‌ ଏବଂ ୟୁଜିନି ‘ସାଣ୍ଡି’ ନାମକ ‘କୋର୍ଗି’ କୁକୁର ଉପହାର ଦେଇଥିଲେ।

publive-image Image Courtesy of NDTV

ରାଣୀଙ୍କ ବେଶକାରିଣୀ (ଡ୍ରେସର୍‌) ଆଞ୍ଜେଲା କେଲି ସେତେବେଳେ କହିଥିଲେ, ମୋର ଭୟ ହେଉଛି ଏଇ ଛୋଟ କୁକୁର ଦୁଇଟି ରାଣୀଙ୍କ ପାଦ ତଳେ ଚାପି ହୋଇଯିବେ। କିନ୍ତୁ, ସେପରି ହେଲାନାହିଁ। ସେମାନେ ଥିଲେ ଖୁବ୍‌ ସୁନ୍ଦୁରିଆ ଓ କୌତୁକିଆ। ରାଣୀ ସେମାନଙ୍କୁ ନେଇ ନିଜ ଉଦ୍ୟାନରେ ଦୀର୍ଘ ସମୟ ବୁଲାବୁଲି କରନ୍ତି।

ଜୀବନବ୍ୟାପୀ ରାଣୀ ‘କୋର୍ଗି’ କୁକୁରମାନଙ୍କୁ ଶ୍ରଦ୍ଧା କରୁଥିଲେ। ସେ କୁଆଡ଼େ କହୁଥିଲେ, ମୋ ‘କୋର୍ଗି’ମାନେ ହେଉଛନ୍ତି ପରିବାର।

ଏହି ବାଙ୍ଗରା ଏବଂ ଟିକି ଟିକି କୁକୁରପଲକୁ ଯୁବରାଣୀ ଡାଏନା ‘ଚଳମାନ ଗାଲିଚା’ ବୋଲି କହୁଥିଲେ। ସେମାନଙ୍କ ପାଇଁ ଥିଲା ସ୍ବତନ୍ତ୍ର ‘କୋର୍ଗି ରୁମ୍‌’ ଗଦି ପଡ଼ିଥିବା ଝୁଡ଼ିରେ ସେମାନେ ଶୋଉଥିଲେ। ମୁଖ୍ୟ ପାଚକ ସେମାନଙ୍କୁ ‌ଠେକୁଆ ଓ ଗୋରୁ ମାଂସ ଖାଇବାକୁ ଦେଉଥିଲେ।

ରାଣୀଙ୍କର କୁକୁରମାନଙ୍କ ମଧ୍ୟରୁ କେତେ ଜଣଙ୍କ ନାଁ ହେଲା, ୱିସ୍କି, ଶେରି, ସୁଗାର୍‌, ମିଥ୍‌, ମିଣ୍ଟ୍‌, ବଜ୍‌, ବ୍ରସ୍‌, ଜିଓର୍ଡି, ସ୍ମୋକି, ଡ୍ୟାସ୍‌, ଡାଇମ୍‌, ଡିସ୍କୋ ଏବଂ ଡିପ୍ପର୍‌।

ସୂଚନାଯୋଗ୍ୟ, ୬୨ ବର୍ଷିୟ ଆଣ୍ଡ୍ରିଉ ହେଉଛନ୍ତି ରାଣୀ ଏଲିଜାବେଥ୍‌ ଓ ପ୍ରିନ୍‌ସ୍‌ ଫିଲିପ୍‌ଙ୍କର ୩ୟ ସନ୍ତାନ। ୨୦୨୦ରେ ଏକ ଯୌନଉତ୍ପୀଡ଼ନ ଅଭିଯୋଗରେ ସେ ରାଜକୀୟ କର୍ତ୍ତବ୍ୟରୁ ଓହରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe