ପ୍ରକୃତ ଭାରତୀୟ କିଏ ତାହା ସୁପ୍ରିମକୋର୍ଟ ସ୍ଥିର କରିପାରିବେ ନାହିଁ: ପ୍ରିୟଙ୍କା ଗାନ୍ଧୀ

ସୁପ୍ରିମକୋର୍ଟଙ୍କ ମନ୍ତବ୍ୟର ଜବାବ ଦେଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ, ଯେଉଁଥିରେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜଣେ ପ୍ରକୃତ ଭାରତୀୟ ହେବାକୁ ପରାମର୍ଶ ଦେଇଥିଲେ।

New Project

ନୂଆଦିଲ୍ଲୀ: "ପ୍ରକୃତ ଭାରତୀୟ କେବେ ବି ଏଭଳି ମନ୍ତବ୍ୟ ଦେବ ନାହିଁ।" ଶୁଣାଣି ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏଭଳି କହିଥିଲେ ସୁପ୍ରିମକୋର୍ଟ। 'ଭାରତ ଯୋଡୋ ଯାତ୍ରା' ସମୟରେ ରାହୁଲ କରିଥିବା ଦାବିକୁ ନେଇ ସୁପ୍ରିମକୋର୍ଟ ତାଙ୍କ ଉପରେ ବର୍ଷିଥିଲେ। ଏବେ ସୁପ୍ରିମକୋର୍ଟଙ୍କ ଏଭଳି ମନ୍ତବ୍ୟକୁ ନେଇ ତାଙ୍କ ଭଉଣୀ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତିକ୍ରିୟା ଆସିଛି। କୋର୍ଟ ପ୍ରକୃତ ଭାରତୀୟ କିଏ ତାହାର ନିର୍ଣ୍ଣୟ କରିପାରିବେ ନାହିଁ ବୋଲି ସେ କହିଛନ୍ତି।

କୋର୍ଟଙ୍କ ମନ୍ତବ୍ୟକୁ ବିରୋଧ କରି ସେ କହିଛନ୍ତି ଯେ, 'ମାନ୍ୟବର ବିଚାରପତିମାନଙ୍କ ପ୍ରତି ପୂର୍ଣ୍ଣ ସମ୍ମାନ ସହିତ ମୁଁ କହିବାକୁ ଚାହୁଁଛି ଯେ ସେମାନେ ପ୍ରକୃତ ଭାରତୀୟ କିଏ ତାହାର ନିର୍ଣ୍ଣୟ କରିପାରିବେ ନାହିଁ। ସରକାରଙ୍କୁ ପ୍ରଶ୍ନ କରିବା ବିରୋଧୀ ନେତାଙ୍କ କର୍ତ୍ତବ୍ୟ। ମୋ ଭାଇ କେବେ ସେନା ବିରୋଧରେ କହିବେ ନାହିଁ। ତାଙ୍କ ମନରେ ସେମାନଙ୍କ ପ୍ରତି ବହୁତ ସମ୍ମାନ ଅଛି। ଏହାକୁ ଭୁଲ ବ୍ୟାଖ୍ୟା କରାଯାଇଛି।'

ଉଲ୍ଲେଖଯୋଗ୍ୟ, ସୋମବାର ସୁପ୍ରିମକୋର୍ଟ ସେନା ଉପରେ ରାହୁଲ ଗାନ୍ଧୀଙ୍କ ବୟାନ ମାମଲାର ଶୁଣାଣି କରିଥିଲେ। ନିମ୍ନ ଅଦାଲତ ଏହି ମାମଲାରେ ସମନ ଜାରି କରିଥିଲେ। ଏହା ସହିତ ଅନ୍ୟ ମାମଲା ମଧ୍ୟ ବିଚାରାଧୀନ ଥିଲା, ଯାହା ପାଇଁ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ।

ଏହି ଆବେଦନର ଶୁଣାଣି କରି କୋର୍ଟ ରାହୁଲ ଗାନ୍ଧୀଙ୍କୁ ବହୁତ କଠୋର ସ୍ୱରରେ ପ୍ରଶ୍ନ କରିଥିଲେ, ଯେଉଁଥିରେ ତାଙ୍କୁ ପଚରାଯାଇଥିଲା ଯେ, ଆପଣ କିପରି ଜାଣିଲେ ଯେ ଚୀନ ଭାରତର ଭୂମି ଦଖଲ କରିଛି। ଆପଣ କୌଣସି ପ୍ରମାଣ ବିନା ଏପରି ବୟାନ କାହିଁକି ଦେଲେ? ଆପଣ ଜଣେ ପ୍ରକୃତ ଭାରତୀୟ ହୋଇଥିଲେ ଏପରି କଥା କହିନଥାନ୍ତେ। କୋର୍ଟ ରାହୁଲଙ୍କୁ ସଂସଦରେ ଏପରି ପ୍ରସଙ୍ଗ ଉଠାଇବାକୁ କହିବା ସହ ପଚାରିଥିଲେ ଯେ, ଆପଣ ସୋସିଆଲ ମିଡିଆରେ ଏସବୁ କାହିଁକି ଲେଖନ୍ତି?

'ଭାରତ ଯୋଡୋ ଯାତ୍ରା' ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ, "ମୁଁ ଭାବୁଛି ଚୀନ୍ ସହିତ ମୁକାବିଲା କରିବାର ଏକମାତ୍ର ଉପାୟ ହେଉଛି ସେମାନଙ୍କ ସହିତ ଦୃଢ଼ତାର ସହିତ ମୁକାବିଲା କରିବା। ସରକାର ଏହା ସ୍ପଷ୍ଟ ଭାବରେ କହିବା ଉଚିତ୍ ଯେ, ଚୀନ୍ ଆମ ଭୂମିରେ ବସିଛି। ଭାରତର ପ୍ରଧାନମନ୍ତ୍ରୀ ଦେଶର ଏକମାତ୍ର ବ୍ୟକ୍ତି ଯିଏ ଏହି ଧାରଣାରେ ଅଛନ୍ତି ଯେ, ଚୀନ୍ ଭାରତର କୌଣସି ଭୂମି ଦଖଲ କରିନାହିଁ। ମୁଁ ନିକଟରେ କିଛି ପୂର୍ବତନ ସୈନିକଙ୍କୁ ଓ ଲଦାଖର ଏକ ପ୍ରତିନିଧିମଣ୍ଡଳୀକୁ ଭେଟିଥିଲି, ଯେଉଁମାନେ ସ୍ପଷ୍ଟ ଭାବରେ କହିଥିଲେ ଯେ ଆମର ଭାରତୀୟ କ୍ଷେତ୍ରର ୨୦୦୦ କିଲୋମିଟର ଚୀନ୍ ଦ୍ୱାରା ଦଖଲ କରାଯାଇଛି।" 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe