ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ପ୍ରତିଷ୍ଠାତା ଅରବିନ୍ଦ କେଜ୍ରିଓ୍ଵାଲ୍ଙ୍କ ଅଡ଼ୁଆ ଏବେ ବଢ଼ିଯାଇଛି। କେଜ୍ରିଓ୍ଵାଲ୍ ଅକାଳି ଦଳର ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂହ ମାଜିଥିଆଙ୍କ ବିରୋଧରେ ଡ୍ରଗ୍ କାରବାରରେ ସମ୍ପୃକ୍ତି ନେଇ କରିଥିବା ଅଭିଯୋଗ ପାଇଁ ତାଙ୍କୁ ଗତକାଲି କ୍ଷମା ମାଗିବାପରେ ଆଜି ଆପ୍ର ଦୁଇଜଣ ବରିଷ୍ଠ ନେତା ଏଥିରେ ଅସନ୍ତୋଷ ପ୍ରକାଶ କରି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆପ୍ ପଞ୍ଜାବ ମୁଖ୍ୟ ଭଗଓ୍ଵନ୍ତ ମାନ୍ ଏବଂ ଉପସଭାପତି ଅମନ୍ ଆରୋରା ସେମାନଙ୍କ ପଦରୁ ଇସ୍ତଫା ଦେଇଥିବା ବେଳେ ଦିଲ୍ଲୀ ଶାଖାରେ ମଧ୍ୟ ବିଦ୍ରୋହର ସ୍ୱର ଉଠିଛି। ଇସ୍ତଫା ଦେବାପରେ ମାନ୍ କହିଛନ୍ତି ଯେ ଆପ୍ ପଞ୍ଜାବ ସଭାପତି ପଦରୁ ଇସ୍ତଫା ଦେଉଛି, କିନ୍ତୁ ଡ୍ରଗ୍ ମାଫିଆ ଏବଂ ଦୁର୍ନୀତିଗ୍ରସ୍ତ ବିରୋଧରେ ମୋର ଲଢ଼େଇ ଜାରି ରହିବ। ଅନ୍ୟପକ୍ଷରେ କେଜ୍ରିଓ୍ଵାଲ୍ଙ୍କ କ୍ଷମା ପ୍ରାର୍ଥନା ପ୍ରସଙ୍ଗରେ ତାଙ୍କୁ ନିଜ ଦଳର ନେତାମାନେ ମଧ୍ୟ ଘେରିଛନ୍ତି। ଆପ୍୍ ନେତା କୁମାର ବିଶ୍ୱାସ କହିଛନ୍ତି ଯେ କେଜ୍ରିଓ୍ଵାଲ ପକାଇଥିବା ଛେପ ଢୋକିଛନ୍ତି। ପଞ୍ଜାବ ଆପ୍ ୟୁନିଟ୍ର ନେତାମାନେ କେଜ୍ରିଓ୍ଵାଲ୍ଙ୍କର ଏଭଳି ନିଷ୍ପତ୍ତିକୁ ତାଙ୍କର ଆତ୍ମସମର୍ପଣ ଭାବେ ବର୍ଣ୍ଣନା କରିବା ସହ ପ୍ରବଳ ଅସନ୍ତୋଷ ଜାହିର କରିଛନ୍ତି। ଉଲ୍ଲେଖଯୋଗ୍ୟ କେଜ୍ରିଓ୍ଵାଲ ଅଭିଯୋଗ ଆଣିଥିଲେ ଯେ ରାଜ୍ୟ ସରକାରର ପୂର୍ବତନ ମନ୍ତ୍ରୀ ମାଜିଥିଆ ବେଆଇନ ନିଶାଦ୍ରବ୍ୟ କାରବାରରେ ସମ୍ପୃକ୍ତ। ଗତବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ଆପ୍ ଏହାକୁ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରି ଭୋଟ୍ ହାତେଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଏବେ ଦଳର ଜାତୀୟ ଆବାହକ କେଜ୍ରିଓ୍ଵାଲ୍ ମାଜିଥିଆଙ୍କୁ କ୍ଷମା ମାଗି ଏକ ଚିଠି ଲେଖିଛନ୍ତି। ସେଥିରେ ସେ ତାଙ୍କ ବିରୋଧରେ ଗତବର୍ଷ ଆଣିଥିବା ଅଭିଯୋଗ ଭିତ୍ତିହୀନ ବୋଲି ଦର୍ଶାଇ ତାଙ୍କର ବକ୍ତବ୍ୟ ଫେରାଇନେଉଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏହି ମାମଲା ଆଗକୁ ନ ବଢ଼ାଇବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି। କେଜ୍ରିଓ୍ଵାଲ୍ଙ୍କ କ୍ଷମାପ୍ରାର୍ଥନାକୁ ତା’ର ସହଯୋଗୀ ଦଳ ଏଲଆଇପି (ଲୋକ ଇନସାଫ ପାର୍ଟି) ମଧ୍ୟ ସମାଲୋଚନା କରିଛି। ଆପ୍ ସହ ପଞ୍ଜାବରେ ଏହାର ମେଣ୍ଟ ଭାଙ୍ଗିବ ବୋଲି ଏଲଆଇପି ନେତା ତଥା ବିଧାୟକ ସିମରଜିତ ସିଂହ ବେନ୍ସ ଆଜି ଘୋଷଣା କରିଛନ୍ତି। କେଜ୍ରିଓ୍ଵାଲଙ୍କ କାର୍ଯ୍ୟ ଅତ୍ୟନ୍ତ ଅପରିଣାମଦର୍ଶୀ ଏବଂ ଦାୟିତ୍ୱହୀନ ରାଜନୀତିର ପରିଚାୟକ ବୋଲି ସେ କହିଛନ୍ତି।
ଆପ୍ରେ ଝଡ଼, ଇସ୍ତଫାର ସୁଅ
Advertisment
Follow Us