ଆଇଟି ଶିଳ୍ପରେ ମାନ୍ଦାବସ୍ଥା ମାଡ଼, ଏ ବର୍ଷ ୪୦ ହଜାର ଛଟେଇ ଆଶଙ୍କା

Advertisment
ଆଇଟି ଶିଳ୍ପରେ ମାନ୍ଦାବସ୍ଥା ମାଡ଼, ଏ ବର୍ଷ ୪୦ ହଜାର ଛଟେଇ ଆଶଙ୍କା

ନୂଆଦିଲ୍ଲୀ: ଭାରତରେ ଶିକ୍ଷିତ ଯୁବବର୍ଗଙ୍କ ପାଇଁ ଏକଦା ନିଯୁକ୍ତିର ପ୍ରମୁଖ ମାଧ୍ୟମ ପାଲଟିଥିବା ସୂଚନା ପ୍ରଯୁକ୍ତି ବା ଆଇଟି ଶିଳ୍ପ ଆଉ ସୁରକ୍ଷିତ ନୁହେଁ। ଦେଶରେ ଦେଖାଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥା ପ୍ରଭାବରୁ ଏହି କମ୍ପାନି ଗୁଡ଼ିକ ବର୍ତ୍ତି ପାରିନାହାନ୍ତି। ବ୍ୟବସାୟ ହ୍ରାସ ପାଉଥିବା ‌କାରଣରୁ ଦେଶର ଆଇଟି କମ୍ପାନି ଗୁଡ଼ିକ ଚଳିତବର୍ଷ ୩୦ ହଜାରରୁ ୪୦ ହଜାର କର୍ମଚାରୀ ଛଟେଇ କରିପାରନ୍ତି। ଏସବୁ କର୍ମଚାରୀ କମ୍ପାନିର ମଧ୍ୟମ ବର୍ଗରେ ମୋଟା ବେତନରେ କାର୍ଯ୍ୟରତ ଅଛନ୍ତି। ଏହି ଆକଳନ କରିଛନ୍ତି ଦେଶର ପ୍ରମୁଖ ଆଇଟି କମ୍ପାନି ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟ ଆର୍ଥିକ ଅଧିକାରୀ ଟି ଭି ମୋହନଦାସ ପାଇ। ତେବେ ଆଇଟି ଶିଳ୍ପ ପାଇଁ ଏହା ଏକ ସ୍ବାଭାବିକ ପ୍ରକ୍ରିୟା। ଭାରତର ଆଇଟି ଶିଳ୍ପରେ ପରିପକ୍ବତା ଆସୁଥିବାରୁ ୫ ବର୍ଷରେ ଥରେ ଏଭଳି ଛଟେଇ ହେବ ବୋଲି ସେ ମତ ଦେଇଛନ୍ତି। ସେ କହିଛନ୍ତି ଯେ ବିଦେଶରେ ପରିପକ୍ବତା ଆସିବା ପରେ ସବୁ ପ୍ରକାର ଶିଳ୍ପରେ ଛଟେଇ ହୋଇଥାଏ। ସେହିଭଳି ଭାରତରେ ମଧ୍ୟ ଆଇଟି ଶିଳ୍ପରେ ଏଭଳି ଘଟଣା ଦେଖିବାକୁ ମିଳିବ। କମ୍ପାନି ଯେତେ ପୁରଣା ହେବ ସେଥିରେ ନିଯୁକ୍ତ ଥିବା କର୍ମଚାରୀମାନେ ସେତିକି ପୁରୁଣା ହେବେ। ତେଣୁ ମଧ୍ୟମ ବର୍ଗର କର୍ମଚାରୀମାନେ ଯେଉଁ ହାରରେ ବେତନ ପାଇଥାନ୍ତି ତଦନୁପାତିକ ଯୋଗଦାନ ସେମାନଙ୍କର କମ୍ପାନି ପ୍ରତି ରହି ନଥାଏ। କମ୍ପାନିର ବ୍ୟବସାୟ ଯେତେବେଳେ ବଢ଼ୁଥାଏ ସେତେବେଳେ କର୍ମଚାରୀମାନଙ୍କୁ ପଦୋନ୍ନତି ମିଳିଥାଏ। ପ‌ଦୋନ୍ନତି ମିଳିବା ବି ସ୍ବାଭାବିକ। କିନ୍ତୁ ଯେତେବେଳେ କମ୍ପାନିର ବ୍ୟବସାୟ ମନ୍ଥର ‌ହୁଏ କିନ୍ତୁ କର୍ମଚାରୀମାନେ ମୋଟା ଅଙ୍କର ବେତନ ପାଉଥାଆନ୍ତି ସେତେବେଳେ ସମୟକୁ ସମୟ କର୍ମଚାରୀମାନଙ୍କୁ ଛଟେଇ କରିବାର ଆବଶ୍ୟକତା ପଡ଼ିଥାଏ। ଏହା ବାରମ୍ବାର ହୋଇଥାଏ ଏବଂ ପ୍ରତି ୫ ବର୍ଷରେ ହୋଇଥାଏ ବୋଲି ଶ୍ରୀ ପାଇ କହିଛନ୍ତି।

publive-image

କୌଣସି ବ୍ୟକ୍ତି ବିନା ଯୋଗଦାନରେ ଉଚ୍ଚ ବେତନଧାରୀ ପଦରେ ରହିପାରିବେ ନାହିଁ। ତେଣୁ ଏହି କର୍ମଚାରୀମାନଙ୍କୁ ସେମାନଙ୍କ ଯୋଗଦାନ ଦେବାକୁ ପଡ଼ିବ। ତେବେ କମ୍ପାନିର ମଧ୍ୟମ ବର୍ଗରେ କେତେ କର୍ମଚାରୀଙ୍କୁ ଛଟେଇର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ପ୍ରଶ୍ନରେ ଶ୍ରୀ ପାଇ କହିଛନ୍ତି ବର୍ଷକ ମଧ୍ୟରେ ପ୍ରାୟ ୩୦ ହଜାରରୁ ୪୦ ହଜାର। କିନ୍ତୁ ନିଯୁକ୍ତି ହରାଉଥିବା କର୍ମଚାରୀମାନଙ୍କର ଯଦି କୌଣସି ଗୋଟିଏ ବିଷୟରେ ସ୍ବତନ୍ତ୍ର ଦକ୍ଷତା ଥିବ ତା’ହେଲେ ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ କର୍ମଚାରୀ ପୁନଃ ନିଯୁକ୍ତି ପାଇଯାଇ ପାରିବେ ବୋଲି ଶ୍ରୀ ପାଇ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରୀ ପାଇ ଏବେ ଆରିନ୍ କ୍ୟାପିଟାଲ ଏବଂ ମଣିପାଲ ଗ୍ଲୋବାଲ ଏଜୁକେସନ ସର୍ଭିସେସ୍‌ର ଅଧ୍ୟକ୍ଷ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe