ପଞ୍ଜାବ କଂଗ୍ରେସରେ ଫାଟ ମେଲୁଛି, ଏକଘରିଆ ହେଉଛନ୍ତି ଅମରିନ୍ଦର

Advertisment

ଅମୃତସରରେ ସିଦ୍ଧୁଙ୍କ ଶକ୍ତି ପ୍ରଦର୍ଶନ, ୬୨ କଂଗ୍ରେସ ବିଧାୟକଙ୍କୁ ଭେଟିଲେ

ଅମୃତସରରେ ସିଦ୍ଧୁଙ୍କ ଶକ୍ତି ପ୍ରଦର୍ଶନ, ୬୨ କଂଗ୍ରେସ ବିଧାୟକଙ୍କୁ ଭେଟିଲେ

ପଞ୍ଜାବ କଂଗ୍ରେସରେ ଫାଟ ମେଲୁଛି, ଏକଘରିଆ ହେଉଛନ୍ତି ଅମରିନ୍ଦର

ଅମୃତସର(ପଞ୍ଜାବ): ପଞ୍ଜାବରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ଫାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ଭାବେ ନିଯୁକ୍ତି ପାଇବାର ତିନି ଦିନ ପରେ ସିଦ୍ଧୁ ଅମୃତସର ସ୍ଥିତ ନିଜ ବାସଭବନରେ ବୁଧବାର ୬୨ ଜଣ ଦଳୀୟ ବିଧାୟକଙ୍କୁ ଏକ ବୈଠକରେ ସମବେତ କରାଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ନିଜ ସମର୍ଥରେ ଏହି ବିଧାୟକମାନେ ଅଛନ୍ତି ବୋଲି ଦର୍ଶାଇ ସିଦ୍ଧୁ ସେମାନଙ୍କୁ ସ୍ବର୍ଣ୍ଣମନ୍ଦିର ପରିକ୍ରମା କରାଇଛନ୍ତି। ରାଜ୍ୟ କଂଗ୍ରେସର ଦାୟିତ୍ବ ମୁଣ୍ଡାଇବା ଆଗରୁ ସିଦ୍ଧୁ ସମସ୍ତ ୭୭ ଜଣ ଦଳୀୟ ବିଧାୟକଙ୍କୁ ନିମନ୍ତ୍ରଣ କରିଥିବା ବେଳେ ତାଙ୍କ ଆହ୍ବାନକୁ ୧୨ ଜଣ ବିଧାୟକ ସମ୍ମାନ ଜଣାଇ ନାହାନ୍ତି। ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଏଭଳି ଫାଟରୁ ବିରୋଧୀ ବିଜେପିକୁ ସମାଲୋଚନା କରିବାକୁ ବାଟ ମିଳିଯାଇଛି।

ଆସନ୍ତାକାଲି ସିଦ୍ଧୁ ରାଜ୍ୟ କଂଗ୍ରେସ ମୁଖ୍ୟ ଭାବେ ଦାୟିତ୍ବ ନେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅମରିନ୍ଦର ଯୋଗଦେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଆଜି ସିଦ୍ଧୁଙ୍କ ସଂଖ୍ୟାଖେଳକୁ ଉଲ୍ଲେଖ କରି ବିଜେପି ଜାତୀୟ ମୁଖପାତ୍ର ଆର୍ ପି ସିଂହ ଟ୍ବିଟ୍‌ କରି ରହିଛନ୍ତି,’ ଖେଳ ଚାଲୁ ରହିଛି। ଏବେ ସିଦ୍ଧୁଙ୍କ ପକ୍ଷରେ ୬୨, ଆଉ ଅମରିନ୍ଦରଙ୍କର ୧୫।' ମୁଖ୍ୟମନ୍ତ୍ରୀ ଅମରିନ୍ଦର ଏ ପ୍ରସଙ୍ଗରେ ନିରବ ରହିଥିବା ବେଳେ ସିଦ୍ଧୁ ତାଙ୍କ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପସନ୍ଦ କରିଛନ୍ତି। ଅପରପକ୍ଷେ, ଅତୀତରେ ଅମରିନ୍ଦରଙ୍କ ପ୍ରତି ସିଦ୍ଧୁ ଯେପରି ଅପମାନସୂଚକ ଟିପ୍ପଣୀ କରିଥିଲେ, ସେଥିପାଇଁ ସେ କ୍ଷମା ନମାଗିଲା ଯାଏ ଅମରିନ୍ଦର ତାଙ୍କୁ ସାକ୍ଷାତ କରିବେନି ବୋଲି ମଙ୍ଗଳବାର ଅମରିନ୍ଦରଙ୍କ ଗଣମାଧ୍ୟମ ପରାମର୍ଶଦାତା ରବୀଣ ଥୁକ୍ରାଲ କହିଛନ୍ତି। ସେହିପରି ଅମରିନ୍ଦର ଓ ସିଦ୍ଧୁଙ୍କ ଭିତରେ ଜାରି ରହିଥିବା ବିବାଦ ନ ତୁଟିଲା ଯାଏ ସିଦ୍ଧୁଙ୍କୁ ଭେଟିବାର ପ୍ରଶ୍ନ ଉଠୁନାହିଁ ବୋଲି ବରିଷ୍ଠ କ୍ୟାବିନେଟ୍‌ ମନ୍ତ୍ରୀ ବ୍ରହ୍ମ ମହୀନ୍ଦ୍ର କହିଛନ୍ତି।

ସୂଚନା ଥାଉ କି, ଦୀର୍ଘ ମାସ ମାସ ଧରି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହଙ୍କ ସହ ସିଦ୍ଧୁଙ୍କର ମତାନ୍ତର ଲାଗି ରହିବା ପରେ ଗତ ରବିବାର କଂଗ୍ରେସ ହାଇ କମାଣ୍ଡ ଉଭୟ ନବଜୋତ ସିଂହ ସିଦ୍ଧୁ ଓ ଅମରିନ୍ଦର ସିଂହଙ୍କ ଗୋଷ୍ଠୀ ମଧ୍ୟରେ ଏକ ତାଳିପକା କାମ କରାଇଛନ୍ତି। ସିଦ୍ଧୁଙ୍କୁ ପିସିସି ମୁଖ୍ୟ କରିବା ସହ ରାଜ୍ୟ ପାଇଁ ୪ ଜଣ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଛନ୍ତି। ତେବେ ଏହି କାର୍ଯ୍ୟକାରୀ କମିଟିରେ ଅମରିନ୍ଦରଙ୍କର ମଧ୍ୟ କୌଣସି ପାଖଲୋକ ନଥିବାରୁ ସେ କ୍ଷୁବ୍‌ଧ ଅଛନ୍ତି। ଏପରି ଘଟଣାକୁ ମୁଖ୍ୟମନ୍ତ୍ରୀ ଘୋର ବିରୋଧ କରୁଥିଲେ ହେଁ ଆଗକୁ ରାଜ୍ୟ ବିଧାନସଭା ନିର୍ବାଚନ ଥିବା ପରିପ୍ରେକ୍ଷୀରେ ସେ ଦଳୀୟ ନେତୃତ୍ବଙ୍କ ନିଷ୍ପତ୍ତିକୁ ବାଧ୍ୟ ହୋଇ ଗ୍ରହଣ କରିନେଇଛନ୍ତି। ଦଳୀୟ କର୍ମୀ ଓ ନେତାମାନଙ୍କ ଭିତରେ ନିଜର ଗ୍ରହଣୀୟତାକୁ ପ୍ରମାଣ କରିବା ପାଇଁ ସିଦ୍ଧୁ ଆଜି ଅମୃତସର ଠାରେ ବିଧାୟକମାନଙ୍କୁ ନିମନ୍ତ୍ରଣ କରି ଭିନ୍ନ ବାର୍ତ୍ତା ଦେଇଥିବା ବେଳେ ଅମରିନ୍ଦରଙ୍କ ସମର୍ଥକ ବିଧାୟକମାନେ ସେମାନଙ୍କ ରଣନୀତି ବଦଳାଇବେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe