ଆନ୍ଧ୍ରପ୍ରଦେଶ : ସ୍ମାର୍ଟ ଯୁଗରେ ପୁଣି ଅନ୍ଧ ବିଶ୍ବାସ! ମନ୍ତ୍ରତନ୍ତ୍ରକୁ ବିଶ୍ବାସ କରି ଉଚ୍ଚଶିକ୍ଷିତ ଦମ୍ପତି ନିଜ ଦୁଇ ଝିଅଙ୍କୁ ତ୍ରିଶୂଳରେ ହତ୍ୟା କରିଛନ୍ତି। ଘଟଣାଟି ଘଟିଛି ଆନ୍ଧ୍ର ପ୍ରଦେଶର ଚିତ୍ତୋର ଜିଲ୍ଲାରେ। କଳିଯୁଗ ସତ୍ୟଯୁଗରେ ପରିଣତ ହେବାକୁ ଯାଉଛି। ଦୈବୀ ଶକ୍ତି ବଳରେ ମୃତ ଜୀବିତ ହୋଇଯିବେ- ଏହି ବିଶ୍ବାସରେ ଏକ ପ୍ରଫେସର ଦମ୍ପତି ରବିବାର ରାତିରେ ନିଜ ଦୁଇ ଝିଅଙ୍କୁ ତ୍ରିଶୂଳରେ ହତ୍ୟା କରି ଦେଇଛନ୍ତି। ହତ୍ୟା କରିବା ପରେ ପ୍ରଫେସର ଜଣେ ସହକର୍ମୀଙ୍କୁ ଏ ସମ୍ପର୍କରେ ଫୋନ୍ରେ ଜଣାଇଥିଲେ। ସହକର୍ମୀ ତୁରନ୍ତ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସଂଜ୍ଞାହୀନ ଅବସ୍ଥାରେ ପ୍ରଫେସର ଦମ୍ପତିଙ୍କୁ ନିଜ ହେପାଜତକୁ ନେଇ ପଚରା ଉଚରା କରୁଛି।
ପୁଲିସ ସୂତ୍ରରୁ ଜଣାପଡ଼ିଛି, ହତ୍ୟାକାରୀ ପିତା ବି ପୁରୁଷୋତ୍ତମ ନାଇଡୁ (ଏମ୍ଏସ୍ସି, ପିଏଚ୍ଡି) ମଦନପଲ୍ଲୀ ସରକାରୀ ମହିଳା ଡିଗ୍ରି କଲେଜର ଭାଇସ୍ ପ୍ରିନ୍ସପାଲ ଥିବାବେଳେ ମାତା (ପୋଷ୍ଟ ଗ୍ରାଜୁଏଟ୍ - ସ୍ବର୍ଣ୍ଣ ପଦକ ବିଜେତା) ଏକ ପ୍ରାଇଭେଟ୍ ସ୍କୁଲ୍ର ପ୍ରଧାନ ଆଚାର୍ଯ୍ୟା। ବଡ଼ ଝିଅ ଏଲିକ୍ଷା (୨୭) ଭୋପାଳରେ ପୋଷ୍ଟ ଗ୍ରାଜୁଏସନ୍ ପଢ଼ୁଥିବାବେଳେ ସାନ ଝିଅ ଦିବ୍ୟା (୨୨) ଏ ଆର୍ ରହମାନଙ୍କ କେଏମ୍ ସଙ୍ଗୀତ ସଂରକ୍ଷିକାର ଛାତ୍ରୀ ଥିଲେ। ପୁଲିସ ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଏକ ଉଚ୍ଚଶିକ୍ଷିତ ପରିବାରରେ ଏଭଳି ଜଘନ୍ୟା ହତ୍ୟାକାଣ୍ଡ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
  
 Follow Us