ପ୍ରୋଜେକ୍ଟ ଚିତା: ଜୈବବିବିଧତା ସୂତ୍ରକୁ ଯୋଡ଼ିବ

ପ୍ରଥମ ଅନ୍ତର୍ମହାଦେଶୀୟ ବନ୍ୟପ୍ରାଣୀ ସ୍ଥାନାନ୍ତର ପ୍ରକଳ୍ପ

ପ୍ରୋଜେକ୍ଟ ଚିତା: ଜୈବବିବିଧତା ସୂତ୍ରକୁ ଯୋଡ଼ିବ

ଭୋପାଳ: ଭାରତରେ ଚିତା ବଂଶ ଲୋପ ପାଇବାର ପ୍ରାୟ ୭ ଦଶନ୍ଧି ପରେ ଆଫ୍ରିକାରୁ ଭାରତକୁ ୮ଟି ଚିତା ଅଣାଯାଇ ସେହି ଶୂନ୍ୟସ୍ଥାନ ପୂରଣ କରିବାର ଚେଷ୍ଟା କରାଯାଇଛି। ପୃଥିବୀର ଗୋଟିଏ ଅଂଶରୁ ବିଲୁପ୍ତ ହୋଇଯାଇଥିବା ପ୍ରାଣୀକୁ ଅନ୍ୟ ଅଂଶରୁ ଆଣି ତା’ର ବଂଶବୃଦ୍ଧି ଚେଷ୍ଟା କରିବା ପ୍ରାୟତଃ ବିରଳ- ଯିଏ ପୁଣି ଏକ ଭୟଙ୍କର ଶିକାରୀ ପ୍ରାଣୀ।

‘ପ୍ରୋଜେକ୍ଟ ଚିତା’ ଅଧୀନରେ ନାମିବ୍ୟାରୁ ଏହି ଚିତାମାନଙ୍କୁ ଅଣାଯାଇଛି, ଯାହା ବିଶ୍ବର ପ୍ରଥମ ଅନ୍ତର୍ମହାଦେଶୀୟ ବିଶାଳ ବନ୍ୟପ୍ରାଣୀ (ମାଂସାହାରୀ) ସ୍ଥାନାନ୍ତର ପ୍ରକଳ୍ପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୭୨ତମ ଜନ୍ମଦିବସରେ ମଧ୍ୟପ୍ରଦେଶର ଶ୍ୟୋପୁର ଜିଲ୍ଲାରେ ଥିବା କୁନୋ ଜାତୀୟ ଉଦ୍ୟାନରେ ଶନିବାର ସକାଳେ ଏହି ଚିତାମାନଙ୍କୁ ଛାଡ଼ିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ନାମିବ୍ୟା ସରକାରକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଇତିମଧ୍ୟରେ କୁନୋ ଜାତୀୟ ଉଦ୍ୟାନରେ ଏହି ଚିତାମାନଙ୍କୁ କିପରି ପରିଚାଳନା କରିବାକୁ ପଡ଼ିବ ସେ ନେଇ ନାମିବ୍ୟାରେ ତାଲିମ ନେଇ ଆସିଥିବା ଜଙ୍ଗଲ ଅଧିକାରୀମାନଙ୍କ ଏକ ଦଳ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଏହି ଅଧିକାରୀମାନେ ଚିତାଙ୍କୁ ଯନ୍ତା ବସାଇ ଧରିବା, ପୂରା ଚିତାଙ୍କ ଦଳକୁ ଧରିବା, ଧରା ହେଲା ପରେ ସେମାନଙ୍କ ସହ କିପରି ବ୍ୟବହାର କରିବାକୁ ହେବ, ମଣିଷର ନିରାପତ୍ତା, ରାସାୟନିକ ଔଷଧ ପ୍ରୟୋଗ ମାଧ୍ୟମରେ ଚିତାଙ୍କୁ ଧରିବା, ଉପଯୁକ୍ତ ନିଶା ଔଷଧ ବାଛିବା ଓ ତା’ର ଉପଯୁକ୍ତ ମାତ୍ରା, ସେହି ଔଷଧ କିପରି ଦରକାର ସମୟରେ ଚିତାଙ୍କୁ ଦେବାକୁ ହେବ, ଔଷଧ ଦେଲା ପରେ କ’ଣ କରିବାକୁ ହେବ, ନିଶା ଛାଡ଼ିଲା ପରେ କ’ଣ କରିବାକୁ ହେବ ଇତ୍ୟାଦି ବିଷୟରେ ତାଲିମ ନେଇଛନ୍ତି। ଅନେକ ଦଶନ୍ଧି ତଳୁ ଯୁଗଯୁଗର ଜୈବବିବିଧତାର ସୂତ୍ର (ଲିଙ୍କ୍) ଭାଙ୍ଗି ଯାଇଥିଲା ଏବଂ ଲୋପ ପାଇଯାଇଥିଲା। ଏବେ ଭାରତ ସେହି ସୂତ୍ରକୁ ଯୋଡ଼ିବାର ସୁଯୋଗ ପାଇଛି। ଏହି ଚିତାମାନଙ୍କ ସହ ଭାରତର ପ୍ରକୃତିପ୍ରେମୀ ଚେତନା ପୂରା ଶକ୍ତିର ସହ ଜାଗିଉଠିଛି ବୋଲି ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏଥି ସହ ପ୍ରଧାନମନ୍ତ୍ରୀ କୁନୋ ଜାତୀୟ ଉଦ୍ୟାନରେ ନାମିବୀୟ ଚିତାଙ୍କୁ ଦେଖିବା ପାଇଁ କିଛି ଧୈର୍ଯ୍ୟ ପ୍ରଦର୍ଶନ କରିବା ପାଇଁ ଅନୁରୋଧ କରିଛନ୍ତି। ସେ କହିଥିଲେ, - ଚିତାମାନେ ହେଉଛନ୍ତି ଆମର ଅତିଥି, ଆମେ ସେମାନଙ୍କୁ କିଛି ମାସ ସମୟ ଦେବା ଦରକାର, ଯାହାଫଳରେ ସେମାନେ କୁନୋ ଜାତୀୟ ଉଦ୍ୟାନକୁ ସେମାନଙ୍କର ଘର ବୋଲି ଭାବିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe