ବେଶ୍ୟାବୃତ୍ତି ଅପରାଧ ନୁହେଁ: ବମ୍ବେ ହାଇକୋର୍ଟ

Advertisment
ପଡ଼ୋଶୀ ବିରୋଧରେ ସଲମାନ ଖାନ୍‌ଙ୍କ ମାନହାନି ମାମଲା: ସମୟ ଅଭାବରୁ ରାୟ ଦେଇପାରିଲେନି ହାଇକୋର୍ଟ ବିଚାରପତି

NDTV.com

ମୁମ୍ବାଇ: ଆଇନ ଅନୁଯାୟୀ ବେଶ୍ୟାବୃତ୍ତି ଏକ ଦଣ୍ଡନୀୟ ଅପରାଧ ନୁହେଁ ଏବଂ ପ୍ରାପ୍ତବୟସ୍କ ମହିଳାମାନେ ସେମାନଙ୍କର ପେଶା ପସନ୍ଦ କରିବାର ଅଧିକାର ରହିଛି ବୋଲି ଗୁରୁବାର ବମ୍ବେ ହାଇକୋର୍ଟ ରାୟ ଶୁଣାଇଛନ୍ତି। ଏଥି ସହିତ ବର୍ଷେ ହେଲା ମୁମ୍ବାଇର ଏକ ସୁଧାର ଗୃହରେ ଅଟକ ଥିବା ତିନି ଜଣ ଯୌନକର୍ମୀଙ୍କୁ ପ୍ରଶାସନ ତୁରନ୍ତ ଛାଡ଼ିଦେବା ପାଇଁ ଅଦାଲତ ନିର୍ଦ୍ଦେଶ କରିଛନ୍ତି। ଜଷ୍ଟିସ ପୃଥ୍ବୀରାଜ ଚଵନଙ୍କ ନେତୃତ୍ବରେ ପରିଚାଳିତ ଖଣ୍ଡପୀଠ ଏ ସଂକ୍ରାନ୍ତ ମାମଲାର ବିଚାର କରି ଅନୈତିକ କାରବାର ନିବାରଣ ଆଇନ-୧୯୫୬ ଅନୁଯାୟୀ ବେଶ୍ୟାବୃତ୍ତିକୁ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ ନାହିଁ ବୋଲି ଟିପ୍ପଣୀ କରିଛନ୍ତି। ବେଶ୍ୟାବୃତ୍ତି ଆପଣା ଛାଏଁ ଏକ ଅପରାଧ ହୋଇନଥିବାରୁ ଏହା କୌଣସି ଦଣ୍ଡକୁ ସ୍ବାଗତ କରୁନାହିଁ। ତେବେ ସାର୍ବଜନୀନ ସ୍ଥାନରେ ବେଶ୍ୟାବୃତ୍ତି କିମ୍ବା କାହାକୁ ପ୍ରଲୋଭିତ କରି ଯୌନଶୋଷଣ କରିବା କିମ୍ବା ବ୍ୟାବସାୟିକ ମନୋବୃତ୍ତି ରଖି କାହାକୁ ଏପରି କରିବା ହିଁ ଦଣ୍ଡନୀୟ ଅପରାଧ ବୋଲି ଏହି ଆଇନରେ ଉଲ୍ଲେଖ ରହିଥିବା ଖଣ୍ଡପୀଠ କହିଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ଗତବର୍ଷ ସେପ୍ଟେମ୍ବର ମାସରେ ମୁମ୍ବାଇର ମଲାଡ଼ରେ ପୁଲିସ ଏକ ଅତିଥିଶାଳା ଚଢ଼ଉ କରି ୨୦ରୁ ୩୦ ବର୍ଷ ବୟସର ତିନି ଜଣ ମହିଳାଙ୍କୁ ଉଦ୍ଧାର କରିଥିଲା। ଏଥି ସହିତ ସେମାନଙ୍କ ଦଲାଲକୁ ଅନୈତିକ କାରବାର ନିବାରଣ ଆଇନ ବଳରେ ଗିରଫ କରିବା ସହ ସଂପୃକ୍ତ ମହିଳା ତ୍ରୟଙ୍କୁ ପୀଡ଼ିତା ଭାବେ ଗ୍ରହଣ କରି ଏକ ସୁଧାର ଗୃହକୁ ପଠାଇ ଦେଇଥିଲା। ପରେ ଏହି ମହିଳାମାନଙ୍କ ମାଆ ଓ ଅଭିଭାବକମାନେ ସେମାନଙ୍କୁ ନିଜ ହେପାଜତକୁ ନେବା ଲାଗି ସ୍ଥାନୀୟ ମାଜଗାଓଁ ସ୍ଥିତ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ଆବେଦନ କରିଥିଲେ। ମାତ୍ର ମାଜିଷ୍ଟ୍ରେଟ୍‌ ସେମାନଙ୍କୁ ମନା କରିଦେବାରୁ ସେମାନେ ହାଇକୋର୍ଟର ଆଶ୍ରୟ ନେଇଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ଆଦେଶକୁ ଜଷ୍ଟିସ ଚଵନଙ୍କ ଖଣ୍ଡପୀଠ ଖାରଜ କରିଦେବା ସହ ସଂପୃକ୍ତ ମହିଳାମାନେ ପ୍ରାପ୍ତବୟସ୍କା ହୋଇଥିବାରୁ ସ୍ବାଧୀନ ଭାବେ ବିଚରଣ କରିବା ଏବଂ ପେସା ଚୟନ କରିବାର ଅଧିକାର ସେମାନଙ୍କର ରହିଛି ବୋଲି କହିଛନ୍ତି। ସେମାନଙ୍କୁ ଏପରି ଅଟକ ରଖିବାର ଅଧିକାର ଆଇନ ଦେଉନାହିଁ ବୋଲି ଖଣ୍ଡପୀଠ ରାୟ ଶୁଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe