ଭୋପାଳ: ମଧ୍ୟପ୍ରଦେଶର ରତ୍ଲାମ୍ ଜିଲ୍ଲାସ୍ଥିତ ସାର ବଣ୍ଟନ କେନ୍ଦ୍ରରୁ ୟୁରିଆ ଚୋରି ଅଭିଯୋଗରେ ଜଣେ କଂଗ୍ରେସ ବିଧାୟକ ଏବଂ ଅନ୍ୟ କେତେଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି।
ଗୁରୁବାର ସନ୍ଧ୍ୟାରେ ଘଟିଥିବା ଉକ୍ତ ଘଟଣାରେ ଆଲୋଟ୍ ନିର୍ବାଚନ ମଣ୍ଡଳୀର ବିଧାୟକ ମନୋଜ ଚାୱଲା, କଂଗ୍ରେସ ନେତା ଯୋଗେନ୍ଦ୍ର ସିଂହ ଜାଡୋନ୍ ଏବଂ ଆଉ କେତେ ଜଣଙ୍କୁ ଅଭିଯୁକ୍ତ କରାଯାଇଛି ବୋଲି ସାମ୍ବାଦିକମାନଙ୍କୁ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଅଭିଷେକ ତିୱାରି କହିଛନ୍ତି।
ସାର କେନ୍ଦ୍ର ଦାୟିତ୍ବରେ ଥିବା କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଡକାୟତି ଓ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଆଦି ମାମଲା ପଞ୍ଜିକରଣ କରାଯାଇଛି। ଘଟଣାର ଭିଡିଓକୁ ଆଧାର କରି ପୁଲିସ ଲୁଟ୍ କରିଥିବା ଅନ୍ୟାନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଚଳାଇଛି।
Image Courtesy of NDTVସଂଗୃହୀତ ସୂଚନା ଅନୁସାରେ, ସାର ଯୋଗାଣ କେନ୍ଦ୍ରରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ୟୁରିଆ ନ ପାଇବାରୁ ଚାଷୀମାନେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ସେହି ସମୟରେ କଂଗ୍ରେସ ବିଧାୟକ ଚାୱଲା ସେଠାରେ ପହଞ୍ଚିଥିଲେ।
କେନ୍ଦ୍ରର କର୍ମଚାରୀମାନେ କହିଥିଲେ ଯେ, ଅନ୍ଲାଇନ୍ରେ ତ୍ରୁଟି ଯୋଗୁଁ ସେମାନେ ୟୁରିଆ ଯୋଗାଇ ପାରୁ ନାହାନ୍ତି। ଦିନକ ମଧ୍ୟରେ ଏହି ସମସ୍ୟାର ଏହି ସମସ୍ୟାର ସମାଧାନ ହୋଇଯିବ।
କିନ୍ତୁ, ବିଧାୟକ ଚାୱଲା ରାଗିଯାଇ କେନ୍ଦ୍ରର ଗୋଦାମ ସଟର୍ ଖୋଲି ଦେଇ ଉପସ୍ଥିତ କୃଷକମାନଙ୍କୁ ସାର ଲୁଟି ନେବାକୁ କହିଥିଲେ। କଂଗ୍ରେସ ବିଧାୟକ ଘଟଣାସ୍ଥଳରେ ଏକଥା କହୁଥିବା ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି।
Image Courtesy of NDTVସେପଟେ, ପୁଲିସ କେସ୍କୁ ମିଥ୍ୟା ବୋଲି କହି ବିଧାୟକ ଚାୱଲା ରିଲିଜ୍ କରିଥିବା ଭିଡିଓରେ କହିଛନ୍ତି, ଏହି ମାମଲା ତାଙ୍କୁ ବାଧା ଦେଇ ପାରିବ ନାହିଁ। ସେ କୃଷକମାନଙ୍କ ପାଇଁ ସଂଗ୍ରାମ କରିବେ। କଲେକ୍ଟର୍ ଓ ଏସ୍ପି ମୋ ନାଁରେ ମିଥ୍ୟା ‘ଏଫ୍ଆଇଆର୍’ ରୁଜୁ କରିଛନ୍ତି।
Follow Us