ଭୋପାଲ: ମଧ୍ୟପ୍ରଦେଶର ଟିକମଗଡ଼ ଜିଲ୍ଲାରେ ଜିଲ୍ଲାପାଳଙ୍କୁ ଆବେଦନ ଦେବାକୁ ଯାଇଥିବା ଚାଷୀଙ୍କ ଉପରକୁ ବୁଧବାର ପୁଲିସ ଲାଠି ଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ଏହି ଘଟଣାରେ ୨୫ଜଣ କଂଗ୍ରେସ ନେତା ଓ ୮ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। କଂଗ୍ରେସ କର୍ମୀମାନେ ପୁଲିସ ଉପରକୁ ପଥରମାଡ଼ କରିଥିବା ଅଭିଯୋଗ କରିଛି ପୁଲିସ।
ଜିଲ୍ଲା କଲେକ୍ଟର ଅଭିଜୀତ ଅଗ୍ରଓ୍ଵାଲ କହିଛନ୍ତି, ପୁଲିସ ନିଜକୁ ବଞ୍ଚାଇବା ଓ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଲାଠିଚାର୍ଜ କରିଛି। କାରଣ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ପୁଲିସ ଉପରକୁ ଲାଠି ଚାର୍ଜ କରିଥିଲେ। ଏହା ସହିତ ଉତ୍ତ୍ୟକ୍ତ କଂଗ୍ରେସ କର୍ମୀମାାନେ ବୋତଲ ଓ ଚପଲ ମଧ୍ୟ ଫିଙ୍ଗି ଥିଲେ। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ସହିତ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।
କଂଗ୍ରେସ ନେତା ଏବଂ ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ଯାଦବେନ୍ଦ୍ର ସିଂହ କହିଛନ୍ତି, ପୁଲିସ ଦ୍ୱାରା କାରଯାଇଥିବା ଲାଠି ଚାର୍ଜ ଓ ଲୁହବୁହା ଗ୍ୟାସରେ ୨୫ଜଣ ଦଳୀୟ କର୍ମୀ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି ଜିଲ୍ଲାରେ ମରୁଡ଼ି ଘୋଷଣା କରିବାକୁ ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଆବେଦନ ଦେବାକୁ ଯାଇଥିଲେ।
ଚାଷୀମାନେ ଜିଲ୍ଲାପାଳଙ୍କୁ ଆବେଦନ ଦେବାକୁ ଯାଇଥିବା ବେଳେ, ଅତିରିକ୍ତ ଜିଲ୍ଲାପାଳ ଆବେଦନ ନେବାକୁ ଆସିଥିଲେ। ଚାଷୀମାନେ ଏଥିରେ ଉତ୍ତ୍ୟକ୍ତ ହୋଇଯାଇଥିଲେ। ଏଏସପି କିଛି ପ୍ରମୁଖ ନେତାଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଯିବାକୁ ସୁଯୋଗ ଦେଇଥିଲେ।
Follow Us