ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି ନୂତନ କୃଷି ଆଇନକୁ ବିରୋଧ କରି ଏହାର ପ୍ରତ୍ୟାହାର ଦାବିରେ ବିଭିନ୍ନ କୃଷକ ସଂଗଠନର ବହୁ ସଂଖ୍ୟକ ଚାଷୀ ସଦସ୍ୟ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଦିଲ୍ଲୀ ସୀମା ଆଡ଼କୁ ମୁହାଁଇବାରେ ଲାଗିଛନ୍ତି। ସରକାରଙ୍କ ସହ ଏକାଧିକ ଥର ହୋଇଥିବା ଆଲୋଚନା ବିଫଳ ହେବା ପରେ ଏଥର ସେମାନେ ସରକାର ତାଙ୍କ ଦାବି ମାନିନେବା ପର୍ଯ୍ୟନ୍ତ ଆନ୍ଦୋଳନ ବଳବତ୍ତର ରଖିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ଚାଷୀ ନେତାମାନେ କହିଛନ୍ତି ଯେ, ଆଗାମୀ ଦିନରେ ସେମାନେ ଆନ୍ଦୋଳନକୁ ଆହୁରି ଜୋରଦାର କରି ସରକାରଙ୍କ ଉପରେ ଚାପ ପକାଇବା ସହ ସାଧାରଣ ଲୋକମାନଙ୍କ ସମର୍ଥନ ଲାଭ ପାଇଁ ଚେଷ୍ଟା କରିବେ। ଭାରତୀୟ କିସାନ ୟୁନିୟନର ନେତା ରାକେଶ ଟିକାୟତ ସରକାର ଆଇନ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ଓ ସେ ପର୍ଯ୍ୟନ୍ତ ସେମାନେ ଦିଲ୍ଲୀ ସୀମା ଛାଡ଼ିବେ ନାହିଁ ବୋଲି ଧମକ ଦେଇଛନ୍ତି। ଶେଷ ନିଃଶ୍ବାସ ଥିବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ। ସରକାର ସେମାନଙ୍କୁ କହିବା ଦରକାର, କିଏ ସେମାନଙ୍କର ଅଧିକ ପ୍ରିୟ, ଚାଷୀ ନା କର୍ପୋରେଟ ବୋଲି ଟିକାୟତ କହିଛନ୍ତି। ସରକାର କର୍ପୋରେଟଗୁଡ଼ିକ ଦ୍ବାରା ପରିଚାଳିତ ହେଉଛନ୍ତି ବୋଲି ଅଭିଯୋଗ କରିବା ସହ ସେ କହିଲେ ଯେ, ନୂଆ ଆଇନ ଲାଗୁ ହେଲେ ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ପାଇବେ ନାହିଁ। ସରକାରଙ୍କ ନୂତନ ଶ୍ରମ ଆଇନକୁ ମଧ୍ୟ ସମାଲୋଚନା କରି ସେ କହିଲେ ଯେ, କାରଖାନା ଶ୍ରମିକମାନେ ସଂଘ ଗଢ଼ିପାରିବେ ନାହିଁ କିମ୍ବା ବିକ୍ଷୋଭ ପ୍ରଦର୍ଶନ କରିପାରିବେ ନାହିଁ। ସେମାନେ ସବୁ ବିକ୍ରି କରୁଛନ୍ତି। ସେମାନେ ମଣ୍ଡି ବନ୍ଦ କରିଦେବାକୁ ବସିଛନ୍ତି ବୋଲି ଟିକାୟତ କହିଥିଲେ।
ଉଲ୍ଲେଖନୀୟ ଯେ କୃଷକମାନେ ସରକାରଙ୍କ ତିନୋଟି ବିବାଦୀୟ କୃଷି ଆଇନ ବିରୋଧରେ ପ୍ରତିବାଦ କରିଆସୁଛନ୍ତି। ସେଗୁଡ଼ିକ ହେଲା ଫାର୍ମର୍ସ ପ୍ରଡ୍ୟୁସ୍ ଟ୍ରେଡ୍ ଆଣ୍ଡ୍ କମର୍ସ (ପ୍ରମୋସନ ଆଣ୍ଡ୍ ଫାସିଲିଟେସନ) ବିଲ୍, ୨୦୨୦, ଫାର୍ମର୍ସ (ଏମ୍ପାୱାରମେଣ୍ଟ ଆଣ୍ଡ୍ ପ୍ରୋଟେକ୍ସନ) ଏଗ୍ରିମେଣ୍ଟ ଅଫ୍ ପ୍ରାଇସ୍ ଆସ୍ୟୁରାନ୍ସ ଏବଂ ଫାର୍ମ ସର୍ଭିସେସ୍ ବିଲ୍, ୨୦୨୦।
Follow Us