Image Courtesy of India Today
ନୂଆଦିଲ୍ଲୀ: ବିବାହ କରିବେ ବୋଲି ଗତକାଲି ଅଚାନକ ଘୋଷଣା କରିବା ପରେ ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ୍ ମାନ୍ ଡାକ୍ତର ଗୁର୍ପ୍ରୀତ୍ କୌର୍ଙ୍କୁ ବିବାହ କରିଛନ୍ତି।
ଶିଖ୍ ପ୍ରଥାମତେ, ପାରମ୍ପରିକ ‘ଆନନ୍ଦ କାରଜ’ ଅନୁଯାୟୀ ଗୋଟାଏ ଗୁରୁଦ୍ବାରରେ ଦୁହିଁଙ୍କର ବିବାହ ଅନୁଷ୍ଠାନ ଆୟୋଜନ କରାଯାଇଥିଲା।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ‘ଆମ୍ ଆଦ୍ମି ପାର୍ଟି’ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ୍ ଉକ୍ତ ବିବାହ ଅନୁଷ୍ଠାନରେ ଯୋଗ ଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ବିବାହ ଉତ୍ସବରେ ଯୋଗ ଦେଇଥିବା ‘ଆପ୍’ ସାଂସଦ ରାଘବ ଚଢ଼ା ବିବାହ ଅନୁଷ୍ଠାନର ଫଟୋ ଟୁଇଟ୍ କରି କହିଛନ୍ତି, ମାଆଙ୍କ ସହିତ ଏଠାକୁ ଆସିଛି। ଏଇ ବିଶେଷ ଅନୁଷ୍ଠାନ ଅବସରରେ ନିଷ୍ଠା ଓ ପ୍ରତିବଦ୍ଧତାର ସହିତ ମାନ୍ ସାହବ ଓ ତାଙ୍କ ପରିବାରକୁ ଅଭିନନ୍ଦନ ଜଣାଉଛି।
ବିବାହ ଅନୁଷ୍ଠାନ ପୂର୍ବରୁ ୪୮ ବର୍ଷିୟ ମୁଖ୍ୟମନ୍ତ୍ରୀ ମାନ୍ଙ୍କ ଚଣ୍ଡୀଗଡ଼ ବାସଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମାନ୍ଙ୍କୁ ବାହା ହୋଇଥିବା ଡାକ୍ତର ଗୁର୍ପ୍ରୀତ୍ କୌର୍ ହେଉଛନ୍ତି ହରିୟାଣାର କୁରୁକ୍ଷେତ୍ର ଅନ୍ତର୍ଗତ ପେହୋୱାବାସିନୀ।
Image Courtesy of Twitterକନ୍ୟା ୩୦ ବର୍ଷୀୟ ଡାକ୍ତରାଣୀ ଗୁର୍ପ୍ରୀତ୍ କୌର୍ ବି ଟୁଇଟ୍ର୍ରେ ନିଜର ଫଟୋଟିଏ ପୋଷ୍ଟ୍ କରି ଲେଖିଛନ୍ତି: ବିବାହର ଦିନ ଉପଗତ ହେଲା। ଅଭିନନ୍ଦନ ଜଣାଇ ବାର୍ତ୍ତା ପଠାଇଥିବା ‘ଆପ୍’ ନେତାମାନଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି।
ଉଭୟଙ୍କ ବିବାହ କଥା ସେମାନଙ୍କ ପରିବାରର ଲୋକେ ବୁଧବାର ପର୍ଯ୍ୟନ୍ତ ସର୍ବସାଧାରଣରେ ଜଣାଇ ନ ଥିଲେ। ଉଭୟଙ୍କ ସମ୍ପର୍କ କଥା ମଧ୍ୟ ଅତ୍ୟନ୍ତ ଗୋପନ ରଖାଯାଇଥିଲା।
ଏହା ହେଉଛି ମାନ୍ଙ୍କର ଦ୍ବିତୀୟ ବିବାହ। ୨୦୧୫ରେ ସେ ଓ ତାଙ୍କ ପ୍ରଥମ ପତ୍ନୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ମାନ୍ ଓ ତାଙ୍କ ପ୍ରଥମ ପତ୍ନୀଙ୍କର ସୀରତ୍ କୌର୍ ନାମ୍ନୀ ୨୧ ବର୍ଷୀୟ ଝିଅ ଏବଂ ଦିଲ୍ସନ୍ ନାମରେ ୧୭ ବର୍ଷର ପୁଅଟିଏ ଅଛନ୍ତି।
Follow Us