ସାଢ଼େ ସାତ ଘଣ୍ଟା ଅସ୍ତ୍ରୋପଚାର ପରେ ଯୋଡ଼ି ହେଲା ପଞ୍ଜାବ ପୁଲିସଙ୍କ କଟାହାତ

ସାଢ଼େ ସାତ ଘଣ୍ଟା ଅସ୍ତ୍ରୋପଚାର ପରେ ଯୋଡ଼ି ହେଲା ପଞ୍ଜାବ ପୁଲିସଙ୍କ କଟାହାତ

Image Source: India Today

ଚଣ୍ଡୀଗଡ଼: ଦୀର୍ଘ ସାଢ଼େ ସାତ ଘଣ୍ଟାର ଜଟିଳ ଅସ୍ତ୍ରୋପଚାର ପରେ ଖଣ୍ଡା ‌ଚୋଟରେ କଟି ଯାଇଥିବା ଜଣେ ପଞ୍ଜାବୀ ପୁଲିସଙ୍କ ହାତକୁ ଡାକ୍ତରମାନେ ଯୋଡ଼ିବାରେ ସଫଳ ହୋଇଛନ୍ତି। ଏବେ ସେ ପୁଲିସ ଅଧିକାରୀଜଣକ ସୁସ୍ଥ ହେଉଛନ୍ତି।

ଚଣ୍ଡୀଗଡ଼ସ୍ଥିତ ‘ପୋଷ୍ଟ୍ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ’ରେ ସହକାରୀ ସବ୍ ଇନ୍‌ସ୍‌ପେକ୍ଟର୍ ହରଜୀତ ସିଂହଙ୍କର ସାଢ଼େ ସାତଘଣ୍ଟିଆ ଅସ୍ତ୍ରୋପଚାର ସଫଳ ହୋଇଛି ବୋଲି ଟୁଇଟ୍ କରି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍ ଅମରିନ୍ଦର ସିଂହ ସୂଚନା ଦେଇଛନ୍ତି।

‘ପିଜିଆଇ’ର ଏକ ବୁଲେଟିନ୍‌ରେ କୁହାଯାଇଛି ଯେ ‘ପିଜିଆଇ’ର ନିର୍ଦେଶକ ଡାକ୍ତର ଜଗତ୍ ରାମ ରବିବାର ସକାଳ ପ୍ରା୍ର ୭: ୪୫ରେ ପଞ୍ଜାବ ପୁଲିସ ମହାନିର୍ଦେଶକଙ୍କ ଠାରୁ ଆକ୍ରମଣ ସଂକ୍ରାନ୍ତରେ ଫୋନ୍ କଲ୍ ପାଇ ଆଡ୍‌ଭାନ୍‌ସ୍ ଟ୍ରମା ସେଣ୍ଟରରେ ଜରୁରୀ ଭିତ୍ତିରେ ଡାକ୍ତରୀ ଟିମ୍ ପ୍ରସ୍ତୁତ କରାଇଥିଲେ। ଏଥିସହ ପ୍ଲାଷ୍ଟିକ୍ ସର୍ଜରି ବିଭାଗର ମୁଖ୍ୟ ପ୍ରଫେସର ରମେଶ ଶର୍ମାଙ୍କ ଉପରେ ୫୦ ବର୍ଷିୟ ହରଜୀତଙ୍କୁ ଆଡ୍‌ମିସନ୍‌ କରାଇବା ଏବଂ କଟାହାତ ଯୋଡ଼ିବା ଦାୟିତ୍ବ ନ୍ୟସ୍ତ କରିଥିଲେ।

publive-image Image Source: India Today

ଡାକ୍ତର ଜଗତ ରାମ କହନ୍ତି: ମଣିବନ୍ଧ ପାଖରୁ କଟି ଯାଇଥିବା ହାତ ଓ ପାପୁଲିର ପ୍ରାଥମିକ ପ୍ରସ୍ତୁତି ଉପଚାର ପରେ ସକାଳ ପ୍ରାୟ ୧୦ଟାରେ ଯୋଡ଼ିବା କାମ ଆରମ୍ଭ ହୋଇଥିଲା। ଉଭୟ ରେଡିୟାଲ୍ ଏବଂ ଅଲ୍‌ନାର୍‌ ଧମନୀ, ଶିର, ସ୍ନାୟୁ ଆଦି ଯୋଡ଼ା ଯିବା ସହ ଥ୍ରି-କେ ତାର ଦିଆଯାଇ ହାଡ଼ ମଧ୍ୟ ଖଞ୍ଜାଯାଇଥିଲା।

ଯୋଡ଼ାଯିବା ପରେ ତାଙ୍କ ହାତ ଜୀବନ୍ତ, ଉଷୁମ ଲାଗିବା ସହ ରକ୍ତ ସଂଚାଳନ ଠିକ୍ ଭାବେ ଚାଲୁଛି ବୋଲି ଅସ୍ତ୍ରୋପଚାର କରିଥିବା ଡାକ୍ତରମାନେ କହିଛନ୍ତି।

ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ କରୋନାଭାଇରସ୍ ମହାମାରୀ ସଂକ୍ରମଣ ରୋକିବାକୁ ଜାରି ହୋଇଥିବା କର୍ଫ୍ୟୁ ସମୟରେ ଦଳେ ନହଙ୍ଗ ପରିବା ବଜାରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସହ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନେ ଖଣ୍ଡାରେ ଏଏସ୍‌ଆଇ ହରଜୀତ ସିଂହଙ୍କ ହାତ କାଟି ପକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe