ପଞ୍ଜାବ-ହରିୟାଣା ସୀମା ରଣକ୍ଷେତ୍ର: ପୁଲିସ କାର୍ଯ୍ୟାନୁଷ୍ଠାନରେ ଯୁବ ଚାଷୀ ମୃତ, ୨୫ ଆହତ

ହିଂସା ପରେ ‘ଦିଲ୍ଲୀ ଚଲୋ’ ଦୁଇ ଦିନ ପାଇଁ ଅଟକିଲା

ପଞ୍ଜାବ-ହରିୟାଣା  ସୀମା ରଣକ୍ଷେତ୍ର: ପୁଲିସ କାର୍ଯ୍ୟାନୁଷ୍ଠାନରେ ଯୁବ ଚାଷୀ ମୃତ, ୨୫ ଆହତ

ନୂଆଦିଲ୍ଲୀ: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଗ୍ୟାରେଣ୍ଟି ଆଇନ ଦାବିରେ ଆଜିଠାରୁ ପୁଣି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆରମ୍ଭ ହୋଇଥିବା ‘ଦିଲ୍ଲୀ ଚଲୋ’ ଅଭିଯାନ ହିଂସାତ୍ମକ ମୋଡ଼ ନେଇଛି। ପଞ୍ଜାବବ-ହରିୟାଣା ସୀମାର ଶମ୍ଭୁ ଓ ଖନୌରୀ ଆଜି ମଧ୍ୟାହ୍ନରୁ ରଣକ୍ଷେତ୍ର ପାଲଟିଛି। ସୀମାରେ ସମବେତ ହୋଇଥିବା ହଜାର ହଜାର ଚାଷୀ ଟ୍ରାକ୍ଟର ଓ ବୁଲ୍‌ଡୋଜର ବ୍ୟବହାର କରି ବ୍ୟାରିକେଡ ହଟାଇବାକୁ ପ୍ରୟାସ କରିବାରୁ ତୁମୁଳ କାଣ୍ଡ ଘଟିଛି। ପୁଲିସ ପ୍ରଥମେ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ଏବଂ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ରବର ବୁଲେଟ୍‌ ମାଡ଼ କରିଥିଲା। ପଞ୍ଜାବରୁ ଦିଲ୍ଲୀ ଅଭିଯାନରେ ବାହାରିଥିବା ଚାଷୀଙ୍କୁ ରୋକିବା ପାଇଁ ସୀମାରେ ଅଭୂତପୂର୍ବ ସୁରକ୍ଷା ବ‌ନ୍ଦୋବସ୍ତ କରାଯାଇଛି। ବାରିକେଡ୍ ଭାଙ୍ଗୁଥିବା ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକାଇବାରୁ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ପକ୍ଷରୁ ସେମାନଙ୍କ ଉପରେ ରବର ବୁଲେଟ ମାଡ଼ କରାଯାଇଥିଲା। ଏଥିରେ ଜଣେ ୨୪ ବର୍ଷୀୟ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନରେ ମୋଟ ୨୫ ଜଣ ଆାହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ଅନ୍ୟମାନଙ୍କୁ ଶମ୍ଭୁସ୍ଥିତ ଅସ୍ଥାୟୀ ଚିକିତ୍ସା ଶିବିରରେ ପ୍ରାଥମିକ ଚିକିତ୍ସା କରାଯାଇଛି।

ପୁଲିସ କାର୍ଯ୍ୟାନୁଷ୍ଠାନରେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶମ୍ଭୁ ଓ ଖନୌରି ସୀମାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ବ୍ୟାରିକେଡ୍ ଭାଙ୍ଗିବାକୁ ବହୁ ସଂଖ୍ୟାରେ ବୁଲଡୋଜର ସହ ଧସେଇ ପଶିଥିବା ଆନ୍ଦୋଳନକାରୀଙ୍କୁ ରୋକିବାକୁ ପୁଲିସ କଠୋର ପଦକ୍ଷେପ ଗ୍ରହଣ କରିଛି। ଇତିମଧ୍ୟରେ ହରିୟାଣା ସରକାର ପଞ୍ଜାବ ସରକାରଙ୍କୁ କହିଛନ୍ତି ଯେ ଚାଷୀ ଆନ୍ଦୋଳନ ଆଳରେ ହିଂସା ଭିଆଇବାକୁ ମସୁଧା କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ। ବ୍ୟାରିକେଡ୍ ଓ ଅବରୋଧ ହଟାଇବା ପାଇଁ ଆନ୍ଦୋଳନକାରୀମାନେ ବୁଲ୍‌ଡୋଜର ବ୍ୟବହାର କଲେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆଜି ପୁଣିଥରେ କଥାବାର୍ତ୍ତା ପାଇଁ ଚାଷୀ ସଂଗଠନଗୁଡ଼ିକୁ ନିବେଦନ କରିଛନ୍ତି। ଏମ୍‌ଏସ୍‌ପି ଆଇନ ନେଇ ପଞ୍ଚମ ପର୍ଯ୍ୟାୟ ଆଲୋଚନା ପ୍ରସ୍ତାବ ଉପରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ କୌଣସି ସକାରାତ୍ମକ ପ୍ରତିକ୍ରିୟା ମିଳିନାହିଁ। ତେବେ ହିଂସାକାଣ୍ଡ ପରିପ୍ରେକ୍ଷୀରେ ଦିଲ୍ଳୀ ଚଲୋ ଅଭିଯାନକୁ ଦୁଇ ଦିନ ପାଇଁ ସ୍ଥଗିତ ରଖିବା ପାଇଁ ଚାଷୀ ନେତା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ସରକାର ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଆଇନକୁ ବାଦ ଦେଇ ଅନ୍ୟ ସମସ୍ତ ପ୍ରମୁଖ ଦାବି ପୂରଣ କରିବାକୁ ପ୍ରସ୍ତୁତ ଥିବା ନେଇ ସଙ୍କେତ ଦେଇଥିଲେ ମଧ୍ୟ ଚାଷୀମାନେ ଏହାକୁ ଗ୍ରହଣ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe