ଆୟୁଷ ବଢ଼ାଇବାକୁ ହରିଣ ରକ୍ତରେ ସ୍ନାନ କରୁଛନ୍ତି ପୁଟିନ!

Advertisment
ଆୟୁଷ ବଢ଼ାଇବାକୁ ହରିଣ ରକ୍ତରେ ସ୍ନାନ କରୁଛନ୍ତି ପୁଟିନ!

Image Courtesy of NDTV

ମସ୍କୋ: ଆସନ୍ତା ଅକ୍ଟୋବରରେ ୭୦ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ବୋଲି ଅସମର୍ଥିତ ରିପୋର୍ଟରୁ ଜଣାପଡ଼ିଛି। କିନ୍ତୁ ଏହାର ସତ୍ୟାସତ୍ୟ ନେଇ ପ୍ରମାଣ ମିଳିବା କଷ୍ଟକର। ଦୁଇ ଦଶନ୍ଧି ଧରି କ୍ଷମତାରେ ରହିବା ଭିତରେ ପୁଟିନଙ୍କ ସ୍ବାସ୍ଥ୍ୟ ବିଷୟରେ କିଛି ପ୍ରକାଶ ପାଇ ନାହିଁ। ତାଙ୍କ ସ୍ବାସ୍ଥ୍ୟ ଭଲ ଅଛି ବୋଲି ଦର୍ଶାଇବା ପାଇଁ କ୍ରେମ୍‌ଲିନ ପକ୍ଷରୁ ତାଙ୍କର ଏକ ଛାତିଖୋଲା ଫଟୋ ପ୍ରକାଶ ପାଇଛି। ପୁଟିନଙ୍କ ସ୍ବାସ୍ଥ୍ୟ ବିଷୟରେ ଗତ ଏପ୍ରିଲ ମାସରେ ରୁଷୀୟ ଭାଷାରେ ପ୍ରକାଶିତ ନ୍ୟୁଜ୍ ୱେବ୍‌ସାଇଟ୍ ପ୍ରୋଏକ୍ଟରେ ଏକ ଖବର ପ୍ରକ‌ାଶ ପାଇଥିଲା ଯେ ଦକ୍ଷିଣୀ ରିସର୍ଟ ସିଟି ସୋଚିକୁ ଯେତେବେଳେ ପୁଟିନ ଗସ୍ତ କରିଥିଲେ ସେତେବେଳେ ବହୁସଂଖ୍ୟକ ଡାକ୍ତର ବି ସେଠାକୁ ଯାଇଥିଲେ।

ଏଥିରେ ଆହୁରି ଲେଖାଯାଇଥିଲା ଯେ ଥାଇରଏଡ୍ କ୍ୟାନସର ବିଶେଷଜ୍ଞ ୟେଭଗେନି ସେଲିଭାନୋଭ ବାରମ୍ବାର ସୋଚିକୁ ଯାଆନ୍ତି। ସେ ଯେତେବେଳେ ଯାଆନ୍ତି ଠିକ୍ ସେତିକିବେଳେ ପୁଟିନଙ୍କୁ ସାଧାରଣରେ ଦେଖିବାକୁ ମିଳି ନ ଥାଏ। ଆୟୁଷ ବଢ଼େଇବା ପାଇଁ ପୁଟିନ ଏକ ଅଭିନବ ପନ୍ଥା ଆପଣଉଥିବା ଏଥିରେ ଦାବି କରାଯାଇଛି, ଯାହାକୁ ଅନ୍ଧବିଶ୍ବାସ କୁହାଯାଇପାରେ। ତାହା ହେଉଛି ସାଇବେରୀୟ ସୁନ୍ଦର ଶିଙ୍ଗବାଲା ହରିଣ (ଆଣ୍ଟଲର) ରକ୍ତରେ ସ୍ନାନ। ତାଙ୍କର ବନ୍ଧୁ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ କୁଆଡ଼େ ତାଙ୍କୁ ଏହି ପରାମର୍ଶ ଦେଇଛନ୍ତି।

ଫରାସୀ ସାପ୍ତାହିକ ପ୍ୟାରିସ୍ ମ୍ୟାଚ୍ ପକ୍ଷରୁ ଚଳିତ ମାସରେ ପ୍ରକାଶ ପାଇଛି ଯେ ପୁଟିନ ଯେତେବେଳେ ୨୦୧୯ରେ ସାଉଦି ଆରବ ଓ ୨୦୧୭ରେ ଫ୍ରାନ୍ସ ଗସ୍ତ କରିଥିଲେ ସେତେବେଳେ ତାଙ୍କ ମଳମୂତ୍ର ସଫା କରିବା ପାଇଁ ତାଙ୍କ ସହ ଏକ ଦଳ ଯାଇଥିଲା। ଉଦ୍ଦେଶ୍ୟ- କୌଣସି ବିଦେଶୀ ଶକ୍ତି ଯେପରି ପାଇଖାନାରୁ ତାଙ୍କ ମଳମୂତ୍ରର ନମୁନା ସଂଗ୍ରହ କରି ପରୀକ୍ଷା କରିବାର ସୁଯୋଗ ନ ପାଏ। ଆମେରିକାରୁ ପ୍ରକାଶିତ ଏକ ପତ୍ରିକା ନ୍ୟୁଜ୍‌ୱିକ୍‌ରେ ଜୁନ୍ ମାସରେ ଲେଖାଯାଇଛି ଯେ ପୁଟିନ କୁଆଡ଼େ ଏପ୍ରିଲ ମାସରେ କ୍ୟାନସର ରୋଗର ଚିକିତ୍ସା କରାଇଥିଲେ। ଆମେରିକା ଗୁଇନ୍ଦା ସଂସ୍ଥା ସୂତ୍ରରୁ ସେମାନେ ଏହି ଖବର ପାଇଲେ ବୋଲି ଉଲ୍ଲେଖ କରିଥିଲେ। କିନ୍ତୁ ଆମେରିକା ନ୍ୟାସନାଲ ସିକ୍ୟୁରିଟି କାଉନ୍‌ସିଲ ଏହାକୁ ଅସ୍ବୀକାର କରିଛି। ୟୁକ୍ରେନ୍‌ର ସାମରିକ ଗୋଇନ୍ଦା ମୁଖ୍ୟ ମେଜର ଜେନେରାଲ କିରିଲୋ ବୁଡ଼ାନୋଭ ଏକ ଗଣମାଧ୍ୟମକୁ କହିଥିଲେ ଯେ ପୁଟିନଙ୍କୁ କ୍ୟାନସର ହୋଇଛି, କିନ୍ତୁ ଏହି ଦାବି ପଛରେ ତାଙ୍କ ପାଖରେ କୌଣସି ପ୍ରମାଣ ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe