ନୂଆଦିଲ୍ଲୀ: କାଳେ କିଏ ବିଷ ଦେଇ ଦେବ ବୋଲି ଆଶଙ୍କା କରି ଫେବ୍ରୁଆରି ମାସରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ତାଙ୍କର ସମସ୍ତ ବ୍ୟକ୍ତିଗତ କର୍ମଚାରୀଙ୍କୁ ବଦଳି କରିଥିବା କଥା ଗୋଟାଏ ରିପୋର୍ଟରେ ପ୍ରକାଶ ପାଇଛି।
କିନ୍ତୁ, ୟୁକ୍ରେନ୍ରେ ‘ବିଶେଷ ସେନା ଅଭିଯାନ’ ଆରମ୍ଭ ପୂର୍ବରୁ କିଂବା ପରେ ସେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଥିଲେ, ତାହା ସ୍ପଷ୍ଟ ହୋଇନାହିଁ। ରିପୋର୍ଟ ଅନୁସାରେ, ବଦଳି ହୋଇଥିବା କର୍ମଚାରୀମାନଙ୍କ ମଧ୍ୟରେ ଅଛନ୍ତି, ରାନ୍ଧୁଣିଆ, ଧୋବା, ଅଙ୍ଗରକ୍ଷୀ ଭଳି କର୍ମଚାରୀମାନେ।
‘ଡେଲି ମେଲ୍’ ରିପୋର୍ଟ କରିଛି ଯେ, ୟୁକ୍ରେନୀୟ ଗୁଇନ୍ଦା କହିବା ଅନୁସାରେ, ପୁଟିନ୍ଙ୍କୁ ବିଷ ଦେଇ ଏହାକୁ ଗୋଟାଏ ଦୁର୍ଘଟଣା ଭାବେ ଅଭିହିତ କରିବା ଲାଗି ମସ୍କୋର ଶୀର୍ଷସ୍ତରୀୟ ଅଧିକାରୀମାନଙ୍କ ଉଦ୍ୟମ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହି ହେବନାହିଁ।
Image Courtesy of Irishi Videosରାଷ୍ଟ୍ରପତି ପୁଟିନ୍ଙ୍କୁ କ୍ଷମତାଚ୍ୟୁତ କରି ତାଙ୍କ ସ୍ଥାନରେ ଆଉ ଜଣଙ୍କୁ କ୍ଷମତାସୀନ କରିବା ଲାଗି ରୁଷ୍ର କେତେକ ପ୍ରଭାବଶାଳୀ ବ୍ୟକ୍ତି ଯୋଜନା ଆରମ୍ଭ କରିଥିଲେ ବୋଲି କୁହାଯାଉଥିଲା। ରୁଷ୍-ୟୁକ୍ରେନ୍ ଯୁଦ୍ଧ ପରେ ପାଶ୍ଚାତ୍ୟ ଦେଶ ଜାରି କରିଥିବା କଟକଣା ଯୋଗୁଁ ରୁଷୀୟ ଅର୍ଥନୀତି ଉପରେ ଦୁର୍ବିପାକ ପଡ଼ିବାରୁ ସେମାନେ ଏଭଳି ଯୋଜନା କରିଥିଲେ ବୋଲି ଶୁଣାଯାଉଛି।
ପୁଟିନ୍ଙ୍କୁ ନିପାତ କରିବାକୁ ଷଡ଼ଯନ୍ତ୍ର କରିଥିବା ଅନ୍ୟତମ ପ୍ରମୁଖ ବ୍ୟକ୍ତି ହେଉଛନ୍ତି ‘ଫେଡେରାଲ୍ ସିକ୍ୟୁରିଟି ସର୍ଭିସ୍’ର ନିର୍ଦେଶକ ୭୦ ବର୍ଷିୟ ଆଲେକ୍ଜେଣ୍ଡର୍ ବୋର୍ତନିକୋଭ୍ ବୋଲି ୟୁକ୍ରେନ୍ କହୁଛି।
Image Courtesy of RadarOnlineସୂଚନାଯୋଗ୍ୟ, ବୋର୍ତିନିକୋଭ୍ ଏବଂ ପୁଟି ଏକତ୍ର ‘କେଜିବି’ରେ କାର୍ଯ୍ୟ କରୁଥିଲେ। ସମ୍ଭବତଃ ଏବେ ଉଭୟଙ୍କ ମଧ୍ୟରେ ବିବାଦ ଚାଲିଛି।
ରୁଷୀୟ ନେତୃତ୍ବ ପ୍ରତି ଅନିଶ୍ଚିତା ସୃଷ୍ଟି କରି ସାମ୍ପ୍ରତିକ ଯୁଦ୍ଧଜନିତ ସଙ୍କଟକୁ ପ୍ରଭାବିତ କରିବା ଲାଗି ଉପରୋକ୍ତ ତଥ୍ୟ ସବୁ ଗୁଜବ ହୋଇପାରେ। କିନ୍ତୁ, ପୁଟିନ୍ଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ରହସ୍ୟମୟ ହୋଇ ରହିଆସିଛି। ଯୁଦ୍ଧ ଆରମ୍ଭ ପରେ ଅନେକ ବିଶ୍ଲେଷଣକାରୀ ପୁଟିନଙ୍କ ମାନସିକ ସ୍ବାସ୍ଥ୍ୟାବସ୍ଥା ଉପରେ ସନ୍ଦେହ ପ୍ରକଟ କରିଥିବା ବେଳେ ଅନେକ କହିଥିଲେ, ସେ ସାଙ୍ଘାତିକ ରୋଗରେ ଆକ୍ରାନ୍ତ।
Follow Us