Image Courtesy of The New York Times
ମସ୍କୋ: ୟୁକ୍ରେନ୍ ଆକ୍ରମଣର ଯଥାର୍ଥତା ପ୍ରତିପାଦନ କରି ଶୁକ୍ରବାର ଦିନ ଭରପୂର ଶ୍ରୋତା ବସିଥିବା ଗୋଟାଏ ଫୁଟ୍ବଲ୍ ଷ୍ଟାଡିୟମ୍ରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଦେଉଥିବା ଭାଷଣର ପ୍ରସାରଣ ରାଷ୍ଟ୍ରାୟତ ଟେଲିଭିଜନ୍ରେ ହଠାତ୍ ବନ୍ଦ ହୋଇଯାଇଥିଲା। ମାତ୍ର, ଏହା ସର୍ଭର୍ରେ ବୈଷୟିକ ତ୍ରୁଟିଜନିତ ବ୍ୟାଘାତ ବୋଲି କ୍ରେମ୍ଲିନ୍ କହିଛି।
ରୁଷୀୟ ପତାକା ହଲାଇ ‘ରୁଷ୍’, ‘ରୁଷ୍’, ‘ରୁଷ୍’ ବୋଲି ଚିତ୍କାର କରୁଥିବା ଅସଂଖ୍ୟ ଶ୍ରୋତାଙ୍କୁ ମସ୍କୋର ‘ଲୁଝ୍ନିକି ଷ୍ଟାଡିୟମ୍’ର ମଞ୍ଚରୁ ଉଦ୍ବୋଧନ ଦେଇ ପୁଟିନ୍ କହିଲେ କ୍ରେମ୍ଲିନ୍ର ସମସ୍ତ ଲକ୍ଷ୍ୟ ହାସଲ ହେବ।
‘ନାଜିବାଦ ରହିତ ବିଶ୍ବ’ ଏବଂ ‘ଆମ ରାଷ୍ଟ୍ରପତିଙ୍କ ପାଇଁ’ ଆଦି ‘ସ୍ଲୋଗାନ୍’ରେ ସଜ୍ଜିତ ମଞ୍ଚରୁ ଜନତାଙ୍କୁ ସମ୍ଭାଷଣ ଦେଇ ୬୯ ବର୍ଷିୟ ପୁଟିନ୍ କହିଲେ, କ’ଣ କରିବାକୁ ହେବ, କେମିତି କରିବାକୁ ହେବ ଓ କ’ଣ କ୍ଷତି ହେବ ତାହା ଆମେ ଜାଣନ୍ତି। ତେଣୁ, ସମ୍ପୂର୍ଣ୍ଣରୂପେ ସବୁ ଯୋଜନା ସମ୍ପନ୍ନ ହେବ।
ସଭାସ୍ଥଳରେ ବ୍ୟବହୃତ ଅନେକ ରୁଷୀୟ ସ୍ଲୋଗାନ୍ରେ ରୁଷ୍ ସେନା ୟୁକ୍ରେନ୍ରେ ସଙ୍କେତ ଭାବେ ବ୍ୟବହାର କରୁଥିବା ଇଂରାଜୀ ବର୍ଣ୍ଣମାଳାର ଶେଷ ଅକ୍ଷର ‘ଜେଡ୍’ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ‘ଜେଡ୍’କୁ ନେଇ ଲେଖାଯାଇଥିବା ସ୍ଲୋଗାନ୍ଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା ‘ଜା ପୁଟିନା’ ବା ‘ପୁଟିନ୍ଙ୍କ ପାଇଁ’।
Image Courtesy of India Todayପୁଟିନ୍ କହିଲେ, ୟୁକ୍ରେନ୍ରେ ‘ସ୍ବତନ୍ତ୍ର ସାମରିକ ଅଭିଯାନ’ରେ ଲଢ଼େଇ କରୁଥିବା ସୈନିକମାନେ ରୁଷ୍ର ଏକତା ପ୍ରଦର୍ଶନ କରିଛନ୍ତି। ଏକପ୍ରାଣ ହୋଇ ସେମାନେ ପରସ୍ପରକୁ ସାହାଯ୍ୟ କରୁଛନ୍ତି, ପରସ୍ପରର ଆବଶ୍ୟକତା ବେଳେ ଠିଆ ହେଉଛନ୍ତି, ପ୍ରୟୋଜନ ହେଲେ ଗୁଳି ଚୋଟରୁ ଆପଣା ସୈନିକ ଭାଇଙ୍କୁ ରକ୍ଷା କରିବାକୁ ନିଜ ଦେହକୁ ଢାଲ କରି ଗୁଳି ଚୋଟ ଖାଉଛନ୍ତି। ଦୀର୍ଘ ଦିନ ହେଲା ଏଭଳି ଏକାତ୍ମତା ଆମେ ଦେଖି ନ ଥିଲେ।
ଏତିକି କହୁଥିବା ବେଳେ ରାଷ୍ଟ୍ରାୟତ ଟେଲିଭିଜନ୍ରେ ତାଙ୍କ ଭାଷଣ ପ୍ରସାରଣରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଏହି ସମୟରେ ପୂର୍ବରୁ ରେକର୍ଡ କରାଯାଇଥିବା ଦେଶାତ୍ମବୋଧକ ଗୀତର ଫୁଟେଜ୍ ଟେଲିଭିଜନ୍ରେ ପ୍ରସାରିତ ହୋଇଥିଲା। ପରେ ଅବଶ୍ୟ ପୁଣି ରାଷ୍ଟ୍ରପତିଙ୍କ ଭାଷଣ ପ୍ରସାରଣ ଜାରି ରହିଲା।
ଆକ୍ରମଣର ଯଥାର୍ଥତା ଦର୍ଶାଇ ପୁଟିନ୍ କହିଲେ, ୟୁକ୍ରେନ୍ରେ ଅଭିଯାନ ଚଳାଇବା ଥିଲା ଅତ୍ୟାବଶ୍ୟକ କାରଣ, ରୁଷ୍କୁ ଧମକ ଦେବାକୁ ଯୁକ୍ତରାଷ୍ଟ୍ର ଆମେରିକା ସେ ଦେଶକୁ ଉପଯୋଗ କରୁଛି। ସେହିପରି, ୟୁକ୍ରେନ୍ରେ ଥିବା ରୁଷୀୟ ଭାଷାଭାଷୀ ଜନସାଧାରଣଙ୍କ ସଂହାରକୁ (ଗଣ ନରହତ୍ୟା) ପ୍ରତିରୋଧ କରିବା ମଧ୍ୟ ରୁଷ୍ର କର୍ତ୍ତବ୍ୟ।
ପ୍ରକୃତରେ ବୈଷୟିକ ତ୍ରୁଟି କିଂବା ଅନ୍ୟ କୌଣସି କାରଣରୁ ପୁଟିନ୍ଙ୍କ ଭାଷଣ ପ୍ରସାରଣ ବନ୍ଦ ହେଲା ତାହା ଜଣାପଡ଼ିନାହିଁ।
Follow Us