ତାମିଲରେ ପ୍ରଶ୍ନ, ହିନ୍ଦୀରେ ଉତ୍ତର ଯୋଗୁଁ ଲୋକସଭାରେ ଯୁକ୍ତିତର୍କ

Advertisment
ତାମିଲରେ ପ୍ରଶ୍ନ, ହିନ୍ଦୀରେ ଉତ୍ତର ଯୋଗୁଁ ଲୋକସଭାରେ ଯୁକ୍ତିତର୍କ

Image Courtesy of NDTV

ନୂଆଦିଲ୍ଲୀ: ତାମିଲ୍‌ ଭାଷାରେ ପଚରା ଯାଇଥିବା ଗୋଟାଏ ପ୍ରଶ୍ନର ଉତ୍ତର ମନ୍ତ୍ରୀ ହିନ୍ଦୀ ଭାଷାରେ ଦେବାରୁ ବୁଧବାର ଦିନ ଲୋକସଭାରେ ବିରୋଧି ଏବଂ ଟ୍ରେଜରି ବେଞ୍ଚ୍‌ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

ଘଟଣାଟି ଆରମ୍ଭ ହୋଇଥିଲା ପ୍ରଶ୍ନକାଳ ସମୟରେ। ‘ଡିଏମ୍‌କେ’ ସଦସ୍ୟ ଏ. ଗଣେଶମୂର୍ତ୍ତି ‘ଏଫ୍‌ଡିଆଇ ଇନ୍‌ଫ୍ଲୋ’ ସଂକ୍ରାନ୍ତରେ ତାମିଲ୍‌ ଭାଷାରେ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍‌ କହିଥିଲେ ଯେ, ତାମିଲ୍‌ ଭାଷାରେ ପଚରାଯାଇଥିବା ପ୍ରଶ୍ନର ପ୍ରଥମାଂଶ ସେ ଜାଣିପାରିଲେ ନାହିଁ। ସେ କେଉଁ ପ୍ରକଳ୍ପ କଥା ପଚାରୁଛନ୍ତି?

ଏ କଥା ଶୁଣି ସେ କହିଥିଲେ, ମୁଁ ଯଦି ଇଂରାଜୀରେ ପ୍ରଶ୍ନ ପଚାରେ ମନ୍ତ୍ରୀ ଇଂରାଜୀରେ ହିଁ ତା’ର ଉତ୍ତର ଦେବା ଉଚିତ। ଜଣେ ସଦସ୍ୟ ତାମିଲ୍‌ ଭାଷାରେ ପ୍ରଶ୍ନ ପଚାରୁ ଥିବା ବେଳେ ମନ୍ତ୍ରୀ ହିନ୍ଦୀରେ ଉତ୍ତର ଦେଉଛନ୍ତି। ଏହାର ଜବାବ ଦେଇ ଗୋଏଲ୍‌ କହିଲେ ଯେ, ସେ ହିନ୍ଦୀରେ ଉତ୍ତର ଦେଇ ପାରନ୍ତି। ତା’ର ଅନୁବାଦ ସମ୍ପୃକ୍ତ ସଦସ୍ୟଙ୍କୁ ଦିଆଯାଇ ପାରିବ।

publive-image Image Courtesy of Deccan Herald

ଏଥିରେ ଉତ୍‌କ୍ଷିପ୍ତ ହୋଇ ଆଉ କିଛି ସଦସ୍ୟ ମଧ୍ୟ ଚିତ୍କାର କରି କହିଥିଲେ, ଇଂରାଜୀରେ ପ୍ରଶ୍ନ ପଚରା ଯାଉଥିବା ବେଳେ ମନ୍ତ୍ରୀ ହିନ୍ଦୀରେ କାହିଁକି ଉତ୍ତର ଦେଉଛନ୍ତି?

ବାଚସ୍ପତି ଓମ୍‌ ବିର୍ଲା ପ୍ରଶ୍ନଟିକୁ ପୁନରାବୃତ୍ତି କରିବାକୁ ଗଣେଶମୂର୍ତ୍ତିଙ୍କୁ କହିବାରୁ ସେ ପୁନଶ୍ଚ ପ୍ରଶ୍ନଟିକୁ ତାମିଲ୍‌ରେ ପଚାରିଥିଲେ।

ବିରକ୍ତ ହେବା ପରି ଦିଶୁଥିବା ଗୋଏଲ୍‌ ବାଚସ୍ପତିଙ୍କୁ ପଚାରିଥିଲେ କି, ଯେଉଁ ଭାଷାରେ ପ୍ରଶ୍ନ ପଚରାଯିବ, ସେହି ଭାଷାରେ ଉତ୍ତର ଦିଆଯିବ ବୋଲି କିଛି ନିୟମ ଅଛି କି? ମୁଁ ହିନ୍ଦୀ ଭାଷାରେ ଉତ୍ତର ଦେବି। ତାମିଲ ଭାଷାରେ ପଚରାଯାଇଥିବା ପ୍ରଶ୍ନର ଅନୁବାଦ ହିଁ ମୁଁ ଶୁଣିଥିଲି।

ଏଥିରେ ପୁଣି ଗଣେଶମୂର୍ତ୍ତି ଉତ୍‌କ୍ଷିପ୍ତ ହୋଇଥିଲେ ଏବଂ ବାଚସ୍ପତି ବିର୍ଲା ସ୍ମିତ ହସି ତାଙ୍କୁ ହେଡ୍‌ଫୋନ୍‌ ପିନ୍ଧିବାକୁ କହି‌ଥିଲେ। ଗୃହରେ ସାଧାରଣତଃ ହିନ୍ଦୀ ଭାଷାରେ କହୁଥିବା ବିର୍ଲା ଇଂରାଜୀରେ କହିଥିଲେ, ସଦସ୍ୟମାନେ ଯେଉଁ ଭାଷାରେ ଇଚ୍ଛା ପ୍ରଶ୍ନ ପଚାରି ପାରନ୍ତି। କୌଣସି ଅସୁବିଧା ନାହିଁ।

ଏ ସଂକ୍ରାନ୍ତରେ ଅତିରିକ୍ତ ପ୍ରଶ୍ନ ପଚାରିବାକୁ ପଡ଼ିଲାରୁ ଗଣେଶମୂର୍ତ୍ତି କେବଳ ତାମିଲ୍‌ ଭାଷାରେ ପଚାରିବେ କହି ପ୍ରଶ୍ନଟି ପଚାରି ଥିଲେ। ଗୋଏଲ୍‌ ମଧ୍ୟ ହିନ୍ଦୀରେ ଉତ୍ତର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe