ରାଧାକ୍ରିଷ୍ଣନ ନୂଆ ଉପରାଷ୍ଟ୍ରପତି: ରାଧାକ୍ରିଷ୍ଣନଙ୍କୁ ୪୫୨, ରେଡ୍ଡୀଙ୍କୁ ୩୦୦ ଭୋଟ୍‌

ଏନ୍‌ଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ମଙ୍ଗଳବାର ଦେଶର ୧୫ତମ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ୪୫୨ ଭୋଟ୍‌ ପାଇ ରାଧାକ୍ରିଷ୍ଣନ ଉପରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି। ଅନ୍ୟପକ୍ଷରେ ମିଳିତ ବିରୋଧୀ ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଭୋଟ୍‌ ମିଳିଛି।

fhshfhxbbv
ନୂଆଦିଲ୍ଲୀ: ଏନ୍‌ଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ମଙ୍ଗଳବାର ଦେଶର ୧୫ତମ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ୪୫୨ ଭୋଟ୍‌ ପାଇ ରାଧାକ୍ରିଷ୍ଣନ ଉପରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି। ଅନ୍ୟପକ୍ଷରେ ମିଳିତ ବିରୋଧୀ ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଭୋଟ୍‌ ମିଳିଛି। ୧୫ଟି ଭୋଟ୍‌ ନାକଚ ହୋଇଯାଇଛି ଏବଂ ୧୩ ଜଣ ସାଂସଦ କ୍ରସ୍‌ ଭୋଟିଂ କରିଛନ୍ତି। ରାଧାକ୍ରିଷ୍ଣନ ଓ ରେଡ୍ଡୀଙ୍କ ମଧ୍ୟରେ ହୋଇଥିବା ପ୍ରତିଦ୍ବନ୍ଦ୍ବିତାରେ ୯୮ ପ୍ରତିଶତରୁ ଅଧିକ ସାଂସଦ ସେମାନଙ୍କ ମତଦାନ କରିଛନ୍ତି। ଭୋଟ୍‌ ଗ୍ରହଣ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହୋଇଥିବାବେଳେ ମତଦାନ  ୯୮.୨ ପ୍ରତିଶତ ରହିଥିଲା। ୧୪ ଜଣ ସାଂସଦ ଭୋଟ୍‌ ଦେବାରୁ ବିରତ ରହିଥିଲେ। ଇଲେକ୍ଟୋରାଲ୍‌ କଲେଜର ମୋଟ୍‌ ୭୮୧ ସାଂସଦଙ୍କ ମଧ୍ୟରୁ ୭୬୭ ଜଣ ନିର୍ବାଚନରେ ସାମିଲ ହୋଇଥିଲେ। ୭୫୨ ଜଣ ଭୋଟରଙ୍କ ଭୋଟ୍‌ ବୈଧ ଘୋଷିତ ହୋଇଥିବା ବେଳେ ୧୫ ଜଣଙ୍କର ଭୋଟ୍‌ ନାକଚ ହୋଇଥିଲା। ନିର୍ବାଚନ ଅଧିକାରୀ ପିସି ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆ ସଂସଦ ଭବନରେ ଭୋଟ୍‌ ଗଣନା  ହୋଇଥିଲା।  ଏହି ନିର୍ବାଚନ ବିରୋଧୀ ମେଣ୍ଟର ଏକତା ପ୍ରତି ଶକ୍ତ ଝଟ୍‌କା ହୋଇଛି।   
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା। ଏନ୍‌ଡିଏ ଓ ଇଣ୍ଡି-ମେଣ୍ଟ ମଧ୍ୟରେ ଏହା ଥିଲା ଏକ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା। ବରିଷ୍ଠ ରାଜନେତା ରାଧାକ୍ରିଷ୍ଣନ ତାଙ୍କର ରାଜନୈତିକ ଅଭିଜ୍ଞତା ଓ ଏନ୍‌ଡିଏର ସଂଗଠିତ ସମର୍ଥନ ଯୋଗୁଁ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ବି. ସୁଦର୍ଶନ ରେଡ୍ଡୀଙ୍କୁ ଇଣ୍ଡି-ମେଣ୍ଟ ଶକ୍ତିଶାଳୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିଥିଲେ ମଧ୍ୟ ସଂଖ୍ୟାବଳ ତାଙ୍କ ବିପକ୍ଷରେ ରହିଥିଲା। ନିର୍ବାଚନ ଫଳାଫଳ ଘୋଷଣା ପରେ ଏନ୍‌ଡିଏ ନେତାମାନେ ରାଧାକ୍ରିଷ୍ଣନଙ୍କ ବିଜୟକୁ ଏକ ଐତିହାସିକ ମୁହୂର୍ତ୍ତ ଭାବେ ଅଭିହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ରାଧାକ୍ରିଷ୍ଣନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ତାଙ୍କର ଅଭିଜ୍ଞତା ଓ ନେତୃତ୍ୱ ଭାରତର ସାମ୍ବିଧାନିକ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବ। ଅନ୍ୟପକ୍ଷରେ, କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ନିର୍ବାଚନ ପ୍ରକ୍ରିୟାରେ ସେମାନଙ୍କର ସମ୍ପୂର୍ଣ୍ଣ ଅଂଶଗ୍ରହଣକୁ ଗୁରୁତ୍ୱ ଦେଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଆମେ ଏକ ସଂଗଠିତ ଓ ଐକ୍ୟବଦ୍ଧ ବିପକ୍ଷ ଭାବେ ନିର୍ବାଚନରେ ଅଂଶଗ୍ରହଣ କରିଛୁ, ଯାହା ଗଣତନ୍ତ୍ରରେ ଆମର ବିଶ୍ୱାସକୁ ପ୍ରତିଫଳିତ କରୁଛି। ପରାଜିତ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ କହିଛନ୍ତି, ନିର୍ବାଚନ ଫଳାଫଳକୁ ନମ୍ରତାର ସହ ଗ୍ରହଣ କରୁଛି। ଆମ ମହାନ ରାଷ୍ଟ୍ରର ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ମୋର ବିଶ୍ବାସ ରହିଛି।  ଯଦିଓ ଫଳାଫଳ ମୋ ସପକ୍ଷରେ ଯାଇନାହିଁ, ତଥାପି ଆଦର୍ଶଗତ ଲଢ଼େଇ ଅଧିକ ଦୃଢ଼ତାର ସହ ଜାରି ରହିବ। 

ଦୂରେଇ ରହିଲେ ୩ ଦଳ

ନୂଆଦିଲ୍ଲୀ: ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏଥିରେ ବିଜେପି ନେତୃତ୍ୱାଧୀନ ଶାସକ ମେଣ୍ଟର ପ୍ରାର୍ଥୀ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ବିରୋଧୀ ଇଣ୍ଡି-ମେଣ୍ଟର ପ୍ରାର୍ଥୀ ତଥା ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍ ବି ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରିଛନ୍ତି। ଏହି ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି), ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଏବଂ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ଦୂରେଇ ରହିଥିଲେ। ଏହି ୩ ଦଳ ପାଖରେ ମୋଟ ୧୨ ଜଣ ସାଂସଦଙ୍କ ସମର୍ଥନ ରହିଛି। 

ବିଜୁ ଜନତା ଦଳ
ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ସାଂସଦମାନେ ଭୋଟଦାନରୁ ଦୂରେଇ ରହିବେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଘୋଷଣା କରିଥିଲା। ଜାତୀୟ ସ୍ତରରେ ଉଭୟ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଓ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି-ମେଣ୍ଟଠାରୁ ସମାନ ଦୂରତା ବଜାୟ ରଖିବା ନୀତିର ଏକ ଅଂଶ ଭାବରେ ଦଳ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ରାଜ୍ୟସଭାରେ ବିଜେଡିର ସାତ ଜଣ ସାଂସଦ ଅଛନ୍ତି- ନିରଞ୍ଜନ ବିଶି, ସୁଲତା ଦେଓ, ମୁଜିବୁଲ୍ଲା ଖାନ, ଶୁଭାଶିଷ ଖୁଣ୍ଟିଆ, ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର ଓ ଦେବାଶିଷ ସାମନ୍ତରାୟ। ଲୋକସଭାରେ ସେମାନଙ୍କର କୌଣସି ସାଂସଦ ନାହାନ୍ତି।

ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)
ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ମଧ୍ୟ ୟୁରିଆ ଅଭାବ ହେତୁ ରାଜ୍ୟର କୃଷକମାନେ ଅନୁଭବ କରୁଥିବା ଯନ୍ତ୍ରଣା ଦର୍ଶାଇ ନିର୍ବାଚନକୁ ବୟକଟ୍ କରିଛି। ଗତ ୨୦ ଦିନ ଧରି ବିଆର୍‌ଏସ୍‌ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ୟୁରିଆ ଅଭାବ ନେଇ ଚେତାବନୀ ଦେଇଆସୁଛି। ତଥାପି ସେମାନେ ପ୍ରତିକ୍ରିୟା ଦେବାରେ ବିଫଳ ହୋଇଛନ୍ତି। ଏହାର ପ୍ରତିବାଦ ସ୍ୱରୂପ ବିଆର୍‌ଏସ୍‌ ଉପରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଥିଲା। ଯଦି ‘ନୋଟା’ ଏକ ବିକଳ୍ପ ହୋଇଥାନ୍ତା, ତେବେ ଆମେ ଏହାକୁ ବାଛିଥାନ୍ତୁ ବୋଲି ଦଳର କାର୍ଯ୍ୟକାରୀ ସଭାପତି କେଟି ରାମାରାଓ କହିଛନ୍ତି। ରାଜ୍ୟସଭାରେ ବିଆର୍‌ଏସ୍‌ର ଚାରିଜଣ ସାଂସଦ ଅଛନ୍ତି। ସେମାନେ ହେଲେ ଦାମୋଦର ରାଓ ଦିବାକୋଣ୍ଡା ରେଡ୍ଡୀ, ବି ପାର୍ଥସାରଥି ରେଡ୍ଡୀ, କେଆର୍ ସୁରେଶ ରେଡ୍ଡୀ ଓ ରବିଚନ୍ଦ୍ର ବଦ୍ଦିରାଜୁ।

ଶିରୋମଣି ଅକାଳୀ ଦଳ
ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ମଧ୍ୟ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହି କହିଛି ଯେ ରାଜ୍ୟରେ ବନ୍ୟା ମୁକାବିଲା ପାଇଁ କେନ୍ଦ୍ର ଓ ପଞ୍ଜାବରେ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି (ଏଏପି)ରୁ ସହାୟତା ମିଳିନାହିଁ। ରାଜ୍ୟର ପ୍ରାୟ ଏକ ତୃତୀୟାଂଶ ପାଣିରେ ବୁଡ଼ି ରହିଛି ଏବଂ ଘର ଓ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରାଜ୍ୟ କିମ୍ବା କେନ୍ଦ୍ର ସରକାର ପଞ୍ଜାବୀମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିନାହାନ୍ତି। ତେଣୁ ଏହାର ପ୍ରତିବାଦରେ ସେମାନେ ଭୋଟ୍ ବର୍ଜନ କରିଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହରସିମ୍ରତ କୌର ବାଦଲ ହେଉଛନ୍ତି ଏକମାତ୍ର ଏସ୍‌ଏଡି ସାଂସଦ। ଲୋକସଭାରେ ଏନ୍‌ଡିଏର ୨୯୩ ଜଣ ଓ ରାଜ୍ୟସଭାରେ ୧୨୯ ଜଣ ସାଂସଦ ଥିବାବେଳେ ବିରୋଧୀ ମେଣ୍ଟରେ ମୋଟ ପ୍ରାୟ ୩୨୫ ଜଣ ସାଂସଦ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe