Image Courtesy of India Today
ନୂଆଦିଲ୍ଲୀ: ଫ୍ରାନ୍ସର ଡାସଲ୍ଟ କମ୍ପାନି ଭାରତକୁ ଲଢୁଆ ରାଫେଲ୍ ବିମାନ ବିକ୍ରି ପାଇଁ ଭାରତୀୟ ମଧ୍ୟସ୍ଥିଙ୍କୁ ୧୦ ଲକ୍ଷ ୟୁରୋ ଦେଇଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଭାରତ-ଫ୍ରାନ୍ସ ମଧ୍ୟରେ ୩୬ଟି ରାଫେଲ ବିମାନ ପାଇଁ ରାଜିନାମା ସ୍ବାକ୍ଷରିତ ହେଲା ପରେ କମ୍ପାନି ଏହି ଲାଞ୍ଚ କାରବାର କରିଛି ବୋଲି ଦେଶର ଦୁର୍ନୀତି ନିବାରଣ ସଂସ୍ଥାର ତଦନ୍ତ ଭିତ୍ତିରେ ଫ୍ରାନ୍ସର ‘ମିଡିଆପାର୍ଟ’ରେ ରିପୋର୍ଟ ପ୍ରକାଶିତ ହୋଇଛି। ଅପରପକ୍ଷେ, ରାଫେଲ ବିମାନର ୫୦ଟି ପ୍ରତିକୃତି ନିର୍ମାଣ ପାଇଁ ଏହି କାରବାର ହୋଇଛି ବୋଲି ଡାସଲ୍ଟ କମ୍ପାନି ସଫେଇ ଦେଇଛି। ତେବେ ଏହା ପ୍ରଘଟ ହେଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେବାକୁ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଵାଲା ଦାବି କରିଛନ୍ତି। ତେବେ କଂଗ୍ରେସର ଏପରି ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଖଣ୍ଡନ କରିଛନ୍ତି।
ସୂଚନା ଥାଉ କି, ଡାସଲ୍ଟ କମ୍ପାନିର ବାର୍ଷିକ ଆୟବ୍ୟୟ ତନଖିବା ବେଳେ ଫ୍ରାନ୍ସର ଦୁର୍ନୀତି ନିବାରଣ ସଂସ୍ଥା ଏଜେନ୍ସ ଫ୍ରାଙ୍କାଇସ୍ ଆଣ୍ଟିକରପ୍ସନ(ଏଏଫ୍ଏ) କମ୍ପାନିର ୨୦୧୭ ମସିହା ଖର୍ଚ୍ଚରେ ‘ଗ୍ରାହକଙ୍କୁ ଉପହାର’ ଦର୍ଶାଇ ୫୦୮,୯୨୫ ୟୁରୋ ଖର୍ଚ୍ଚ କରାଯାଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ ରାଫେଲ୍ର ୫୦ଟି ଡମି ମଡେଲ୍ ପାଇଁ ଗୋଟିକୁ ୨୦ ହଜାର ୟୁରୋରୁ ସାମାନ୍ୟ ଅଧିକ ଦରରେ ମୋଟ ୧,୦୧୭,୮୫୦ ୟୁରୋ ପାଉଣାର ୫୦ ପ୍ରତିଶତ ଏପରି ଦିଆଯାଇଛି ବୋଲି କମ୍ପାନି ସଫେଇ ଦେଇଥିଲା। ଏପରିକି ଭାରତୀୟ କମ୍ପାନି ଡେଫସିଜ୍ ସଲ୍ୟୁସନ୍ସର ମୁଖ୍ୟ ସୁସେନ ଗୁପ୍ତା ଏହା ଗ୍ରହଣ କରିଥିବାର ରସିଦକୁ ମଧ୍ୟ ଡାସଲ୍ଟ କର୍ତ୍ତୃପକ୍ଷ ଦେଖାଇଥିଲେ। ତେବେ ସେପରି ରାଫେଲର ପ୍ରତିକୃତି ନିର୍ମାଣ ପାଇଁ ରାଜିନାମା ହୋଇଥିବା ସଂକ୍ରାନ୍ତ କାଗଜାତ କମ୍ପାନି ଦାଖଲ କରିନଥିଲା କି ସେହି ଖର୍ଚ୍ଚକୁ ‘ଗ୍ରାହକଙ୍କୁ ଉପହାର’ ବର୍ଗରେ କାହିଁକି ଉଲ୍ଲେଖ କରାଯାଇଥିଲା ତାହାର ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଲାଞ୍ଚ କାରବାରର ସନ୍ଦେହ ଉପୁଜିଛି।
Follow Us