ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଚୁକ୍ତି ଫାଇଲ୍ରୁ ତଥ୍ୟ ଲିକ୍ ହେବା ପରେ ଏବେ ଏହି ମାମଲା ନୂଆ ମୋଡ଼ ନେଇଛି। ଲିକ୍ ତଥ୍ୟ ଉପରେ ସରକାର ଘୋର ଆପତ୍ତି ଉଠାଇଥିବା ବେଳେ ସୁପ୍ରିମ୍ କୋର୍ଟ ଆଜି ଏହି ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି। ଯେଉଁ ତଥ୍ୟ ଲିକ୍ ହୋଇଛି ତାହା ଉପରେ ଆଜି ସରକାର ବିଶେଷ ଅଧିକାର ଦାବି କରି ସୁପ୍ରିମ୍ କୋର୍ଟରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି। ସୁପ୍ରିମ୍ କୋର୍ଟଙ୍କ ବିନା ଅନୁମତିରେ ଏହି ତଥ୍ୟ କୋର୍ଟରେ ଉପସ୍ଥାପନ ହୋଇପାରିବ ନାହିଁ କି ସାର୍ବଜନୀନ କରାଯାଇପାରିବ ନାହିଁ। କିନ୍ତୁ ରାଫେଲ ଚୁକ୍ତି ସଂକ୍ରାନ୍ତ ରାୟର ପୁନର୍ବିଚାର ପାଇଁ ଆବେଦନ କରିଥିବା ଗୋଷ୍ଠୀ ଏହାକୁ ପ୍ରଘଟ କରିଥିବାରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ ପ୍ରଧାନବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କୁ କହିଛନ୍ତି। କୋର୍ଟ ଏହି ମାମଲାର ଶୁଣାଣି କରି ଆଜି ରାୟ ସଂରକ୍ଷିତ ରଖିଛନ୍ତି। ସୁପ୍ରିମ୍ କୋର୍ଟ ସରକାରଙ୍କ ଯୁକ୍ତିକୁ ଗ୍ରହଣ କରି ଆବେଦନକାରୀଙ୍କୁ କହିଥିଲେ ଯେ ରାଫେଲ ଚୁକ୍ତିର ତଥ୍ୟକୁ ନେଇ କୌଣସି ଶୁଣାଣି ପୂର୍ବରୁ ପ୍ରଥମେ କେନ୍ଦ୍ର ସରକାର ଦ୍ବାରା କରାଯାଇଥିବା ଆପତ୍ତିଗୁଡ଼ିକ ଉପରେ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ, ଆବେଦନକାରୀ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ସରକାର ଏବେ ବିଶେଷ ଅଧିକାର ଦାବି କରୁଥିଲେ ମଧ୍ୟ ଏହି ଦସ୍ତାବିଜ୍ର ଫଟୋ କପି କୋର୍ଟରେ ଉପସ୍ଥାପନ ହୋଇଯାଇଛି ଏବଂ ଏ ସଂପର୍କରେ ଜନସାଧାରଣ ଅବଗତ ହୋଇସାରିଛନ୍ତି। ଜନସ୍ବାର୍ଥରେ ପ୍ରଘଟ କରାଯାଇଥିବା ତଥ୍ୟ ଉପରେ ସରକାର ବିଶେଷ ଅଧିକାର ଦାବି କରିପାରିବେ ନାହିଁ ବୋଲି ସେ କହିଥିଲେ। ଭାରତୀୟ ପ୍ରେସ୍ କାଉନ୍ସିଲର ନିୟମ ମୁତାବକ ସାମ୍ବାଦିକ ଯେଉଁ ସୂତ୍ରରୁ ଏହି ତଥ୍ୟ ସଂଗ୍ରହ କରିଛନ୍ତି ତାହାର ଉତ୍ସକୁ ଗୋପନ ରଖାଯିବା ବ୍ୟବସ୍ଥା ମଧ୍ୟ ରହିଛି ବୋଲି ସେ କହିଛନ୍ତି।
ରାଫେଲ୍ ମାମଲାରେ ନୂଆ ମୋଡ଼, ଲିକ୍ ଦସ୍ତାବିଜ୍ ନେଇ ଆପତ୍ତି ଉଠାଇଲେ ସରକାର
Advertisment
Follow Us