Free Press Journal
ନୂଆଦିଲ୍ଲୀ: ରାଫେଲ୍ ଯୁଦ୍ଧ ବିମାନ ଗତକାଲି ଭାରତରେ ପହଞ୍ଚିବାପରେ ସମଗ୍ର ଦେଶ ରାଫେଲ୍କୁ ସ୍ବାଗତ କରିଛି। ବାୟୁସେନାର ଶକ୍ତି ବୃଦ୍ଧି ହେବା ସହ ଭାରତ ଉଭୟ ପାକିସ୍ତାନ ଏବଂ ଚୀନ୍କୁ କଡ଼ା ଜବାବ ଦେଇପାରିବ ବୋଲି ଦୃଢ଼ ବିଶ୍ବାସ ମଧ୍ୟ ସୃଷ୍ଟି ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ରାଫେଲ୍କୁ ସ୍ବାଗତ କରିବା ସହ ସରକାରଙ୍କୁ ୩ଟି ପ୍ରଶ୍ନ କରିଛନ୍ତି। ସରକାରଙ୍କ ୫୯ ହଜାର କୋଟି ଟଙ୍କାର ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତିର ସବୁଠୁ ବଡ଼ ସମାଲୋଚକ ହେଉଛନ୍ତି ରାହୁଲ ଗାନ୍ଧି। ତେବେ ରାଫେଲ୍ ପହଞ୍ଚିବାପରେ ରାହୁଲ ସରକାରଙ୍କୁ ପଚାରିଥିବା ୩ଟି ପ୍ରଶ୍ନ ହେଉଛି - ପ୍ରତି ରାଫେଲ୍ ଯୁଦ୍ଧ ବିମାନର ମୂଲ୍ୟ ୫୨୬ କୋଟି ପରିବର୍ତ୍ତେ ୧୬୭୦ କୋଟି କାହିଁକି ହେଲା? ୧୨୬ଟି ଯୁଦ୍ଧ ବିମାନ ଆଣିବା ପରିବର୍ତ୍ତେ ୩୬ଟି ଯୁଦ୍ଧବିମାନ କାହିଁକି ଅଣାଗଲା। ହାଲ୍ ପରିବର୍ତ୍ତେ ଦେବାଳିଆ ଅନିଲ୍ ଅମ୍ବାନୀଙ୍କ କମ୍ପାନିକୁ କାହିଁକି ୩୦ ହଜାର କୋଟି ଟଙ୍କାର କଣ୍ଟ୍ରାକ୍ଟ ଦିଆଗଲା।
ଉଲ୍ଲେଖଯୋଗ୍ୟ, ଗତ ଲୋକସଭା ନିର୍ବାଚନରେ ମଧ୍ୟ ରାହୁଲ ମୋଦୀଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ଯେ, ମୋଦୀ ଅନିଲ୍ ଅମ୍ବାନୀଙ୍କ ପ୍ରତିରକ୍ଷା କମ୍ପାନୀକୁ ସହଯୋଗ କରିବାପାଇଁ ଅଧିକ ଟଙ୍କାର ଚୁକ୍ତି ସ୍ବାକ୍ଷର କରିଛନ୍ତି। କିନ୍ତୁ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ସରକାରଙ୍କୁ କ୍ଲିନ୍ ଚିଟ୍ ପ୍ରଦାନ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତକାଲି ଏକ ଟ୍ବିଟ୍ କରି କହିଥିଲେ, ଯେଉଁମାନେ ଭାରତର ଭୌଗୋଳିକ ଅଖଣ୍ଡତା ପ୍ରତି ବିପଦ କିମ୍ବା କ୍ଷତି ଚାହୁଥିବେ କେବଳ ସେହିମାନେ ହିଁ ବାୟୁସେନାର ଏହି ନୂଆ କ୍ଷମତାକୁ ନେଇ ବିଭ୍ରାନ୍ତି ସୃଷ୍ଟି କରିବେ।
Follow Us