Image Courtesy of India Today
ନୂଆଦିଲ୍ଲୀ: ଦୋକାନୀମାନଙ୍କଠାରୁ ଜାତୀୟ ପତାକା ଖରିଦ କରିବା ଲାଗି ରେସନ୍ କାର୍ଡଧାରୀମାନଙ୍କୁ ବାଧ୍ୟ କରାଯାଉଛି ବୋଲି ବୁଧବାର ଦିନ ‘ବିଜେପି’କୁ ଆକ୍ଷେପ କରି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କହିଛନ୍ତି।
‘ବିଜେପି’ ଜାତୀୟତାବାଦ ବିକ୍ରି କରିବା ସହ ଗରିବମାନଙ୍କ ଆତ୍ମସମ୍ମାନକୁ ଆଘାତ ଦେଉଥିବା ଅଭିଯୋଗ କରି ହିନ୍ଦୀ ଭାଷାରେ ଲିଖିତ ଫେସ୍ବୁକ୍ ପୋଷ୍ଟ୍ରେ ଗାନ୍ଧୀ କହିଛନ୍ତି, ତ୍ରିରଙ୍ଗା ହେଉଛି ଆମ ଗୌରବ ଏବଂ ତାହା ପ୍ରତି ଭାରତୀୟଙ୍କ ହୃଦୟରେ ରହିଛି।
ଜାତୀୟତାକୁ କଦାପି ବିକ୍ରୟ କରାଯାଇ ପାରିବ ନାହିଁ। ଲଜ୍ଜାର କଥା ଯେ, ରେସନ୍ ଦେଉଥିବା ବେଳେ ତ୍ରିରଙ୍ଗା ପାଇଁ ୨୦ ଟଙ୍କା ଗଣିଦେବାକୁ ଗରିବମାନଙ୍କୁ କୁହାଯାଉଛି ବୋଲି ରାହୁଲ୍ ଅଭିଯୋଗ କରିଛନ୍ତି।
Image Courtesy of Oneindiaତ୍ରିରଙ୍ଗା ସଙ୍ଗରେ ‘ବିଜେପି’ ସରକାର ଆମ ଦେଶର ଗରିବମାନଙ୍କ ଆତ୍ମସମ୍ମାନ ଉପରେ ମଧ୍ୟ ଆକ୍ରମଣ କରୁଛି ବୋଲି କହିବା ସହ ୨୦ ଟଙ୍କା ଦେଇ ପତାକା ଖରିଦ କରିବାକୁ ବାଧ୍ୟ କରିବା ବେଳେ କେତେକ କାର୍ଡଧାରୀ ଆପତ୍ତି କରୁଥିବା ଭିଡିଓ ମଧ୍ୟ ସେୟାର୍ କରିଛନ୍ତି।
ବୁଧବାର ଦିନ ରାହୁଲ୍ଙ୍କ ପୂର୍ବରୁ ‘ବିଜେପି’ ସାଂସଦ ବରୁଣ ଗାନ୍ଧୀ ମଧ୍ୟ ଅଭିଯୋଗ କରିଥିଲେ ଯେ, ରେସନ୍ ଦିଆଯିବା ସର୍ତ୍ତରେ ଜାତୀୟ ପତାକା ଖରିଦ କରିବାକୁ କାର୍ଡଧାରୀମାନଙ୍କୁ ବାଧ୍ୟ କରାଯାଉଛି। ସ୍ବାଧୀନତାର ୭୫ତମ ବାର୍ଷିକ ପାଳନ ଗରିବମାନଙ୍କ ଉପରେ ବୋଝ ହେବ ଦୁଃଖର ବିଷୟ।
‘ହର୍ ଘର୍ ତିରଙ୍ଗା’ କାର୍ଯ୍ୟକ୍ରମର ଅଂଶ ଭାବେ ଅଗଷ୍ଟ ୧୩-୧୫ ପର୍ଯ୍ୟନ୍ତ ଲୋକେ ନିଜ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କିଂବା ପ୍ରଦର୍ଶନ କରିବା ନିମନ୍ତେ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି।
Follow Us