କୋଲ୍ଲମ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ବର୍ତ୍ତମାନ କେରଳ ଗସ୍ତରେ ଅଛନ୍ତି। ଏପ୍ରିଲ-ମେ ମାସରେ କେରଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀ ବୁଧବାର କୋଲ୍ଲମରେ ପହଞ୍ଚି ସେଠାରେ ମତ୍ସ୍ୟଜୀବୀଙ୍କୁ ଭେଟିଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ ମଧ୍ୟ ମତ୍ସ୍ୟଜୀବୀଙ୍କ ସହ ମାଛ ଧରୁଥିବାର ନଜର ଆସିଥିଲେ। ରାହୁଲ ଗାନ୍ଧୀ କୋଲ୍ଲମର ମତ୍ସ୍ୟଜୀବୀଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ ଯେପରି କୃଷକ ଜମି ଚାଷ କରନ୍ତି, ସେହିପରି ମତ୍ସ୍ୟଜୀବୀ ସମୁଦ୍ରରେ ଚାଷ କରୁଛନ୍ତି |
ଦିଲ୍ଲୀରେ କୃଷକମାନଙ୍କ ପାଇଁ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଥିବାବେଳେ ମତ୍ସ୍ୟଜୀବୀଙ୍କ ପାଇଁ କୌଣସି ମନ୍ତ୍ରଣାଳୟ ନାହିଁ। ରାହୁଲ ଗାନ୍ଧୀ କହିଛନ୍ତି ଯେ ଯଦି ଆମର ସରକାର କେରଳରେ ଗଠନ ହୁଏ, ତେବେ ଆପଣଙ୍କର ସମସ୍ୟାଗୁଡିକର ସମାଧାନ ଓ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ବିଭାଗ ରହିବ। ସୂଚନା ଥାଉ କି ରାହୁଲ ଗାନ୍ଧୀ କେରଳ ପୂର୍ବରୁ ପଣ୍ଡିଚେରୀ ଗସ୍ତରେ ଯାଇଥିବାବେଳେ ସେଠାରେ ମଧ୍ୟ ମତ୍ସ୍ୟଜୀବୀଙ୍କୁ ସମାନ ପ୍ରତିଶୃତି ଦେଇଥିଲେ।
ଅନ୍ୟପଟେ ରାହୁଲଙ୍କ ବୟାନକୁ ନେଇ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବୋଧହୁଏ ରାହୁଲ ଗାନ୍ଧୀ ଜାଣି ନାହାଁନ୍ତି, ୨୦୧୯ ପରଠାରୁ କେନ୍ଦ୍ରରେ ମତ୍ସ୍ୟ ମନ୍ତ୍ରଣାଳୟ ରହିଛି, ଗିରିରାଜ ସିଂ ଏହାର ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।
Follow Us