ନୂଆଦିଲ୍ଲୀ: ରାଫେଲ ବିବାଦ ମୋଦି ସରକାରର ପିଛା ଛାଡ଼ିବାର ନାଁ ଧରୁ ନାହିଁ। ଆଜି ପୁଣି ଥରେ ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ପ୍ରତିରକ୍ଷା ମନ୍ତ୍ରାଳୟର ଏକ ଦଲିଲ୍କୁ ସର୍ବସାଧାରଣ କରିବା ସହ ରାଫେଲ ଦୁର୍ନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଜଡ଼ିତ ବୋଲି ଅଭିଯୋଗ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟକୁ ପ୍ରଦର୍ଶନ କରି ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ଖୋଦ୍ ରାଫେଲ ପ୍ରସଙ୍ଗରେ ଫ୍ରାନ୍ସ ସରକାରଙ୍କ ସହ ଡିଲ୍ କରୁଥିବାରୁ ଏ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରାଳୟ ହସ୍ତକ୍ଷେପ କରି ନଥିଲା।
ସାମ୍ବାଦିକ ସମ୍ମଳନୀରେ ରାହୁଲ କହିଥିଲେ ଯେ ଏହି ଘଟଣା ପ୍ରମାଣିତ କରୁଛି ଯେ ଆମେ ରାଫେଲ ପ୍ରସଙ୍ଗରେ ବର୍ଷକ ତଳୁ ଯେଉଁ ଅଭିଯୋଗ କରି ଆସୁଛୁ ତାହା ମିଥ୍ୟା ଆଧାରିତ ନୁହେଁ। ଯେହେତୁ ପିଏମ୍ଓ ଏହି ଡିଲ୍ରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିଲା, ସେଥିପାଇଁ ଏଥିରେ ହସ୍ତକ୍ଷେପ କରିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ଡରିଥିଲା। ଯାହାକୁ ଖୋଦ୍ ପ୍ରତିରକ୍ଷା ମନ୍ତ୍ରାଳୟର ଜନୈକ ବରିଷ୍ଠ ଅଧିକାରୀ ଏବେ ସ୍ୱାକାର କରିଛନ୍ତି। ସେହିପରି ପିଏମ୍ଓର ସଂପୃକ୍ତି ଦେଖାଇ ଫ୍ରାନ୍ସ ମଧ୍ୟ ପ୍ରତିରକ୍ଷା ମନ୍ତ୍ରାଳୟର କୌଣସି କଥା ଶୁଣି ନଥିଲା ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ।
Follow Us