ନୂଆଦିଲ୍ଲୀ: ଆଜି ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାରେ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହୋଇଯିବା ପରେ, ଏନେଇ ନିଜର କଡା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ତଥା ସାଂସଦ ରାହୁଲ ରାହୁଲ ଗାନ୍ଧୀ। ତିନିଟି କଳା କୃଷି ଆଇନ ପ୍ରତ୍ୟାହାର ହେବା ଘଟଣାକୁ ଚାଷୀଙ୍କ ବିଜୟ ବୋଲି ଅଭିହିତ କରିଛନ୍ତି କଂଗ୍ରେସ ନେତା ରାହୁଲ। ଏଥିସହ ସଂସଦର ଉଭୟ ଗୃହରେ କ୍ୟଷି ବିଲ୍ ବିଧିବଦ୍ଧ ଭାବେ ପ୍ରତ୍ୟାହାର ହୋଇଥିଲେ ମଧ୍ୟ ଏନେଇ କୌଣସି ଗୃହରେ କୌଣସି ପ୍ରକାରର ଆଲୋଚନା କରା ନଯିବା ଘଟଣାର ତୀବ୍ର ସମାଲୋଚନା କରିଛନ୍ତି ରାହୁଲ। ଏନେଇ ସରକାରଙ୍କ ଉପରେ ବର୍ଷିବା ସହ କାହିଁକି ଆଲୋଚନା କରିବାକୁ ସରକାର ଡରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, କୃଷି ଆଇନ ପ୍ରତ୍ୟାହାର ବିଲ ଉପରେ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକ ଚାହୁଁଥିଲେ ମଧ୍ୟ ବାଚସ୍ପତି ଆଲୋଚନା ପାଇଁ ସମ୍ମତ୍ତି ପ୍ରଦାନ କରି ନଥିଲେ। ଫଳରେ ବିରୋଧୀ ସାଂସଦମାନେ ସଂସଦରେ ପ୍ରବଳ ହୋହଲ୍ଲା କରିଥିଲେ। ଏହାର ଜବାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଥିଲେ ଯେ ଆଇନ ଆଣିଲା ବେଳେ ସଂସଦର ଉଭୟ ଗୃହରେ ଚର୍ଚ୍ଚା ହୋଇଥିବାରୁ ପ୍ରତ୍ୟାହାର ବେଳେ ଆଉ ଏହା ଉପରେ ଆଲୋଚନାର ପ୍ରୟୋଜନ ନଥିଲା।
ସେପଟେ ସଂସଦରେ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ବିଲ୍ ପାରିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ। କୃଷି ଆଇନ ପ୍ରତ୍ୟାହାର ପାଇଁ ଚାଲିଥିବା ଆନ୍ଦୋଳନ ବେଳେ ଜୀବନ ହରାଇଥିବା ୭୫୦ ଚାଷୀଙ୍କ ପାଇଁ ଏକ ଶ୍ରଦ୍ଧାଂଜଳି ବୋଲି କହିଛନ୍ତି ଟିକାୟତ। ତେବେ ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ଥିବା ଅନ୍ୟାନ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ।
Follow Us