ନୂଆଦିଲ୍ଲୀ: ‘ସବୁ ଚୋର କାହିଁକି ମୋଦୀ ସାଙ୍ଗିଆ ବହନ କରିଛନ୍ତି’ ବୋଲି ୨୦୧୯ ଏପ୍ରିଲ୍ରେ ରାଜନୈତିକ ପ୍ରଚାର ଅଭିଯାନ ବେଳେ ରାହୁଲ୍ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଉପରେ ଆଗତ ମାନହାନି ମାମଲାର ଶୁଣାଣି କରି ଆଜି ଗୁଜରାଟର ସୁରତ ଜିଲ୍ଲାସ୍ଥିତ ଏକ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡାଦେଶ ଦେଇଛନ୍ତି।
ଏହି କ୍ରମରେ ଆଉ ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି ରାହୁଲଙ୍କ ସମସ୍ୟା ଏଠି ଶେଷ ହୋଇନାହିଁ। ଏଭଳି ମନ୍ତବ୍ୟ ପାଇଁ ତାଙ୍କୁ ଆଗକୁ ଆହୁରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ସୂଚନାଯୋଗ୍ୟ, କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧିଙ୍କୁ ସୁରତ ଅଦାଲତ ଦୋଷୀ ସାବ୍ୟସ୍ତ କରିବା ପରେ ଯଦି ଉପର ନ୍ୟାୟାଳୟ ଦ୍ବାରା ତାଙ୍କ ଦଣ୍ଡକୁ ଖାରଜ ନକରାଯାଏ, ତେବେ ରାହୁଲଙ୍କୁ ସାଂସଦ ଭାବେ ଅଯୋଗ୍ୟ ଘୋଷଣା କରାଯିବ। କେବଳ ଏତିକି ନୁହେଁ, ସେ ଆଗାମୀ ଦିନରେ ନିର୍ବାଚନ ବି ଲଢ଼ି ପାରିବେ ନାହିଁ।
ଜନପ୍ରତିନିଧିତ୍ବ ଅଧିନିୟମ ୧୯୫୧ ଆଧାରରେ, ଯଦି କୌଣସି ବ୍ୟକ୍ତିଙ୍କୁ ଦୁଇବର୍ଷରୁ ଅଧିକ ଜେଲଦଣ୍ଡର ଶୁଣାଣି ହୁଏ, ତେବେ ଉକ୍ତ ବ୍ୟକ୍ତି ଜେଲଦଣ୍ଡର ଅବଧି ଓ ଛଅବର୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ହୋଇଯାଇଥାଏ। ଏହା ମଧ୍ୟ ସୂଚାଉଛି କି ରାହୁଲ ଗାନ୍ଧିଙ୍କର ସଂସଦ ପଦ ହରାଇବାର ଆଶଙ୍କା ରହିଛି।
‘ଆଇପିସି’ ଧାରା ୫୦୪ ଅନୁଯାୟୀ ରାହୁଲ୍ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ମାମଲାରେ ରାହୁଲ୍ ୩୦ ଦିନ ପାଇଁ ଜାମିନ ପାଇଛନ୍ତି। ଏହାଛଡ଼ା, ଏହି ନିଷ୍ପତ୍ତି ଉପରେ ଆବେଦନ କରିବା ଲାଗି ମଧ୍ୟ ତାଙ୍କୁ ଅନୁମତି ମିଳିଛି।
Follow Us