ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖିମପୁର ଖେରିରେ ୪ ଜଣ କୃଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ବିବାଦ ଥମିବାର ନାମ ନେଉନାହିଁ। ଆଜି ଉତ୍ତରପ୍ରଦେଶ ସରକାର ରାଜନୈତିକ ଦଳମାନଙ୍କ ଗସ୍ତ ନେଇ କଟକଣା କୋହଳ କରିବା ସହ ସୀତାପୁରରେ ଗିରଫ ହୋଇଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ମୁକ୍ତ କରିଛନ୍ତି। ପ୍ରିୟଙ୍କା ତାଙ୍କ ଭାଇ ରାହୁଲ ଗାନ୍ଧିଙ୍କ ସହିତ ଲଖିମପୁର ଖେରି ଯାଇ ଆଜି ରାତିରେ ପୀଡ଼ିତ କୃଷକ ପରିବାରକୁ ଭେଟିଛନ୍ତି। ପୀଡ଼ିତ ପରିବାରଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରିୟଙ୍କା-ରାହୁଲ ଆଶ୍ବାସନା ଦେଇଛନ୍ତି। ଅନ୍ୟପକ୍ଷରେ ସୁପ୍ରିମ୍କୋର୍ଟ ଲଖିମପୁର ଖେରି ହିଂସା ମାମଲାକୁ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଏହି ମାମଲାରେ ଆସନ୍ତାକାଲି ପ୍ରଧାନ ବିଚାରପତି ଏନ୍ଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରିବେ।
ଉତ୍ତରପ୍ରଦେଶ ସରକାର ଆଜି ସମସ୍ତ ରାଜନୈତିକ ଦଳକୁ ଲଖିମପୁର ଖେରି ଯିବାପାଇଁ ଅନୁମତି ଦେଇଥିବାରୁ ହିଂସା ମାମଲା ନେଇ ଆଗକୁ ରାଜନୀତି ସରଗରମ ହେବ। ତେବେ ଏକ ସମୟରେ ପ୍ରତି ରାଜନୈତିକ ଦଳରୁ କେବଳ ୫ ଜଣ ହିଁ ଲଖିମପୁର ଯାଇପାରିବେ ବୋଲି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅବନୀଶ କୁମାର ଅୱସ୍ଥି ସୂଚନା ଦେଇଛନ୍ତି। ଆଜି ପ୍ରଥମେ ରାହୁଲ ଏବଂ ପ୍ରିୟଙ୍କାଙ୍କ ସମେତ ମୋଟ୍ ୫ ଜଣଙ୍କୁ ଲଖିମପୁର ଯିବାପାଇଁ ଅନୁମତି ମିଳିଥିଲା ଏବଂ ପରେ ସବୁ ରାଜନୈତିକ ଦଳ ପାଇଁ ଲଖିମପୁର ଗସ୍ତ ନେଇ ରହିଥିବା ପ୍ରତିବନ୍ଧକ ହଟାଇ ଦିଆଯାଇଛି। ଯେଉଁ ରାଜନୈତିକ ଦଳର ପ୍ରତିନିଧିମାନେ ଲଖିମପୁର ଯିବେ ସେମାନେ ସେଠାରେ ଶାନ୍ତି ନଷ୍ଟ ହେଲା ଭଳି କାମ ନ କରିବାକୁ ସରକାର କହିଛନ୍ତି। ଆଜି ରାହୁଲଙ୍କୁ ଲଖିମପୁର ଯିବାପାଇଁ ଅନୁମତି ମିଳିବା ପରେ ସେ ପ୍ରଥମେ ସୀତାପୁରରେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିଥିଲେ ଏବଂ ପରେ ସେମାନେ ସେଠାରୁ ଲଖିମପୁର ଗସ୍ତ କରିଥିଲେ। ରାହୁଲ, ପ୍ରିୟଙ୍କାଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, କେସି ବେଣୁଗୋପାଳ, ରଣଦୀପ ସୂର୍ଯେୱାଲା ଏବଂ ଦୀପେନ୍ଦ୍ର ହୁଦା ମଧ୍ୟ ଲଖିମପୁର ଖେରି ଗସ୍ତ କରିଛନ୍ତି। ଆପ୍ର ଏକ ପ୍ରତିନିଧି ଦଳ ଆଜି ଲଖିମପୁର ଗସ୍ତ କରି ମୃତ କୃଷକଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଆପ୍ ନେତା ସଂଜୟ ସିଂହ, ରାଘବ ଚଢ଼ା ପ୍ରମୁଖ ପୀଡ଼ିତ ପରିବାରକୁ ଭେଟିଥିବା ଜଣାପଡ଼ିଛି।
Follow Us