ମୋଦୀଙ୍କ ବିରୋଧରେ ଗର୍ଜିଲେ ରାହୁଲ-ସୋନିଆ: କଂଗ୍ରେସର ନିର୍ବାଚନ ଲଢ଼ିବା କ୍ଷମତାକୁ ସଙ୍କୁଚିତ କରାଯାଉଛି

Advertisment

ଦଳର ଆର୍ଥିକ ଶକ୍ତିକୁ ଦୁର୍ବଳ କରିବାକୁ ‌ଷଡ଼୍‌ଯନ୍ତ୍ର

ଦଳର ଆର୍ଥିକ ଶକ୍ତିକୁ ଦୁର୍ବଳ କରିବାକୁ ‌ଷଡ଼୍‌ଯନ୍ତ୍ର

ମୋଦୀଙ୍କ ବିରୋଧରେ ଗର୍ଜିଲେ ରାହୁଲ-ସୋନିଆ: କଂଗ୍ରେସର ନିର୍ବାଚନ ଲଢ଼ିବା କ୍ଷମତାକୁ ସଙ୍କୁଚିତ କରାଯାଉଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସର ନିର୍ବାଚନ ଲଢ଼ିବା କ୍ଷମତାକୁ ସଙ୍କୁଚିତ କରିଦେବାକୁ ଯୋଜନାବଦ୍ଧ ପ୍ରୟାସ କରୁଛନ୍ତି ଏବଂ ଏଥିପାଇଁ ଦଳକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବାକୁ ଷଡ଼୍‌ଯନ୍ତ୍ର ହୋଇଛି ବୋଲି ଆଜି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼୍‌ଗେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି କଡ଼ା ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହିଁ ଦଳର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିଦିଆଯାଇଛି ବୋଲି କହିଛନ୍ତି। କଂଗ୍ରେସ ନିରପେକ୍ଷ ନିର୍ବାଚନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରୁଥିବା ବେଳେ କଂଗ୍ରେସର ନିର୍ବାଚନ ଲଢ଼ିବା ଶକ୍ତିକୁ ସଙ୍କୁଚିତ କରିଦିଆଯାଉଛି ବୋଲି ଏହି ନେତାମାନେ ଅଭିଯୋଗ କରିଛନ୍ତି। ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ମଧ୍ୟ କଂଗ୍ରେସ ନେତାମାନେ ବିଜେପି ସରକାରକୁ ଘେରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ କଂଗ୍ରେସ ଦଳର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଯାଇଥିବାରୁ ପ୍ରଚାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଗତ ମାସରେ ଆୟକର ବିଭାଗ କଂଗ୍ରେସ ଆକାଉଣ୍ଟରେ ଥିବା ୧୧୫ କୋଟି ଟଙ୍କା ଫ୍ରିଜ୍ କରିଥିବାରୁ ଦଳର ଆର୍ଥିକ ସ୍ଥିତି ଜଟିଳ ହୋଇଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ ଏହାକୁ ରୋକିବା ପାଇଁ କଂଗ୍ରେସ ଦଳର ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଦେଇଥିଲେ।

ସାମ୍ବାଦିକ ସମ୍ମିଳନୀରେ ସୋନିଆ କହିଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଦଳକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବା ପାଇଁ ଗୋଟିଏ ପରେ ଗୋଟିଏ ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଆହ୍ୱାନଜନକ ପରିସ୍ଥିତିରେ ମଧ୍ୟ ଆମେ ଆମର ନିର୍ବାଚନ ପ୍ରଚାର ବଜାୟ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ। ଜନସାଧାରଣଙ୍କଠାରୁ ଆଦାୟ ହୋଇଥିବା ପାଣ୍ଠିକୁ ଅଚଳ କରାଯାଉଛି ଏବଂ ଆମ ଆକାଉଣ୍ଟରୁ ବଳପୂର୍ବକ ଟଙ୍କା ନିଆଯାଇଥିବାରୁ ଆମେ ଏହାର ପ୍ରତିବାଦ ଜାରି ରଖିବୁ ବୋଲି ସୋନିଆ କହିଛନ୍ତି। ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ବିଜେପି ସରକାରକୁ ଟାର୍ଗେଟ କରି ସୋନିଆ କହିଛନ୍ତି, ଏନ୍‌ଡିଏ ସରକାରର ଇଲେକ୍ଟୋରାଲ ବଣ୍ଡକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ଘୋଷଣା କରିଛନ୍ତି ଏବଂ ଏହି ଯୋଜନାରେ ବିଜେପି କ’ଣ ହାସଲ କରିଛି ତାହା ଏବେ ସମସ୍ତେ ଜାଣନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଆକାଉଣ୍ଟ ଅଚଳ କରିବା କଂଗ୍ରେସ ଦଳ ଉପରେ ଏକ ଅପରାଧିକ କାର୍ଯ୍ୟାନୁଷ୍ଠାନ। ଏଣୁ ଭାରତ ଏକ ଗଣତନ୍ତ୍ର ବୋଲି ଯେଉଁ ଧାରଣା ରହିଛି ତାହା ମିଥ୍ୟା ପ୍ରତିପାଦିତ ହୋଇଛି । ଆଜି ଭାରତରେ ଗଣତନ୍ତ୍ର ନାହିଁ। ଭାରତ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ବୋଲି କେବଳ ଏକ ମିଛ ଧାରଣା ରହିଛି। ନିର୍ବାଚନରେ ଆମକୁ ପଙ୍ଗୁ କରିବା ପାଇଁ ଏଭଳି ଯୋଜନା କରାଯାଇଛି। ନିରପେକ୍ଷ ଭାବେ ନିର୍ବାଚନ କରାଇବା ଗଣତନ୍ତ୍ର ପାଇଁ ଜରୁରୀ ବୋଲି ଦଳର ସଭାପତି ଖଡ଼ଗେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଲୋକସଭା ନିର୍ବାଚନ ଘୋଷଣା ହୋଇସାରିଛି। ଗଣତନ୍ତ୍ର ପାଇଁ ନିରପେକ୍ଷ ଭାବେ ନିର୍ବାଚନ କରାଇବା ସହ ସମସ୍ତ ରାଜନୈତିକ ଦଳକୁ ସମାନ ସୁଯୋଗ ଯୋଗାଇଦେବା ଜରୁରୀ। ତେବେ ଏନ୍‌ଡିଏ ସରକାର ଇଡି, ଆଇଟି ଏବଂ ଅନ୍ୟ ସ୍ୱୟଂଶାସିତ ସଂସ୍ଥାକୁ ନିୟନ୍ତ୍ରଣ କରି ବିରୋଧୀଙ୍କୁ ଟାର୍ଗେଟ୍‌ କରୁଥିବାରୁ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି । ଗତ କିଛି ଦିନ ମଧ୍ୟରେ ସୁପ୍ରିମ୍ କୋର୍ଟଙ୍କ ହସ୍ତକ୍ଷେପ ପରେ ଇଲେକ୍ଟୋରାଲ ବଣ୍ଡ୍ ବିଷୟରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଦେଶର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଛି ବୋଲି ଖଡ଼ଗେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe