ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଗୁରୁବାର ଲୋକସଭାରେ ନୂଆ କୃଷି ଆଇନକୁ ନେଇ ସରକାରଙ୍କୁ ଘେରିଛନ୍ତି। କୃଷି ଆଇନର ଅସଲ ଉଦ୍ଦେଶ୍ୟ ସଂପର୍କରେ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରୁନାହାନ୍ତି ବୋଲି ଅଭିଯୋଗ କରି ରାହୁଲ କହିଥିଲେ ଯେ ନୂଆ କୃଷି ଆଇନ କେବଳ ‘ହମ୍ ଦୋ ହମାରେ ଦୋ’ (ଆମେ ଦୁଇ, ଆମର ଦୁଇ)ଙ୍କ ପାଇଁ ଆସିଛି। ରାହୁଲଙ୍କ ଇଙ୍ଗିତ ଉଦ୍ୟୋଗପତି ବନ୍ଧୁଙ୍କ ପ୍ରତି ରହିଥିଲା । ସରକାର କେବଳ ନିର୍ଦ୍ଦିଷ୍ଟ ପୁଂଜିପତିଙ୍କ ସ୍ବାର୍ଥ ହାସଲ ପାଇଁ ନୂଆ କୃଷି ଆଇନ ଆଣିଛନ୍ତି ଏବଂ ଏହା ଦେଶର ଚାଷୀଙ୍କୁ ତଳିତଳାନ୍ତ କରିବ ବୋଲି ରାହୁଲ କହିଥିଲେ। ନୂଆ କୃଷି ଆଇନରେ ବେପାରୀଙ୍କ ପାଇଁ ଖରିଦଦାରିରେ କୌଣସି ନିୟନ୍ତ୍ରଣ ରଖିବାକୁ ସରକାର ଚାହୁନାହାନ୍ତି ଏବଂ ଏହା ହେଲେ ଦେଶରେ ମଣ୍ଡି ବ୍ୟବସ୍ଥା ବନ୍ଦ ହୋଇଯିବ ବୋଲି ରାହୁଲ କହିଥିଲେ।
ଦେଶକୁ ଏବେ ୪ ଜଣ ଚଳାଉଛନ୍ତି ଏବଂ ଏଥିପାଇଁ ଏଭଳି ଅବସ୍ଥା ଉପୁ୍ଜିଛି ବୋଲି ସେ କହିଥିଲେ। ରାହୁଲଙ୍କ ଭାଷଣକୁ ବିରୋଧ କରି ଶାସକ ଦଳ ପକ୍ଷରୁ ସ୍ଲୋଗାନ ଦିଆଯାଇଥିଲା। ରାହୁଲ ଗାନ୍ଧି କଂଗ୍ରେସ ବୈଠକରେ ଭାଷଣ ଦେବା ଭଳି ସଂସଦରେ ମଧ୍ୟ ସେଭଳି ଢଙ୍ଗରେ କହୁଛନ୍ତି ବୋଲି କେତେକ ବିଜେପି ସାଂସଦ କହିଥିଲେ। ହଟ୍ଟଗୋଳ ଭିତରେ ରାହୁଲ କହିଥିଲେ ଯେ ନୂଆ କୃଷି ଆଇନ ଦେଶରେ ଭୋକ, ବେକାରୀ ଏବଂ ଆତ୍ମହତ୍ୟା ବଢ଼ାଇବା ନିଶ୍ଚିତ।
Follow Us