Hindustan Times
ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ସହ ସମ୍ପର୍କିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦୀର୍ଘ ୯ ଘଣ୍ଟା ଧରି ଜେରା କରିଛି। ଆଜି (ମଙ୍ଗଳବାର) ତାଙ୍କୁ ପୁଣି ଜେରା କରାଯିବ। ଏଥିଲାଗି ତାଙ୍କୁ ଇଡି ସମନ୍ କରିଥିବା ଜଣାପଡ଼ିଛି। ୫୧ ବର୍ଷୀୟ ରାହୁଲ ଇଡି ମୁଖ୍ୟାଳୟରେ ସୋମବାର ଦିନ ୧୧ଟା ବେଳେ ପହଞ୍ଚିଥିଲେ। ପ୍ରଥମ ପର୍ଯ୍ୟାୟ ଜେରା ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା। ଲଞ୍ଚ ବ୍ରେକ୍ ପରେ ଦ୍ବିତୀୟ ପର୍ଯ୍ୟାୟ ଜେରା ଅପରାହ୍ଣ ୩ଟା ୪୫ରୁ ଆରମ୍ଭ ହୋଇ ୬ ଘଣ୍ଟା ଧରି ଚାଲିଥିଲା। ରାହୁଲଙ୍କୁ ଇଡିର ଜଣେ ଉପନିର୍ଦ୍ଦେଶକ ପାହ୍ୟା ଅଧିକାରୀ ଜେରା କରିଥିଲେ। ଆଉ ଦୁଇ ଜଣ ଅଧିକାରୀ ପର୍ଯ୍ୟବେକ୍ଷଣ କରିଥିଲେ। ମନି ଲଣ୍ଡରିଂ ନିବାରଣ ଆଇନର ଧାରା ୫୦ ଅନୁସାରେ ରାହୁଲଙ୍କୁ ପଚରାଯାଇଥିବା ପ୍ରଶ୍ନ ଓ ତା’ର ଉତ୍ତରକୁ ରେକର୍ଡ କରାଯାଇଥିଲା।
ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ୍ ଲିମିଟେଡ୍ (ୱାଇଆଇଏଲ୍) ମାଲିକାନାରେ ଥିବା ନ୍ୟାସନାଲ ହେରାଲ୍ଡ ଖବରକାଗଜକୁ ନେଇ ହୋଇଥିବା ଆର୍ଥିକ ଅନିୟମିତତା ସମ୍ପର୍କରେ ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା। ସେୟାରହୋଲ୍ଡିଂ ଢାଞ୍ଚା, ଆସୋସିଏଟେଡ୍ ଜର୍ନାଲ୍ସ ଲିମିଟେଡ୍ (ଏଜେଏଲ୍)ର ସମ୍ପତ୍ତିଗୁଡ଼ିକୁ ୱାଇଆଇଏଲ୍କୁ ହସ୍ତାନ୍ତର ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଇଡି ପ୍ରଶ୍ନ କରିଥିଲା। ଏହାଛଡ଼ା ଏହାକୁ ନେଇ ହୋଇଥିବା ଆର୍ଥିକ କାରବାର ଏବଂ ଦଳର କେଉଁ ସବୁ ନେତାଙ୍କର ଏଜେଏଲ୍ ଓ ୱାଇଆଇଏଲ୍ର ପରିଚାଳନାରେ ଭୂମିକା ଥିଲା ସେ ବିଷୟରେ ମଧ୍ୟ ଇଡି ପ୍ରଶ୍ନ କରିଛି।
The English Postସୂଚନାଯୋଗ୍ୟ ଯେ ନ୍ୟାସନାଲ ହେରାଲ୍ଡ ଖବରକାଗଜ ଆସୋସିଏଟେଡ୍ ଜର୍ନାଲ୍ସ ଲିମିଟେଡ୍ (ଏଜେଏଲ୍) ଦ୍ବାରା ପ୍ରକାଶିତ ହେଉଥିଲା। ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ଲାଗି କଂଗ୍ରେସ ଏଜେଏଲ୍କୁ ଋଣ ଦେଇଥିଲା। ଏଜେଏଲ୍ ଋଣ ସୁଝି ନପାରିବାରୁ ୱାଇଆଇଏଲ୍ ଏହାକୁ ଅଧିଗ୍ରହଣ କରିଥିଲା। ଏହି ସଂସ୍ଥା ସହିତ ଗାନ୍ଧି ପରିବାର ଓ ଅନେକ କଂଗ୍ରେସ ନେତା ସଂପୃକ୍ତ ଅଛନ୍ତି। ଏହି ଅଧିଗ୍ରହଣକୁ ନେଇ ବିବାଦ ଉଠିଛି। ଅଭିଯୋଗ ହୋଇଛି ଏହି ମାମଲାରେ କୋଟି କୋଟି ଟଙ୍କା ହେଫେର ହୋଇଛି। ଏହାକୁ ଆଧାର କରି ଇଡି ରାହୁଲଙ୍କୁ ଜେରା କରୁଛି। ଏହି ମାମଲାରେ ସୋନିଆ ଗାନ୍ଧିଙ୍କୁ ମଧ୍ୟ ଇଡି ଜେରା କରିବ। ଅସୁସ୍ଥତା କାରଣରୁ ସେ ହସ୍ପିଟାଲରେ ଥିବା ବେଳେ ଜୁନ୍ ୨୩ରେ ତାଙ୍କୁ ଇଡି ମୁଖ୍ୟାଳୟରେ ହାଜର ହେବାକୁ ସାନି ସମନ ଜାରି କରାଯାଇଛି।
ରାହୁଲ ସୋମବାର ଦିନ ଇଡି ଅଫିସ ଯିବା ସମୟରେ କଂଗ୍ରେସ ବଡ଼ ଧରଣର ବିକ୍ଷୋଭ କରିବାକୁ ଯୋଜନା କରିଥିଲା। କିନ୍ତୁ ଦିଲ୍ଲୀ ପୁଲିସ ଏଥିଲାଗି ଅନୁମତି ଦେଇନଥିଲା। ରାହୁଲଙ୍କ ସହିତ ଆସୁଥିବା ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଅଟକାଇବା ଲାଗି ଇଡି ଅଫିସ ସମ୍ମୁଖରେ ବ୍ୟାରିକେଡ୍ ଲଗାଇଥିଲା। ବ୍ୟାରିକେଡ୍ ପାଖରେ ସେମାନଙ୍କୁ ଅଟକାଇବାରୁ ଚିଦମ୍ବରମ, ବେଣୁଗୋପାଳ, ଜୟରାମ ରମେଶ ପ୍ରମୁଖ ଧାରଣାରେ ବସିଥିଲେ। ସେମାନଙ୍କୁ ପୁଲିସ ଉଠାଇନେଇଥିଲା। ଜେରା ପୂର୍ବରୁ ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟ ବାହାରେ ବିକ୍ଷୋଭରତ ଅନେକ କଂଗ୍ରେସ କର୍ମୀଙ୍କୁ ଅଟକ ରଖାଯାଇଥିଲା। ବିଭିନ୍ନ ଥାନାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, କେସି ବେଣୁଗୋପାଳ ପ୍ରମୁଖଙ୍କୁ ଅଟକ ରଖାଯାଇଛି। ଦିଲ୍ଲୀରେ ବିକ୍ଷୋଭ ସମୟରେ ପୁଲିସର ଠେଲାପେଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ ଆହତ ହୋଇଛନ୍ତି। ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ଼ା କହିଛନ୍ତି ଯେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ରାଜନୈତିକ ଅସୂୟାପରାୟଣ ହୋଇ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।
Follow Us