ରାହୁଲଙ୍କୁ ଭେଟିଲେ ରାଜ୍ୟ କଂଗ୍ରେସର ୧୯ ନେତା

Advertisment
ରାହୁଲଙ୍କୁ ଭେଟିଲେ ରାଜ୍ୟ କଂଗ୍ରେସର ୧୯ ନେତା

ନୂଆ ପିସିସି ସଭାପତି ଚୟନ ଓ ସାଂଗଠନିକ ନବକଳେବର ପାଇଁ ମାନସ ମନ୍ଥନ
ନେତାଙ୍କୁ ଶୃଙ୍ଖଳାର ପାଠ ପଢ଼ାଇଲେ ରାହୁଲ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କୁ ତାଙ୍କ ୧୨, ତୋଗଲକ ଲେନ୍‌ସ୍ଥିତ ସରକାରୀ ବାସଭବନରେ ରାଜ୍ୟ କଂଗ୍ରେସର ୧୯ ତୁଙ୍ଗ ନେତା ଭେଟି ଆଲୋଚନା କରିଛନ୍ତି। ଓଡ଼ିଶାରେ ନୂତନ ପିସିସି ସଭାପତି ଚୟନ ଏବଂ ସାଙ୍ଗଠନିକ ନବ‌କଳେବର ନେଇ ବିସ୍ତୃତ ଆଲୋଚନା ହୋଇଛି। କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ‌ଯୋଗଦେବା ପରେ ଏହି ନେତାମାନେ ରାହୁଲଙ୍କୁ ଭେଟିଥିଲେ। ଦୀର୍ଘ ୪୫ ମିନିଟ୍‌ ଧରି ବୈଠକ ଚାଲିଥିଲା। ବୈଠକରେ ରାହୁଲ ରାଜ୍ୟରେ କଂଗ୍ରେସର ସ୍ଥିତିକୁ କିପରି ସୁଦୃଢ଼ କରାଯାଇପାରିବ, ସେ ନେଇ ‌ନେତାମ‌ାନଙ୍କ ମତାମତ ‌ନେଇଥିବା ଜଣାପଡ଼ିଛି।

ବିଶ୍ବସ୍ତସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ ଓଡ଼ିଶା କଂଗ୍ରେସର ଆଗାମୀ ଦିନରେ କ’ଣ ସବୁ ଯୋଜନା ରହିଛି, ସେ ନେଇ ରାହୁଲ ନେତାମାନଙ୍କୁ ପ୍ରଶ୍ନ କରିଥି‌ଲେ। ବୈଠକରେ ଦଳୀୟ ଶୃଙ୍ଖଳା ଉପରେ ବିଶେଷ ଗୁରୁତ୍ବ ଦେବାପାଇଁ ନେତାମାନଙ୍କୁ ପରାମର୍ଶ ଦେଇଥିଲେ। ଦଳୀୟ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଥିଲେ। ଗୋଷ୍ଠୀକନ୍ଦଳ ଭଳି ପ୍ରସଙ୍ଗରେ ମଧ୍ୟ ରାହୁଲ ନେତାମାନଙ୍କୁ ତାଗିଦ୍‌ କରିଥିଲେ। ଏଥିସହିତ; ତୃଣମୂଳ ସ୍ତରରୁ ନେତାମାନଙ୍କ ମଧ୍ୟରେ କି ଭଳି ସମନ୍ବୟ ରହିପାରିବ, ସେ ନେଇ ଗୁରୁତ୍ବାରୋପ କରିବା ସହ ସବୁନେତା ଏକାଠିହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।

ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଅଧିକ ସମୟ ଆଲୋଚନା କରିଥିଲେ। ଅନ୍ୟ ନେତାମାନେ ଏକ ମିନିଟ୍‌ ଲେଖାଏଁ କହିଥିଲେ। ଓଡ଼ିଶା ପ୍ରଭାରୀ ଏ ଚେଲ୍ଲାକୁମାରଙ୍କ ସୁପାରିସ ଆଧାରରେ ରାହୁଲ ୨୦୨୪ ସାଧାରଣ ନିର୍ବାଚନ ବ୍ଲୁ-ପ୍ରିଣ୍ଟ୍‌ ଉପରେ ନେତାମାନଙ୍କ ସହ ଆଲୋଚନା କରିଥିଲେ। ୨୦୨୪ ପାଇଁ ରଣନୀତି ପ୍ରସ୍ତୁତି ସହ ନେତାମାନେ ଲୋକମାନଙ୍କ ପାଖରେ କିଭଳି ଆସ୍ଥାଭାଜନ ହୋଇପାରିବ, ସେ ନେଇ ପ୍ରୟାସ ଜୋରଦାର କରିବାକୁ ସେ କହିଥିଲେ। ବୈଠକରେ ନୂ୍ଆ ପିସିସି ସଭାପତି, ବିଧାୟକ ଦଳ ନେତା ତଥା ପାର୍ଟିର ନୂଆ ସଚେତକ ନିଯୁକ୍ତି ଭଳି ପ୍ରସଙ୍ଗ ସ୍ଥାନ ପାଇଥିଲା କି ନାହିଁ ସେ ସଂପର୍କରେ କୌଣସି ନେତା ଗଣମାଧ୍ୟମକୁ ସ୍ପଷ୍ଟ ସୂଚନା ଦେଇନାହାନ୍ତି।

ଗଣମାଧ୍ୟମକୁ ସୂଚନାଦେଇ ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି , ବୈଠକରେ ରାଜ୍ୟ ନେତାମାନଙ୍କ ସହିତ ରାହୁଲ ‘ୱାନ୍‌-ଟୁ -ୱାନ୍‌’ ଆଲୋଚନା କରିଥିଲେ। ବୈଠକ ସଫଳ ହୋଇଥିବା ସେ କହିଛନ୍ତି। ତେବେ, ପିସିସି ସଭାପତି ପଦ ପାଇଁ କେଉଁ ନେତାଙ୍କ ନାମ ସେ ପ୍ରସ୍ତାବ ଦେଇଛନ୍ତି, ସେ ସଂପର୍କରେ ସେ ଖୋଲାଖୋଲି କିଛି କହିନାହାନ୍ତି । ତେବେ, ରାଜ୍ୟରେ କଂଗ୍ରେସ ସଂଗଠନର ସଂପୂର୍ଣ୍ଣ ପରିବର୍ତ୍ତନ ପାଇଁ ସେ ପ୍ରସ୍ତାବ ଦେଇଥିବା କହିଛନ୍ତି। କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ ସମସ୍ତଙ୍କୁ ନେଇ ଚାଲିବା ତଥା ଯୁବକଯୁବତୀମାନଙ୍କୁ ଅଧିକ ସୁଯୋଗ ଦେବାପାଇଁ ସେ ରାହୁଲଙ୍କୁ କହିଥିବା ଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି।

ଓଡ଼ିଶାରେ କଂଗ୍ରେସ ସଂଗଠନକୁ କିଭଳି ମଜବୁତ କରାଯିବ, ସେ ନେଇ ବୈଠକରେ ଆଲୋଚନା ହୋଇଥିବା ବିଧାୟକ ନରସିଂହ ମିଶ୍ର କହିଛନ୍ତି। ସମସ୍ତ ନେତାଙ୍କ ସହିତ ରାହୁଲ ବିସ୍ତୃତଭାବେ ଆଲୋଚନା କରି ମତାମତ ନେଇଛନ୍ତି। ବୈଠକରେ ଏଆଇସିସି ଓଡ଼ିଶା ପ୍ରଭାରୀ ଏ. ଚେଲ୍ଲାକୁମାର, ସହ-ପ୍ରଭାରୀ ରୁଦ୍ର ରାଜୁ, ରାଜ୍ୟ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଂଜିବୀ ବିଶ୍ବାଳ, କଂଗ୍ରେସ ସାଂସଦ ସପ୍ତଗିରି ଉଲାକା, ରାଜ୍ୟ କଂଗ୍ରେସର ନଅ ଜଣ ବିଧାୟକ, ଏଆଇସିସିର ବିହାର ଓ ମଣିପୁର ପ୍ରଭାରୀ ଭକ୍ତ ଚରଣ ଦାସ, ଏଆଇସିସି ସଚିବ ଶରତ ରାଉତ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ଓ ପୂର୍ବତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଯୋଗଦେଇଥିଲେ।

ରାହୁଲଙ୍କ ସହ ବୈଠକ ପୂର୍ବରୁ ଆଜି ଏଆଇସିସି ଓଡିଶା ପ୍ରଭାରୀ ଡ. ଚେଲାକୁମାର ରାଜ୍ୟ ନେତାମ‌ାନଙ୍କ ସହିତ ସ୍ଥାନୀୟ କନଷ୍ଟିଚ୍ୟୁସନ୍‌ କ୍ଲବରେ ମଧ୍ୟାହ୍ନ ଭୋଜନ ଅବସରରେ ଆଲୋଚନା କରିଥିଲେ। ଏହି ବୈଠକରେ ରାଜ୍ୟ ନେତାମାନେ ‌ପିସିସି ସଭାପତି ପରିବର୍ତ୍ତନ ସହିତ ଦଳୀୟ ସଂଗଠନକୁ ନେଇ ସେମାନଙ୍କର ମତ ଜଣାଇଥିଲେ। ରାହୁଲଙ୍କ ସହ ଆଜିର ବୈଠକ ପରେ ଖୁବ୍‌ଶୀଘ୍ର ନୂଆ ପିସିସି ସଭାପତିଙ୍କ ଚୟନ ତଥା ସାଂଗଠନିକ ନବକଳେବର ହେବା ନେଇ ଆଶା ଉଜ୍ଜୀବିତ ହୋଇଥିବା କଂଗ୍ରେସ ନେତାମାନେ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe