ଚର୍ଚ୍ଚାରେ ରାହୁଲଙ୍କ ବିବାଦୀୟ ବୟାନ: ଚୌକିଦାର ‌‌ଚୋର ‌ହୈ..’ରେପ୍‌ ଇନ୍‌ ଇଣ୍ଡିଆ’..

Advertisment
ଚର୍ଚ୍ଚାରେ ରାହୁଲଙ୍କ ବିବାଦୀୟ ବୟାନ: ଚୌକିଦାର ‌‌ଚୋର ‌ହୈ..’ରେପ୍‌ ଇନ୍‌ ଇଣ୍ଡିଆ’..

ନୂଆଦିଲ୍ଲୀ:  ‘ଦେଶରେ ସବୁ ଚୋରଙ୍କ ସାଙ୍ଗିଆ ମୋଦୀ’ ଟିପ୍ପଣୀ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦୁଇ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ତେବେ ଏଭଳି ଆପତ୍ତିଜନକ ବୟାନ ପ୍ରଥମ ନୁହେଁ ରାହୁଲ ପୂର୍ବରୁ ମଧ୍ୟ ଅନେକ ବିବାଦୀୟ ବୟାନ ଦେଇ ସମସ୍ୟାରେ ପଡ଼ିଛନ୍ତି।

ଚୌକିଦାର ‌‌ଚୌର ‌ହୈ
ରା‌ଫେଲ୍‌ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆକ୍ରମଣ କରି ରାହୁଲ ମୋଦୀଙ୍କୁ ‘ଚୌକିଦାର ଚୌର ହୈ’ କହିଥିଲେ। ପରବର୍ତ୍ତୀ ସମୟରେ ରାହୁଲ ଏକ ବିଭ୍ରାନ୍ତିକର ବୟାନ ଦେଇ କହିଥିଲେ-‘ଚୌକିଦାର ଜଣେ ଚୋର ଏବଂ ଏକଥା ସୁପ୍ରିମକୋର୍ଟ ମଧ୍ୟ ସ୍ବୀକାର କରିଛନ୍ତି।’ ରାହୁଲଙ୍କ ଏଭଳି ବୟାନ ପାଇଁ ବିଜେପି ସାଂସଦ ମିନାକ୍ଷୀ ଲେଖି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ‌ହୋଇଥିଲେ ଏବଂ ରାହୁଲ ଗାନ୍ଧିଙ୍କ ବିରୋଧରେ ଅଦାଲତ ଅବମାନନାରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତେବେ ରାହୁଲ ଏହି ଅନର୍ଥକାରୀ ବୟାନ ପାଇଁ ସୁପ୍ରିମକୋର୍ଟଙ୍କୁ ନିଃସର୍ତ୍ତ କ୍ଷମା ମାଗିଥିଲେ।

ମହାତ୍ମା ଗାନ୍ଧୀଙ୍କୁ ଆର୍‌ଏସ୍‌ଏସ୍‌ ହତ୍ୟା‌ କରିଛି
୨୦୧୪ରେ ଆରଏସଏସ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ)ର ସ୍ଥାନୀୟ କାର୍ଯ୍ୟକର୍ତ୍ତା ରାଜେଶ କୁଣ୍ଟେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ଥାନେର ଭିୱାଣ୍ଡିରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ରାହୁଲ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପଛରେ ଆରଏସଏସର ହାତ ଅଛି। ୨୦୧୮ରେ ରାହୁଲଙ୍କ ବିରୋଧରେ କୋର୍ଟ ଏନେଇ ଚାର୍ଜଫ୍ରେମ୍‌ କରିଥିଲେ। କିନ୍ତୁ ରାହୁଲ କହିଥିଲେ ସେ ଦୋଷୀ ନୁହନ୍ତି। ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ସେ ଆରଏସଏସକୁ କେବେ ବି ଦାୟୀ କରିନଥିବା ସେ କହିଥିଲେ।

‘ରେପ୍‌ ଇନ ଇଣ୍ଡିଆ’
ଝାଡ଼ଖଣ୍ଡରେ ଏକ ନିର୍ବାଚନ ରୢାଲିରେ ଉଦ୍‌ବୋଧନ ଦେଇ ରାହୁଲ ଏକ ବିବାଦୀୟ ବୟାନ ଦେଇଥିଲେ। ରାହୁଲ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଛନ୍ତି ‘ମେକ୍‌ ଇନ ଇଣ୍ଡିଆ’ କିନ୍ତୁ ଆଜି ଆମେ ‘ରେପ୍‌ ଇନ ଇଣ୍ଡିଆ’ ଦେଖୁଛୁ। ଦେଶରେ ସବୁଠି ମହିଳାମାନେ ଦୁଷ୍କର୍ମର ଶିକାର ହେଉଛନ୍ତି। ଏହାର ଜବାବ ଦେଇ ଜଣେ ସାମାଜିକ କର୍ମୀ ରାହୁଲଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲେ।

‘ଖୁନ୍‌ କି ଦଲାଲି’
୨୦୧୬ରେ ରାହୁଲ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ‌ ସେନାର ଆତଙ୍କବାଦ ନିରୋଧ ଅପରେସନ୍‌ର ରାଜ‌ନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରି ‘ଖୁନ୍‌ କି ଦଲାଲି’ କରୁଛନ୍ତି। ରାହୁଲ ଗାନ୍ଧି ପରେ ଏନେଇ ଏକ ସ୍ପଷ୍ଟୀକରଣ ଦେଇଥିଲେ। ରାହୁଲ କହିଥିଲେ ସେ ସର୍ଜିକାଲ ଷ୍ଟ୍ରାଇକ୍‌କୁ ସମର୍ଥନ କରନ୍ତି କିନ୍ତୁ ରାଜନୈତିକ ପୋଷ୍ଟରରେ ଭାରତୀୟ ସେନାର ବ୍ୟବହାରକୁ ସେ ‌କେବେ ବି ସମର୍ଥନ କରିବେନି।

ଅମିତ ଶାହଙ୍କ ବିରୋଧରେ ଟିପ୍ପଣୀ
୨୦୧୯ରେ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ରାହୁଲ ଜବଲପୁରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ‘ହତ୍ୟା ଅଭିଯୁକ୍ତ’ କହିଥିଲେ। ଏହି ଟିପ୍ପଣୀ ପାଇଁ ରାହୁଲ ସମସ୍ୟାରେ ପଡ଼ିଥିଲେ। ବିଭିନ୍ନ ମହଲରୁ ଏଥିପାଇଁ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe