ଆଦାନି ପ୍ରସଙ୍ଗରେ ରାହୁଲଙ୍କ ସାନି ଆକ୍ରମଣ: ଜାତୀୟ ସୁରକ୍ଷା ସହ ସାଲିସ କାହିଁକି?

ସ୍ମୃତିଙ୍କୁ ରାହୁଲ ଉତ୍ତର ଦେବେ: ଖଡ଼ଗେ, ଗଣତନ୍ତ୍ର ବିପଦରେ ନାହିଁ: ବିଜେପି

ଆଦାନି ପ୍ରସଙ୍ଗରେ ରାହୁଲଙ୍କ ସାନି ଆକ୍ରମଣ: ଜାତୀୟ ସୁରକ୍ଷା ସହ ସାଲିସ କାହିଁକି?

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଦାନି ମାମଲାରେ ସରକାରଙ୍କୁ ସାନି ଆକ୍ରମଣ ଆରମ୍ଭ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆଦାନି ଗ୍ରୁପ୍‌ର ଏକ ବିଦେଶୀ ନିବେଶକ ସଂସ୍ଥା ହେଉଛି ଆଦାନିଙ୍କ ଏକ ପ୍ରତିରକ୍ଷା ଫାର୍ମର ସହ-ମାଲିକ। ଏହାକୁ ନେଇ ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ, ଅଜଣା ବିଦେଶୀ ସଂସ୍ଥା ହାତରେ ଆମ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣକୁ ନିୟନ୍ତ୍ରଣ କରିବାର ଦାୟିତ୍ବ ଦେଇ ଭାରତର ଜାତୀୟ ସୁରକ୍ଷା ସହ ସାଲିସ କରାଯାଉଛି। କେତେକ ପ୍ରମୁଖ ଖବରକାଗଜରେ ପ୍ରକାଶ ପାଇଛି ଯେ, ଏଲାରା କ୍ୟାପିଟାଲ ଦ୍ବାରା ପରିଚାଳିତ ଏଲାରା ଇଣ୍ଡିଆ ଅପର୍ଚୁନିଟିଜ୍ ଫଣ୍ଡ୍ (ଏଲାରା ଆଇଓଏଫ୍‌) ହେଉଛି ମରିସସ୍‌ରେ ପଞ୍ଜୀକୃତ ପ୍ରମୁଖ ଚାରୋଟି ସଂସ୍ଥା ମଧ୍ୟରୁ ଅନ୍ୟତମ ଯିଏ ଆଦାନି ଗ୍ରୁପ୍ କମ୍ପାନିର ପ୍ରମୁଖ ସେୟାର୍‌ହୋଲ୍‌ଡର।

ରିପୋର୍ଟ ଅନୁସାରେ, ଆଦାନି ଗ୍ରୁପ୍ ସହ ଏଲାରା ଆଇଓଏଫ୍‌ ହେଉଛି ବେଙ୍ଗାଲୁରୁ-ଭିତ୍ତିକ ଡିଫେନ୍ସ କମ୍ପାନି ଆଲ୍‌ଫା ଡିଜାଇନ ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡ୍‌ର ଅନ୍ୟତମ ପ୍ରମୋଟର। ୨୦୦୩ ମସିହାରେ ବେଙ୍ଗାଲୁରୁଠାରେ ପ୍ରତିଷ୍ଠିତ ଏହି ପ୍ରତିରକ୍ଷା କମ୍ପାନି ଇସ୍ରୋ ଓ ଡିଆର୍‌ଡିଓ ସହ ମିଳିତ ଭାବରେ କାମ କରେ। ବହୁ ପୁରୁଣା କ୍ଷେପଣାସ୍ତ୍ର ଓ ରାଡାର ବ୍ୟବସ୍ଥାର ନବୀକରଣ ଓ ଡିଜିଟାଇଜେସନ ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୨୦ରେ ଏହି କମ୍ପାନିକୁ ୫୯୦ କୋଟି ଟଙ୍କାର ଠିକା ଦେଇଛି। ଟ୍ବିଟରରେ ଏହି ଗଣମାଧ୍ୟମ ରିପୋର୍ଟକୁ ସେୟାର କରି ରାହୁଲ ଲେଖିଛନ୍ତି, ଭାରତର କ୍ଷେପଣାସ୍ତ୍ର ଓ ରାଡାର ନବୀକରଣ ଠିକା ଆଦାନି ଗ୍ରୁପ୍ ଓ ଏକ ସନ୍ଦେହଜନକ ବିଦେଶୀ ସଂସ୍ଥା ଏଲାରାକୁ ଦିଆଯାଇଛି। ଏଲାରାକୁ କିଏ ନିୟନ୍ତ୍ରଣ କରୁଛି? ବିଦେଶୀ ସଂସ୍ଥାକୁ ପ୍ରତିରକ୍ଷା ଉପକରଣ ନବୀକରଣ ଦାୟିତ୍ବ ଦେଇ ଜାତୀୟ ସୁରକ୍ଷା ସହ କାହିଁକି ସାଲିସ କରାଯାଉଛି? ଟିଏମସି ଏମ୍‌ପି ମହୁଆ ମୈତ୍ର ମଧ୍ୟ ସ୍କ୍ରିନସଟ ସେୟାର କରି ଲେଖିଛନ୍ତି- ଓସ୍କାରରେ ‘ଛୁପା ରୁସ୍ତମ୍’ କିସମର ପୁରସ୍କାର ଡିଆର୍‌ଡିଓ ଇଣ୍ଡିଆ ଓ ପିଆଇବି ହୋମ୍‌ ଆଫେୟାର୍ସକୁ ଯିବା ଉଚିତ।

ସ୍ମୃତିଙ୍କୁ ରାହୁଲ ଉତ୍ତର ଦେବେ: ଖଡ଼ଗେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ରାହୁଲ ଗାନ୍ଧିଙ୍କ ଘୃଣା ତାଙ୍କର ଦେଶ ପ୍ରତି ଘୃଣାରେ ପରିଣତ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଅଭିଯୋଗ ଉପରେ ପ୍ରଶ୍ନ କରାଯିବାରୁ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜ୍ଜୁନ ଖଡ଼ଗେ କହିଲେ ଯେ ରାହୁଲ ଗାନ୍ଧି ଏହାର ଉତ୍ତର ଦେବେ। ରାହୁଲ ବିଦେଶ ମାଟିରେ ଭାରତର ଅପମାନ କରିଥିବାରୁ କ୍ଷମା ମାଗନ୍ତୁ ବୋଲି ବିଜେପି ଅଡ଼ିବସିଛି। ଅପରପକ୍ଷେ କଂଗ୍ରେସ ବିଜେପିର ଏହି ଦାବିକୁ ଅଗ୍ରାହ୍ୟ କରି କହିଛି ଯେ ପ୍ରଧାନମନ୍ତ୍ରୀ ଭାରତ ନୁହନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିବା ମାନେ ଭାରତକୁ ଅପମାନିତ କରିବା ନୁହେଁ। ସୂଚନାଯୋଗ୍ୟ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ରାହୁଲଙ୍କ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଘୃଣା ଦେଶ ପ୍ରତି ଘୃଣାରେ ପରିଣତ ହୋଇଛି।

କାହିଁକି ବିଦେଶୀ ଶକ୍ତି ଭାରତ ଉପରେ ଆକ୍ରମଣ କରୁନାହାନ୍ତି ବୋଲି ସେ କୁଆଡ଼େ ବିଦେଶରେ କହିଥିବା ଇରାନୀ ଅଭିଯୋଗ କରିଥିଲେ। କ୍ଷମା ମାଗିବା ଦାବି ଉପରେ ଖଡ଼ଗେ କହିଥିଲେ ଯେ ରାହୁଲ ଗାନ୍ଧି କ୍ଷମା ମାଗିବାର ପ୍ରଶ୍ନ ଉଠୁନି। ରାହୁଲ କେବଳ ଭାରତର ଗଣତନ୍ତ୍ର ଉପରେ କହିଛନ୍ତି। ଯେଉଁଠି ଲୋକମାନେ ଏକ ବିତର୍କରେ ଭାଗ ନିଅନ୍ତି ସେଠାରେ ନିଜର ମତ ପ୍ରକାଶ କରନ୍ତି। ରାହୁଲ ତାଙ୍କର ମତ ପ୍ରକାଶ କରିଛନ୍ତି। ଏ ଦେଶରେ ଟିଭି ଚାନେଲଗୁଡ଼ିକ ଉପରେ ଚାପ ପ୍ର‌‌ୟୋଗ କରାଯାଉଛି। ଯେଉଁମାନେ ସତ କହୁଛନ୍ତି ତାଙ୍କୁ ଜେଲରେ ଭର୍ତ୍ତି କରିଦିଆଯାଉଛି। ଏହା କ’ଣ ଦେଶରେ ଗଣତନ୍ତ୍ରକୁ ନଷ୍ଟ କରିବା ପାଇଁ ଯଥେଷ୍ଟ ନୁହେଁ? ରାହୁଲଙ୍କର କିଛି ଦୋଷ ନାହିଁ ବୋଲି ଖଡ଼ଗେ କହିଛନ୍ତି।

ଗଣତନ୍ତ୍ର ବିପଦରେ ନାହିଁ: ବିଜେପି
ନୂଆଦିଲ୍ଲୀ: ଭାରତ ବିରୋଧରେ ବିଦେଶରେ ଭାଷଣ ଦେଇଥିବାରୁ ରାହୁଲ କ୍ଷମା ମାଗନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଦାବି କରିଥିଲେ। ଇରାନୀ କହିଛନ୍ତି- ରାହୁଲଜୀ! ଭାରତୀୟ ଗଣତନ୍ତ୍ର ବିପଦରେ ନାହିଁ। ବରଂ ବିଦେଶରେ ତାଙ୍କର ଏପରି ବ୍ୟବହାର ଯୋଗୁ କଂଗ୍ରେସ ଦଳ ବିପଦକୁ ବରଣ କରିଛି। ଭାରତର ଜନସାଧାରଣ ଏହି ଦଳକୁ ନିଜ ହୃଦୟରୁ ବାହାର କରି ଫୋପାଡ଼ି ସାରିଲେଣି। ସେ ଏହା ମଧ୍ୟ କହିଛନ୍ତି ଯେ, ଆଜି ପ୍ରତ୍ୟେକ ଭାରତୀୟ ଦାବି କରୁଛନ୍ତି, ରାହୁଲ କ୍ଷମା ମାଗନ୍ତୁ। ସାଂସଦମାନଙ୍କୁ ନେଇ ସଂସଦ ଏବଂ ସାଂସଦମାନେ ହେଉଛନ୍ତି ଜନପ୍ରତିନିଧି। ତେଣୁ ପାର୍ଲାମେଣ୍ଟରେ ଉଠୁଥିବା ଦାବି ହେଉଛି ଜନତାଙ୍କ ସାମୂହିକ ଦାବି। ଜନତାଙ୍କ ସାମୂହିକ ଦାବିକୁ ସମ୍ମାନ ଜଣାଇ ରାହୁଲ କ୍ଷମା ମାଗିବା ଉଚିତ ବୋଲି ଇରାନୀ କହିଥିଲେ। ଅପରପକ୍ଷେ କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ ବିଜେପି ସଂସଦକୁ ଅପମାନିତ କରିଥିବାରୁ ସେମାନେ ବରଂ କ୍ଷମା ମାଗିବା ଉଚିତ।

ଇଣ୍ଡିଆନ ଓଭରସିଜ୍ କଂଗ୍ରେସ ମୁଖ୍ୟ ସାମ୍‌ ପିଟ୍ରୋଡା ଯେ କି ରାହୁଲଙ୍କ ଭାଷଣ ବେଳେ ଇଂଲଣ୍ଡରେ ଉପସ୍ଥିତ ଥିଲେ, ସେ ରାହୁଲଙ୍କ ପକ୍ଷରୁ ସଫେଇ ଦେଇଥିଲେ। ସେ କହିଥିଲେ- ରାହୁଲ ଗାନ୍ଧିଙ୍କ ବିରୋଧରେ ମିଛ ପ୍ରଚାର ବନ୍ଦ କର। ରାହୁଲ ଭାଷଣ ଦେବା ବେଳେ ଆପଣମାନେ ସେଠି ଥିଲେ କି? ଆପଣମାନେ ଦେଖିଛନ୍ତି ସେ ଭିଡ଼ିଓ? ସେ ପ୍ରକୃତରେ କ’ଣ କହିଥିଲେ ଓ କେଉଁ ପରିପ୍ରେକ୍ଷୀରେ କହିଥିଲେ ଆପଣମାନେ ଜାଣିଛନ୍ତି କି? ରାହୁଲ କେବେହେଲେ ବିଦେଶୀ ସାହାଯ୍ୟ ମାଗିନାହାନ୍ତି। ରାହୁଲ ଗାନ୍ଧି ତିନୋଟି କଥା କହିଥିଲେ: ୧. ଭାରତର ଗଣତନ୍ତ୍ର ହେଉଛି ବିଶ୍ବର ଜନକଲ୍ୟାଣ। ୨. ଭାରତରେ ଗଣତନ୍ତ୍ରର ଅବସ୍ଥା ଏବେ ଚିନ୍ତାଜନକ ଅବସ୍ଥାରେ ଅଛି। ୩. ତେବେ ତାହା ହେଉଛି ଭାରତର ଆଭ୍ୟନ୍ତରୀଣ ସମସ୍ୟା ଓ ଆମେ ତା’ର ସମାଧାନ ପାଇଁ ଚେଷ୍ଟା କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe