୮୦ ଫୁଟ ଗଭୀର ବୋରୱେଲରେ ବାଳକ : ଶେଷ ପର୍ଯ୍ୟାୟରେ ଅପରେସନ, ଅଳ୍ପ ସମୟ ମଧ୍ୟରେ ଉଦ୍ଧାର ହେବ ରାହୁଲ!

Advertisment
୮୦ ଫୁଟ ଗଭୀର ବୋରୱେଲରେ ବାଳକ : ଶେଷ ପର୍ଯ୍ୟାୟରେ ଅପରେସନ, ଅଳ୍ପ ସମୟ ମଧ୍ୟରେ ଉଦ୍ଧାର ହେବ ରାହୁଲ!

ଜାଞ୍ଜଗିର: ଛତିଶଗଡ଼ର ଜାଞ୍ଜଗିର-ଚାମ୍ପା ଜିଲ୍ଲାରେ ବୋରୱେଲ ପାଇଁ ଖେଳାଯାଇଥିବା ଗାତରେ  ୧୦୦ ଘଣ୍ଟା ହେଲା ଫସି ରହିଛି ବାଳକ ରାହୁଲ୍ ସାହୁ। ତାକୁ ଉଦ୍ଧାର କରିବା ପାଇଁ ସେନା ନେତୃତ୍ବରେ ଏଡିଆରଏଫ୍ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିରବଚ୍ଛିନ୍ନ ପ୍ରୟାସ ଜାରି ରହିଛି । ରାହୁଲକୁ ଅଳ୍ପ ସମୟ ମଧ୍ୟରେ ସଫଳତାର ସହିତ ଉଦ୍ଧାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ରାହୁଲକୁ ଉଦ୍ଧାର କରାଯିବା ପରେ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯିବ। ସେଥିପାଇଁ ମେଡିକାଲ ଟିମ୍ ଘଟଣାସ୍ଥଳରେ  ଷ୍ଟ୍ରେଚର, ଅକ୍ସିଜେନ ସିଲିଣ୍ଡର ଓ ଅନ୍ୟ ଜରୁରୀକାଳୀନ ସାମଗ୍ରୀ ନେଇ ପହଞ୍ଚିଛନ୍ତି। ଉଦ୍ଧାରକାରୀ ଦଳ ଟନେଲ ଠାରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ କରିଡର କରିସାରିଛି। କାରଣ ଯେକୌଣସି ସମୟରେ ରାହୁଲକୁ ଉଦ୍ଧାର କରାଯାଇପାରେ। ରାହୁଲର ବାପା-ମା’ଙ୍କୁ ମଧ୍ୟ ଆମ୍ବୁଲାନ୍ସକୁ ଅଣାଯାଇଛି।

publive-image

ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲାଙ୍କ କହିବା ଅନୁସାରେ ସେନାର ଯବାନମାନେ ବିଶାଳ ଚଟାଣକୁ ଭାଙ୍ଗିଛନ୍ତି। ରାହୁଲକୁ ଉଦ୍ଧାର କରାଯିବା ପରେ ଆମ୍ବୁଲାନ୍ସରେ ବିଳାସପୁରସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯିବ। ଡାକ୍ତର କହିଛନ୍ତି ଯେ, ରାହୁଲ ସାଧାରଣତଃ ଶ୍ବାସକ୍ରିୟା କରୁଛି। ତା’ର ସ୍ବାସ୍ଥ୍ୟ ପାଇଁ ରାଜ୍ୟବ୍ୟାପୀ ଲୋକେ ପୂଜାର୍ଚ୍ଚନା କରୁଛନ୍ତି। ବଲୌଦା ବଜାରରେ ରାହୁଲଙ୍କ ପାଇଁ ଗାୟତ୍ରୀ ପରିବାରଙ୍କ ତରଫରୁ ହୋମ-ଯଜ୍ଞ କରାଯାଉଛି। ଏଥି ସହିତ ଦୀର୍ଘାୟୁ କାମନା କରି ମହାମୃତ୍ୟୁଞ୍ଜୟ ଜପ ମଧ୍ୟ ଚାଲିଛି।

publive-image

ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଟୁଇଟ୍ କରି କହିଛନ୍ତି ଯେ, ବାଳକ ରାହୁଲଙ୍କ ପ୍ରତି ସମସ୍ତଙ୍କର ଆଶୀର୍ବାଦ ରହିଛି। ଏବେ ରାହୁଳ ସଂକେତ ମାଧ୍ୟମରେ ଖାଇବାକୁ ମାଗୁଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମ୍ ମଧ୍ୟ ବାଳକର ସାହସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

କୁହାଯାଉଛି ଯେ ରାହୁଲ ଓ ଯବାନଙ୍କ ମଧ୍ୟରେ ଏକ ବଡ଼ ପଥର ରହିଛି। ଟନେଲ ଭିତରେ ଚୂନପଥର ହେବା କାରଣରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି। ମାତ୍ର ଉଦ୍ଧାରକାରୀ ଟିମ୍ ରାହୁଳର ନିକଟରେ ଅଛନ୍ତି। ରାହୁଲଙ୍କ ନିକଟକୁ ପହଞ୍ଚିବା ପାଇଁ ଟନେଲ କାର୍ଯ୍ୟରେ ନିୟୋଜିତ ଏନଡିଆରଏଫର କମାଣ୍ଡ ଇନ୍ ଚିଫ ବର୍ଦ୍ଧମାନ ମିଶ୍ରା ଆଘାତ ପାଇଛନ୍ତି। ଡାକ୍ତର ତାଙ୍କୁ ଘଟଣାସ୍ଥଳରେ ଚିକିତ୍ସା ଯୋଗାଇ ଦେଇଛନ୍ତି। ଶ୍ରୀ ମିଶ୍ରା ପୁଣି ଥରେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି।

ସୂଚନାଯୋଗ୍ୟ, ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗାଁର ୧୦ବର୍ଷର ମୂକ-ବଧିର ବାଳକ ରାହୁଲ ୮୦ ଫୁଟ ଗଭୀର ବୋରୱେଲରେ ଖସିପଡ଼ିଥିଲା। ପ୍ରଶାସନ, ସେନା ଓ ଏନଡିଆରଏଫ ଟିମ୍ ନିୟୋଜିତ ହୋଇଥିବାରୁ ୧୦ ବର୍ଷର ମୂକ ବଧିର ବାଳକ ଉଦ୍ଧାର ପାଇବା ଆଶା ଉଜ୍ଜୀବିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe