ପାଟନା: ଲୋକସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ବିହାରର ସସାରାମରୁ କଂଗ୍ରେସ ଦଳର ‘ଭୋଟ ଅଧିକାର ଯାତ୍ରା’ ଆରମ୍ଭ କରିଛନ୍ତି। ଏହି ଯାତ୍ରା ରାଜ୍ୟରେ ନିର୍ବାଚନ ଆୟୋଗ ଦ୍ୱାରା ଚାଲିଥିବା ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ କଥିତ ଅନିୟମିତତା ବିରୋଧରେ ଏକ ଜନଆନ୍ଦୋଳନ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଏହି ୧୬ ଦିନିଆ ଯାତ୍ରା ବିହାରର ୨୪ଟି ଜିଲ୍ଲା ପରିକ୍ରମା କରିବ। ଏହାପରେ ପାଟନାର ଗାନ୍ଧୀ ମଇଦାନରେ ସେପ୍ଟେମ୍ବର ୧ ତାରିଖରେ ଏକ ବିଶାଳ ସମାବେଶ ସହ ଯାତ୍ରା ସମାପ୍ତ ହେବ। ସସାରାମରେ ଆଜି ଇଣ୍ଡି ମେଣ୍ଟ ନେତାଙ୍କ ସହ ଏକ ଜନସଭାରେ ରାହୁଲ କହିଛନ୍ତି ନିର୍ବାଚନ କମିସନ ଏବେ କେବଳ ତାଙ୍କୁ ହିଁ ଅଭିଯୋଗ ଆଧାରରେ ଟାର୍ଗେଟ୍ କରୁଛନ୍ତି। ଅନ୍ୟପକ୍ଷରେ ବିଜେପିର କୌଣସି ନେତାଙ୍କୁ ସତ୍ୟପାଠ ଦାଖଲ କରିବାକୁ କୁହାଯାଉନାହିଁ। ଦେଶରେ ନିର୍ବାଚନ ଚୋରି ହେଉଛି ବୋଲି ମୁଁ ପୁଣିଥରେ ଆଜିର ଯାତ୍ରା ମାଧ୍ୟମରେ ଘୋଷଣା କରୁଛି। ବିହାରରେ ଏସ୍ଆଇଆର୍ ରିଭିଜନ ଆଳରେ ବହୁତ ବଡ଼ ଷଡ୍ଯନ୍ତ୍ର ଚାଲିଛି ଏବଂ ଏଥିରେ ବିଜେପି ସହ ହାତ ମିଳାଇ ନିର୍ବାଚନ କମିସନ କାମ କରୁଛି ବୋଲି ରାହୁଲ ତାଙ୍କ ଅଭିଯୋଗ ଦୋହରାଇଛନ୍ତି। ଏହି ଯାତ୍ରା ମାଧ୍ୟମରେ ବିହାରରେ ଏସ୍ଆଇଆର୍ ପ୍ରକ୍ରିୟା ଦ୍ୱାରା ଲକ୍ଷ ଲକ୍ଷ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଉଥିବା ଅଭିଯୋଗକୁ ଜନସାଧାରଣଙ୍କ ମଧ୍ୟକୁ ନେବାକୁ ଚେଷ୍ଟା କରିବେ ଏବଂ ଏହି ସଚେତନତା ଆନ୍ଦୋଳନ ହିଁ ଭୋଟ ଚୋରିକୁ ରୋକିବ ବୋଲି ରାହୁଲ କହିଛନ୍ତି।
ଏହି ଯାତ୍ରା ସସାରାମରୁ ଆରମ୍ଭ ହୋଇ ଔରଙ୍ଗାବାଦ, ଗୟା, ନାଳନ୍ଦା, ମୁଙ୍ଗେର, ପୂର୍ଣ୍ଣିଆ, ମଧୁବନୀ, ଦରଭଙ୍ଗା, କଟିହାର, ଭାଗଲପୁର, ସୀତାମାଢି, ପୂର୍ବ ଓ ପଶ୍ଚିମ ଚମ୍ପାରଣ ଏବଂ ଗୋପାଳଗଞ୍ଜ ଆଦି ଜିଲ୍ଲା ଦେଇ ପାର ହେବ। ଏହି ଅଞ୍ଚଳଗୁଡ଼ିକରେ ଏସ୍ଆଇଆର ପ୍ରକ୍ରିୟାରେ ଭୋଟରଙ୍କ ନାମ ବାଦ ଦିଆଯିବା ସମ୍ପର୍କିତ ଅନେକ ଅଭିଯୋଗ ସାମ୍ନାକୁ ଆସିଛି। ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସମେତ ଇଣ୍ଡିମେଣ୍ଟର ବହୁ ନେତା ଏହି ଯାତ୍ରାରେ ସାମିଲ ହୋଇଛନ୍ତି।
କଂଗ୍ରେସ ଓ ଇଣ୍ଡି ମେଣ୍ଟ ନେତାମାନେ ଅଭିଯୋଗ କରିଛନ୍ତି ଯେ ଏସ୍ଆଇଆର ପ୍ରକ୍ରିୟା ମାଧ୍ୟମରେ ଦଳିତ, ଅନ୍ୟ ପଛୁଆ ବର୍ଗ (ଓବିସି) ଏବଂ ମୁସଲମାନ ଭୋଟରଙ୍କୁ ଟାର୍ଗେଟ୍ କରି ସେମାନଙ୍କ ତାଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଉଛି। ଏହି ଯାତ୍ରା ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ମେଣ୍ଟ ଦଳମାନଙ୍କ ପ୍ରଚାରକୁ ନୂଆ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us