National Business Insider
ନୂଆଦିଲ୍ଲୀ : ଜୁନ୍ ପହିଲାଠାରୁ ଭାରତୀୟ ରେଳ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ୨୦୦ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ। ବୁଧବାର ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ୨୦୦ଟି ଟ୍ରେନର (ଶହେ ଯୋଡ଼ା) ତାଲିକା ଜାରି କରାଯାଇଛି। ଏଥିସହ ଏହି ସବୁ ଟ୍ରେନରେ ଯାତ୍ରା କରିବା ଲାଗି ଆସନ୍ତାକାଲି (୨୧ ତାରିଖ) ସକାଳ ୧୦ଟା ଠାରୁ ଟିକେଟ୍ ବୁକିଂ ଆରମ୍ଭ ହେବ ବୋଲି ରେଳ ମନ୍ତ୍ରାଳୟ ଘୋଷଣା କରିଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସହ ଆଲୋଚନା କରିବା ପରେ ରେଳ ମନ୍ତ୍ରାଳୟ ଏହି ତାଲିକା ଜାରି କରିଛି।
ଜାରି ତାଲିକାରେ ଓଡ଼ିଶାରୁ ଯାତ୍ରା ଆରମ୍ଭ କରୁଥିବା କିମ୍ବା ଶେଷ କରୁଥିବା ଏକାଧିକ ଟ୍ରେନ୍ ରହିଛି। ସେ ମଧ୍ୟରେ ତାଲିକାର ୨ ନମ୍ବରରେ ରହିଛି ମୁମ୍ବାଇ-ଭୁବନେଶ୍ବର (ଅପ୍ ଓ ଡାଉନ୍) କୋଣାର୍କ ଏକ୍ସପ୍ରେସ୍, ୩୩ ନମ୍ବରରେ ରହିଛି ପୁରୀ-ନୂଆଦିଲ୍ଲୀ (ଅପ୍ ଓ ଡାଉନ୍) ପୁରୁଷୋତ୍ତମ ଏକ୍ସପ୍ରେସ୍, ୭୫ ନମ୍ବରରେ ରହିଛି ସିଆଲଦା-ପୁରୀ (ଅପ୍ ଓ ଡାଉନ୍) ଦୂରନ୍ତ ଏକ୍ସପ୍ରେସ୍ ଏବଂ ୭୯ ନମ୍ବରରେ ରହିଛି ହାୱଡା-ଭୁବନେଶ୍ବର (ଅପ୍ ଓ ଡାଉନ୍) ଜନଶତାବ୍ଦୀ ଏକ୍ସପ୍ରେସ୍। ଏଥିସହ ଆହୁରି ଅନେକ ଟ୍ରେନ୍ ରହିଛି, ଯେଉଁଗୁଡ଼ିକ ଭିନ୍ନ ରାଜ୍ୟରୁ ଯାତ୍ରାରମ୍ଭ କରି ଅନ୍ୟ ରାଜ୍ୟକୁ ଯାଉଥିଲେ ହେଁ ଓଡ଼ିଶା ମଧ୍ୟ ଦେଇ ଗତି କରିବ। ଏସବୁ ଟ୍ରେନରେ ଯାତ୍ରା କରିବାର ସୁବିଧା ଓଡ଼ିଶାର ଯାତ୍ରୀ ପାଇପାରିବେ।
ଏହି ଟ୍ରେନ୍ଗୁଡ଼ିକରେ ଯାତ୍ରା କରିବା ପାଇଁ କେବଳ ଅନ୍ଲାଇନ୍ରେ ଟିକେଟ୍ ବୁକିଂ ହେବ। କୌଣସି ବି ଷ୍ଟେସନରେ ଟିକେଟ୍ ବିକ୍ରି କରାଯିବ ନାହିଁ। ତେଣୁ ଯାତ୍ରୀମାନେ ଟିକେଟ୍ କିଣିବା ପାଇଁ ଷ୍ଟେସନ ଆସିବାର ଆବଶ୍ୟକତା ନାହିଁ। ଟ୍ରେନ୍ଗୁଡ଼ିକ ମେଲ୍ ଓ ଏକ୍ସପ୍ରେସ ବର୍ଗର ନନ୍-ଏସି ହୋଇଥିବା ବେଳେ ଏଗୁଡ଼ିକ ପୂର୍ବ ସମୟ ସାରଣୀ ଅନୁସାରେ ଚାଲିବ ବୋଲି ସୂଚନା ମିଳିଛି।
Follow Us