ଟ୍ରେନ୍‌ର ମଇଳା ଶୌଚାଳୟ ପାଇଁ ରେଳ ଅଧିକାରୀ ଦାୟୀ: ସିଏଜି

ଦୂରଗାମୀ ଟ୍ରେନଗୁଡ଼ିକର ସଫା କରିବା ପାଇଁ ରେଳବାଇ ଅନ୍-ବୋର୍ଡ ସଫା କରିବା ସେବା ଆରମ୍ଭ କରିଛି। କିନ୍ତୁ ଯାତ୍ରୀମାନେ ଏହାର ଲାଭ ପାଉ ନାହାନ୍ତି। ଏହାର କାରଣ ହେଉଛି ସଫେଇ କରୁଥିବା‌ ଠିକାଦାରଙ୍କ ପ୍ରତି ରେଳ ଅଧିକାରୀଙ୍କ କୋହଳ ମନୋଭାବ....

Railway officials responsible for dirty toilets on trains: CAG

Railway officials responsible for dirty toilets on trains: CAG Photograph: (sambad.in)

ନୂଆଦିଲ୍ଲୀ:ଦୂରଗାମୀ ଟ୍ରେନ୍‌(ଏକ୍ସପ୍ରେସ ଟ୍ରେନ୍)ର ଶୌଚାଳୟ ଏବଂ ହାତ ତଥା ମୁହଁ ଧୋଇବା ପାଇଁ ବାହାରେ ଥିବା ସିଙ୍କଗୁଡ଼ିକର ଅବସ୍ଥା ଖରାପ। ଟ୍ରେନ୍‌ର ଏସି କୋଚ୍‌ଗୁଡ଼ିକରେ ମଇଳା କମ୍ ଅଛି, କିନ୍ତୁ ସ୍ଲିପର କୋଚ୍‌ ଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଖରାପ। ଜେନେରାଲ କୋଚଗୁଡ଼ିକର ଅବସ୍ଥା ଏହାଠାରୁ ମଧ୍ୟ ଅଧିକ ଖରାପ। ଏହି ପରିପ୍ରେକ୍ଷୀରେ, ଦେଶର ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ ଅର୍ଥାତ୍ ସିଏଜି ଏଭଳି ମକ୍ତବ୍ୟ ଦେଇଛନ୍ତି। ଏକ ଦଳ ଦେଶବ୍ୟାପୀ ଟ୍ରେନ୍ ଗୁଡ଼ିକର ଯାଞ୍ଚ କରିଥିଲେ। ଏହାର ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା।


ଦୂରଗାମୀ ଟ୍ରେନ୍‌ରେ ସଫାସୁତୁରା ସମ୍ପର୍କରେ ସିଏଜି ରିପୋର୍ଟରେ କୁହାଯାଇଛି ଯେ, ଟ୍ରେନର ସଫାସୁତୁରାରେ ଅବହେଳାର ମୁଖ୍ୟ କାରଣ ହେଉଛି ରେଳ ଅଧିକାରୀଙ୍କ ଅସାବଧାନତା। ଏହି ରିପୋର୍ଟରେ କୁହାଯାଇଛି, ରେଳବାଇ ଟ୍ରେନ୍‌ରେ ସଫାସୁତୁରା ଦାୟିତ୍ୱ ଘରୋଇ ଠିକାଦାରଙ୍କୁ ଦେଇଛି। ରେଳବାଇ ଅଧିକାରୀମାନେ ଏହି ଠିକାଦାରଙ୍କଠାରୁ କାମ ଠିକ୍ ଭାବରେ କରାଇ ପାରୁନାହାନ୍ତି। ଠିକାଦାରମାନେ ଟ୍ରେନ୍‌ରେ ପର୍ଯ୍ୟାପ୍ତ କର୍ମଚାରୀ ଏବଂ ମେସିନ୍ ଯୋଗାଇ ନାହାନ୍ତି। ଯେଉଁ ଶ୍ରମିକମାନେ ଉପଲବ୍ଧ ଅଛନ୍ତି ସେମାନଙ୍କ ପାଖରେ ମଧ୍ୟ ସଫାସୁତୁରା ପାଇଁ ପର୍ଯ୍ୟାପ୍ତ ସାମଗ୍ରୀ ନାହିଁ।
  

ରିପୋର୍ଟରେ ଉଲ୍ଲେଖ କରାଯାଇଛି, ଟ୍ରେନ୍‌ଗୁଡ଼ିକରେ ଉପଯୁକ୍ତ ସଫାସୁତୁରା ଅଭାବର ଅନେକ କାରଣ ଅଛି। ପ୍ରଥମ ଏବଂ ପ୍ରମୁଖ କାରଣ ହେଉଛି ଟ୍ରେନ୍‌ରେ ସଫାସୁତୁରା କର୍ମଚାରୀଙ୍କ ଅଭାବ। ଚଳନ୍ତା ଟ୍ରେନ୍‌ରେ ଯାତ୍ରା କରୁଥିବା କର୍ମଚାରୀମାନଙ୍କ ପାଖରେ ସଫାସୁତୁରା ପାଇଁ ଆବଶ୍ୟକୀୟ ସାମଗ୍ରୀ ନାହିଁ। ଏହା ବ୍ୟତୀତ, ରେଳ ଅଧିକାରୀମାନେ ସଫାସୁତୁରା ପ୍ରତି ଉପଯୁକ୍ତ ଧ୍ୟାନ ଦିଅନ୍ତି ନାହିଁ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଟ୍ରେନ୍‌ରେ ଥିବା ଏସି କୋଚର ଶୌଚାଳୟଗୁଡ଼ିକ ଅଣ-ଏସି କୋଚର ଶୌଚାଳୟ ଅପେକ୍ଷା ସଫା ରହିଛି। କିଛି ଜୋନରେ, ୫୦% ରୁ ଅଧିକ ଯାତ୍ରୀ ଟ୍ରେନ୍‌ର ସଫାସୁତୁରା ଠିକ୍ ନଥିବା ରିପୋର୍ଟରେ ଦର୍ଶାଯାଇଛି।


ଏହି ସିଏଜି ରିପୋର୍ଟ ୨୦୧୮-୧୯ ରୁ ୨୦୨୨-୨୩ ବର୍ଷର। ଏହି ସମୟ ମଧ୍ୟରେ, ସିଏଜି ଦଳ ରେଳବାଇର ୧୬ ଟି ଜୋନର ୯୬ ଟି ଟ୍ରେନରେ ୨,୪୨୬ ଜଣ ଯାତ୍ରୀଙ୍କ ସହ କଥା ହୋଇଥିଲେ। ସେମାନଙ୍କୁ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ପ୍ରଶ୍ନ ପଚରା ଯାଇଥିଲା। ଯାତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଉତ୍ତରରୁ ଜଣାପଡିଛି ଯେ, ଟ୍ରେନ୍‌ରେ ପରିଷ୍କାର ପରିଚ୍ଛନ୍ନତାର ଅବସ୍ଥା ଭଲ ନୁହେଁ। ୨,୪୨୬ ଜଣ ଯାତ୍ରୀଙ୍କ ମଧ୍ୟରୁ ୩୬୬ ଜଣ (୧୫%) କହିଛନ୍ତି, ଶୌଚାଳୟ କିମ୍ବା ୱାଶ୍‌ ବେସିନରେ ପାଣି ନାହିଁ। ୨୦୨୨-୨୩ରେ ପାଣି ଅଭାବ ସମ୍ପର୍କରେ ରେଳ ମଦଦ ଆପ୍‌ରେ ଏକ ଲକ୍ଷରୁ ଅଧିକ ଅଭିଯୋଗ ମଧ୍ୟ ପଞ୍ଜିକୃତ ହୋଇଥିଲା। ସେଥିପାଇଁ ସିଏଜି ପରାମର୍ଶ ଦେଇଛନ୍ତି ଯେ, ଦୂରଗାମୀ ଟ୍ରେନ୍‌ଗୁଡ଼ିକରେ ପାଣି ଭର୍ତ୍ତି କରିବାର  ବ୍ୟବସ୍ଥା ରହିବା ଉଚିତ୍। ବିଶେଷକରି ସେହି ଷ୍ଟେସନ ଗୁଡ଼ିକରେ ଯେଉଁଠାରୁ ପାଣି ଅଭାବର ଅଧିକ ଅଭିଯୋଗ ପ୍ରାୟତଃ ଆସିଥାଏ।

ରେଳବାଇ ଟ୍ରେନ୍‌ର ସଫାସୁତୁରା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍‌ରେ କ୍ଲିନ୍ ଟ୍ରେନ୍‌ ଷ୍ଟେସନ୍‌ (ସିଟିଏସ) ଯୋଜନା ଆରମ୍ଭ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ଷ୍ଟେସନ୍‌ରେ ଅଳ୍ପ ସମୟ ପାଇଁ ଅଟକୁଥିବା ଟ୍ରେନ୍‌ର ଶୌଚାଳୟ, ଦ୍ୱାର ଏବଂ ଭେଷ୍ଟିବୁଲ୍‌ଗୁଡ଼ିକୁ ମେସିନ୍‌ ସାହାଯ୍ୟରେ ସଫା କରିବା। କିନ୍ତୁ ସିଏଜି କହିଛନ୍ତି ଯେ, ରେଳ ଅଧିକାରୀମାନେ ଠିକାଦାରଙ୍କ ଦ୍ୱାରା କାମ ଠିକ୍‌ ଭାବରେ କରାଉ ନଥିବାରୁ ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ମିଳିପାରୁ ନାହିଁ। ଠିକାଦାରମାନେ ସଫାସୁତୁରା ପାଇଁ ଆବଶ୍ୟକ ମେସିନ୍‌ ଏବଂ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରି ନାହାନ୍ତି।

ସିଏଜି ଏହା ମଧ୍ୟ କହିଛନ୍ତି ଯେ, ରେଳ ଅଧିକାରୀମାନେ ଟ୍ରେନ୍‌ରେ କାମ କରୁଥିବା କର୍ମଚାରୀଙ୍କ ପୁଲିସ ଯାଞ୍ଚ କରାନ୍ତି ନାହିଁ।  ଏପରି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ କର୍ମଚାରୀମାନେ ଅପରାଧ କରିଛନ୍ତି। ଏକ ଉଦାହରଣ ଦେଇ ସିଏଜି କହିଛନ୍ତି, ଦିଲ୍ଲୀ-ଅହମଦାବାଦ ସ୍ୱର୍ଣ୍ଣ ଜୟନ୍ତୀ ରାଜଧାନୀ ଟ୍ରେନ୍‌ରେ ଜଣେ ପରିଚାରିକ ଜଣେ ମହିଳା ଯାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ।


ସିଏଜିଙ୍କ ଅନୁଯାୟୀ, ରେଳବାଇ ଦେଶର ଜୀବନ ରେଖା। ଭାରତୀୟ ରେଳବାଇ ପ୍ରତିଦିନ ସାରା ଦେଶରେ ୧୨,୫୪୧ଟି ଟ୍ରେନ୍ ଚଲାଏ। ପ୍ରତିଦିନ ଏହି ଟ୍ରେନ୍‌ ଗୁଡ଼ିକରେ ୧.୭୫ କୋଟିରୁ ଅଧିକ ଯାତ୍ରୀ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିଥାନ୍ତି। ବର୍ତ୍ତମାନ ରେଳ ନେଟୱାର୍କରେ ୭,୩୬୪ ରୁ ଅଧିକ ରେଳ ଷ୍ଟେସନ୍‌ ଅଛି। ଅଧିକ ଯାତ୍ରୀ ଯାତାୟାତକୁ ଦୃଷ୍ଟିରେ ରଖି, ସ୍ୱଚ୍ଛତାର ଉଚ୍ଚ ମାନ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଜଡିତ ଏକ ବିଷୟ। ସେଥିପାଇଁ ସିଏଜି ଏ ସମ୍ପର୍କରେ ଏକ ପୃଥକ ଅଡିଟ୍ କରିଛି।

 CAG | railway 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe