Image Courtesy of Hindustan Times
ନୂଆଦିଲ୍ଲୀ: ପୂଜାପର୍ବାଣି ସମୟ ପାଖେଇ ଆସୁଥିବା ବେଳେ ଯାତ୍ରୀମାନଙ୍କ ନିମନ୍ତେ ‘ରେଲ୍ୱେ ପ୍ରୋଟେକ୍ସନ୍ ଫୋର୍ସ’ (ଆର୍ପିଏଫ୍) ବୁଧବାର ଦିନ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଫଳରେ ଯାତ୍ରୀମାନେ କୋଭିଡ୍-୧୯ ମହାମାରୀରେ ନିରାପଦରେ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବେ।
ଭୂତାଣୁ ସଂକ୍ରମଣ କରାଇଲା ଭଳି ଯେକୌଣସି ଅବହେଳାକୁ ରେଳବାଇ ପ୍ରଶାସନ ପ୍ରଦତ୍ତ ଯାତ୍ରୀ ସୁବିଧାରେ ହସ୍ତକ୍ଷେପ ଭାବେ ବିଚାର କରାଯିବ ବୋଲି ‘ଆର୍ପିଏଫ୍’ ଯାତ୍ରୀମାନଙ୍କୁ ସତର୍କ କରାଇ ଦେଇଛି। ଅନ୍ୟ ଯାତ୍ରୀମାନଙ୍କୁ ବିପଦରେ ପକାଇବା ଭଳି କାର୍ଯ୍ୟ କରୁଥିବା ଯାତ୍ରୀମାନଙ୍କୁ ରେଳବାଇ କଠୋର ଦଣ୍ଡରେ ଦଣ୍ଡିତ କରିବ।
ଟ୍ରେନ୍ ମଧ୍ୟରେ କିଂବା ରେଳ ଷ୍ଟେସନ୍ରେ କୋଭିଡ୍-୧୯ ସ୍ବାସ୍ଥ୍ୟ ନିମୟ ଉଲ୍ଲଂଘନ କରୁଥିବା ଯାତ୍ରୀମାନଙ୍କୁ ଜେଲ୍ କିଂବା ଜରିମାନ ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ‘ରେଲ୍ୱେ ପ୍ରୋଟେକ୍ସନ୍ ଫୋର୍ସ’ ଏକ ବିବୃତିରେ କହିଛି।
Image Courtesy of New Indian Expressମାସ୍କ୍ ନ ପିନ୍ଧିବା ବା ଠିକ୍ ଭାବରେ ମାସ୍କ ନ ପିନ୍ଧିବା, ଉପଯୁକ୍ତ ଶାରୀରିକ ଦୂରତ୍ବ ବଜାୟ ନ ରଖିବା, କୋଭିଡ୍-୧୯ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ି ଥାଇ ସୁଦ୍ଧା ଷ୍ଟେସନ୍କୁ ଆସିବା କିଂବା ଟ୍ରେନ୍ ଚଢ଼ିବା ଘଟଣାକୁ ‘ଆର୍ପିଏଫ୍’ ଚରମ ଅବହେଳା ବୋଲି ବିଚାର କରିବ।
ନମୁନା ପରୀକ୍ଷା ପାଇଁ ଦେଇ ରିପୋର୍ଟ ପାଇ ନ ଥିବା ବ୍ୟକ୍ତି ଟ୍ରେନ୍ ଚଢ଼ିବା ମଧ୍ୟ ଅପରାଧ ବୋଲି ବିଚାର କରାଯିବ। ରେଳ ଷ୍ଟେସନ୍ରେ ଥିବା ହେଲ୍ଥ୍ ଟିମ୍ ଯାତ୍ରା ଲାଗି ଅନୁମତି ଦେଇ ନ ଥିବା କୌଣସି ବ୍ୟକ୍ତି ଟ୍ରେନ୍ ଯାତ୍ରା କଲେ ଜରିମାନାରେ ଦଣ୍ଡିତ ହେବେ।
ସର୍ବସାଧାରଣ ଅଞ୍ଚଳରେ ଛେପ ପକାଇବା କିଂବା କୋଭିଡ୍-୧୯ ବିସ୍ତାରକାରୀ ଅନ୍ୟ କୌଣସି ଅସ୍ବାସ୍ଥ୍ୟକର ଅବସ୍ଥା ସୃଷ୍ଟି କରୁଥିବା କାର୍ଯ୍ୟକଳାପ ମଧ୍ୟ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ।
ଉତ୍ସବ ସମୟର ଏହି ସଦ୍ୟ ମାର୍ଗଦର୍ଶିକା ପାଳନ କରୁ ନ ଥିବା ଯାତ୍ରୀମାନଙ୍କୁ ରେଳବାଇ ଆଇନ, ୧୯୮୯ର ଧାରା ୧୪୫, ୧୫୩ ଏବଂ ୧୫୪ରେ ବିହିତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ।
Follow Us