ଘନ କୁହୁଡ଼ି ଯୋଗୁଁ ରେଳ ଚଳାଚଳ ପ୍ରଭାବିତ

ଦିଲ୍ଲୀରେ ବାୟୁ ପ୍ରଦୂଷଣ ୨୪ ଘଣ୍ଟାରେ ଦୁଇ ଗୁଣ

ଘନ କୁହୁଡ଼ି ଯୋଗୁଁ ରେଳ ଚଳାଚଳ ପ୍ରଭାବିତ

ନୂଆଦିଲ୍ଲୀ: ଦିଲ୍ଲରେ ପ୍ରଦୂଷଣ ସଙ୍କଟ ଆହୁରି ଭୟଙ୍କର ହୋଇଉଠିଛି। ଶନିବାର ସନ୍ଧ୍ୟାରୁ ରବିବାର ସନ୍ଧ୍ୟା ମଧ୍ୟରେ ବାୟୁରେ କ୍ଷତିକାରକ ପଦାର୍ଥର ପରିମାଣ ଦୁଇଗୁଣ ବଢ଼ିଯାଇଛି। ଆଜି ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ ସମେତ ଉତ୍ତର ଭାରତରେ ଯାତ୍ରୀ ପରିବହନ ବ୍ୟବସ୍ଥାରେ ସଙ୍କଟ ଉପୁଜିଛି। ଦିଲ୍ଲା ଆସୁଥିବା ୩୪ଟି ଟ୍ରେନ୍‌ ଏବଂ ଫେରୁଥିବା ୮ଟି ଟ୍ରେନ୍‌କୁ ବାତିଲ କରାଯାଇଛି ।୨୧ ଟ୍ରେନ୍‌ର ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି । ନୋଏଡା ଅଂଚଳରେ ପ୍ରଦୂଷଣ ସାଂଘାତିକ ସ୍ଥିତିରେ ପହଞ୍ଚିଛି। ତାପମାତ୍ରା ଅଚାନକ କମିଯିବାରୁ ପ୍ରଦୂଷଣ ଏଭଳି ବଢ଼ିଯାଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଦିଲ୍ଲୀର ଲୋଧି ରୋଡରେ ପିଏମ୍‌-୧୦ର ସ୍ତର ୫୭୦ ଏବଂ ପିଏମ୍‌ ୨.୫ର ସ୍ତର ୬୨୫ ରେକର୍ଡ କରାଯାଇଛି। ଜରୁରୀ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା ନିମନ୍ତେ ପିଏମ୍‌ ୨.୫ର ସ୍ତର ୫୦୦ ରହିଥିବା ବେଳେ ଏହା ବିଭିନ୍ନ ସ୍ଥାନରେ ଏହା ୫୨୨ରୁ ୬୨୫ ପର୍ଯ୍ୟନ୍ତ ରହିଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା କାର୍ଯ୍ୟକାରୀ କରିବାକୁ ନେଇ ଦିଲ୍ଲୀ ସରକାର ଏବଂ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ଆସନ୍ତାକାଲି ଏ ବାବଦରେ ପୁଣି ଦିଲ୍ଲୀ ସରକାର ଏନଜିଟିରେ ଆବେଦନ କରି ଏ ବାବଦ ସମସ୍ତ ସର୍ତ୍ତ ପ୍ରତ୍ୟାହାର କରିବାକୁ ଅନୁରୋଧ କରିବେ ବୋଲି ଜଣାପଡ଼ିଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର ଗ୍ରହଣ କରିଥିବା ପଦକ୍ଷେପ ଅତ୍ୟନ୍ତ ଉପରଠାଉରିଆ ବୋଲି ଏନ୍‌ଜିଟି ଦର୍ଶାଇବା ସହ ଯୁଗ୍ମ ଅଯୁଗ୍ମ ନିୟମ କାର୍ଯ୍ୟକାରୀ କରିବା ବେଳେ ଏଥିରୁ ୨ ଚକିଆ ଯାନ ଏବଂ ମହିଳା ବି ବାଦ ପଡ଼ିବେ ନାହିଁ ବୋଲି ସର୍ତ୍ତ ଲାଗୁ କରିଛନ୍ତି। ଏନ୍‌୍‌ଜିଟିର ଏହି କଠୋର ସର୍ତ୍ତ ପରେ ଦିଲ୍ଲୀ ସରକାର ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛନ୍ତି ଏବଂ ଯୁଗ୍ମ ଅଯୁଗ୍ମ ଫର୍ମୁଲା ଲାଗୁ ହେବନାହିଁ ବୋଲି ଘୋଷଣା କରିଛନ୍ତି।

ବାୟୁରେ ବିଷାକ୍ତ ଧୂଳିକଣାର ପରିମାଣ କମାଇବା ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଜନବସତି ଅଂଚଳରେ ଥିବା ଶତାଧିକ କାରଖାନାକୁ ଯୁଦ୍ଧକାଳୀନ ଭିତ୍ତିରେ ବନ୍ଦ କରାଯାଇଛି। ଏହାଦ୍ୱାରା ସ୍ଥିତିରେ ସୁଧାର ଆସିବ ବୋଲି ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଆକଳନ କରିଛନ୍ତି। ଦିଲ୍ଲୀରେ ପ୍ରାୟ ୪ ହଜାର କାରଖାନା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛିଏବଂ ସଂପୃକ୍ତ ଅଂଚଳରେ ପ୍ରବଳ ଧୂଆଁ ଉଠୁଥିବାରୁ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି। ଏବେ ସହରର ପ୍ରଦୂଷଣସ୍ତର ସ୍ୱାଭାବିକଠାରୁ ୧୪ଗୁଣ ଅଧିକ ରହିଛି। ବିଭିନ୍ନ ସ୍ଥାନରେ ଆବର୍ଜନା ଗଦାରେ ନିଆଁ, ନିର୍ମାଣ ଏବଂ ଉଚ୍ଛେଦ କାର୍ଯ୍ୟ ସାଂଗକୁ ବଢ଼ି ଚାଲିିଥିବା ଯାନବାହନ ପ୍ରଦୂଷଣ ଘୋର ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe